ସରକାରୀ ଯାନ୍ତ୍ରିକ କଲେଜ ଅଧ୍ୟକ୍ଷଙ୍କ ବିସ୍ଫୋରକ ଚିଠି : ଭିତ୍ତିଭୂମି ଅଭାବ ଯୋଗୁଁ ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍ ମିଳିଲାନି

ଭୁବନେଶ୍ବର : ଯୁବକ ଯୁବତୀଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ବୈଷୟିକ ଶିକ୍ଷା ବିଭାଗର ଉଦାସୀନତା ଓ ବେସରକାରୀ କଲେଜ ପ୍ରୀତି ଯୋଗୁଁ ରାଜ୍ୟରେ ବୈଷୟିକ ଶିକ୍ଷା ବିପର୍ଯ୍ୟସ୍ତ ହେଲାଣି। ଫଳସ୍ବରୂପ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ(ଏନ୍‌ଆଇଆରଏଫ୍‌)ରେ ରା‌ଜ୍ୟର କୌଣସି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ସ୍ଥାନ ପାଇ ପାରି ନ ଥିଲେ। ଏଭଳି ସ୍ଥିତିକୁ ନେଇ ତୁମ୍ବି ତୋଫାନ୍ ହେବା ପରେ ଦୋଷ ଲୁଚାଇବା ସହ ନିଜର ପାରିବାପଣିଆ ଦେଖାଇବାକୁ ଯାଇ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ବୈଷୟିକ ଶିକ୍ଷା ବିଭାଗ। ତେବେ କଲେଜର ଅଧ୍ୟକ୍ଷମାନେ ଯେଉଁ ବିସ୍ଫୋରକ ଉତ୍ତର ଦେଇଛନ୍ତି ତାହା ବୈଷୟିକ ଶିକ୍ଷା ବିଭାଗର ଅସଲ ମୁଖା ଖୋଲିଦେଇଛି।

ସେମାନଙ୍କ ଉତ୍ତରକୁ ଅନୁଶୀଳନ କଲେ ଜଣାଯାଏ ଯେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ରହିଛି। କେଉଁ ବିଭାଗରେ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମି ଅଭାବ ରହିଛି। ତେଣୁ କେଉଁ ଭଳି ଭାବେ ରୢାଙ୍କିଙ୍ଗ୍‌ ପାଇଁ ଆବେଦନ କରିବେ। ପୂରଣ କରିବା ତଥା ଭିତ୍ତିଭୂମି ସଜାଡ଼ିବା ନିମନ୍ତେ ଅର୍ଥ ମଞ୍ଜୁର କରିବାକୁ ବାରମ୍ବାର ଦାବି କରି ଚାଲିଛନ୍ତି। ଚିଠି ପରେ ଚିଠି ଲେଖିଥିଲେ ମଧ୍ୟ କିଛି ବି ସୁଫଳ ମିଳିନି। ଭିତ୍ତିଭୂମି ସୁଧରା ଯାଉନି କି ପଦ ପୂରଣ ହେଉନି। ବୈଷୟିକ ଶିକ୍ଷା ବିଭାଗ ଏକପ୍ରକାର ନିଦା ବିଷ୍ଣୁ ପାଲଟିଛି।

କଲେଜ ଓ ବିଶ୍ବବିଦ୍ୟାଳୟର ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁ ପରୋକ୍ଷରେ ବେସରକାରୀ କଲେଜଗୁଡ଼ିକ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି କହିଛନ୍ତି ଯେ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଆଗକୁ ବଢ଼ିବା ସହ ସରକାରୀ ଯାନ୍ତ୍ରିକ କଲେଜରେ ପଢୁଥିବା ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର କରିବା ପାଇଁ ସୁଚିନ୍ତିତ ଷଡ଼୍‌ଯନ୍ତ୍ର କରାଯାଉଛି। ସରକାରୀ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଖାଲି ପଡିଥିବା ପଦ ପୂରଣ କରାଯାଉ ନାହିଁ। ହେଲେ ଘରୋଇ କଲେଜକୁ ଅନୁଦାନ ପ୍ରଦାନ କରାଯାଉଛି। ଏଭଳି କରାଯାଇ ବେସରକାରୀ ବୈଷୟିକ କଲେଜଗୁଡ଼ିକୁ ପରୋକ୍ଷରେ ପୋତ୍ସାହିତ କରାଯାଉଛି ‌ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ସରକାର ଏ ଦିଗରେ କୈଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ‘ବୈଷୟିକ ଶିକ୍ଷା ବଚାଓ ଆନ୍ଦୋଳନ’ କରାଯିବ। ବୈଷୟିକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଘେରାଓ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର