ଜୁଲାଇରେ ବି ନିଅଣ୍ଟିଆ ବର୍ଷା

୧୮ ଜିଲ୍ଲାରେ ସ୍ବାଭାବିକ ହୋଇପାରିନି ସ୍ଥିତି, ୪ରେ ଲଘୁଚାପ ଆଣିପାରେ ଆଶ୍ବସ୍ତି, କୋରାପୁଟରେ ଅଧିକ, ସୁନ୍ଦରଗଡ଼ରେ ସାଂଘାତିକ

ଭୁବନେଶ୍ବର : ବର୍ଷାଋତୁର ଅଧା ସରିଲା। ଜୁନ୍‌ ଯାଇ ଜୁଲାଇ ଗଲା। ତଥାପି ଓଡ଼ିଶାରେ ସ୍ବାଭାବିକ ହୋଇପାରିଲାନି ବର୍ଷା। ଏବେ ସୁଦ୍ଧା ଅର୍ଧାଧିକ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି। ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ନିଅଣ୍ଟିଆ ପରିସ୍ଥିତି ରହିଛି। କେବଳ କୋରାପୁଟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ତେବେ ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ ହେଲାଣି। ଜିଲ୍ଲାର ୫ଟି ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବାକି ବ୍ଲକ୍‌ଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି।

ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଦକ୍ଷିଣ ଓଡ଼ିଶା ଓ ଏହା ସଂଲଗ୍ନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇଛି। କୋରାପୁଟରେ ସ୍ବାଭାବିକଠାରୁ ଅଧିକ ଅର୍ଥାତ୍‌ ୨୮.୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ମାଲକାନଗିରିରେ ସ୍ବାଭାବିକଠାରୁ ୧୬.୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୧୮.୬, କଳାହାଣ୍ଡିରେ ୯.୪, ପୁରୀରେ ୧୧.୯, ଖୋର୍ଧାରେ ୩.୭, କଟକରେ ୧.୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲେ ମଧ୍ୟ କମ୍‌ ରହିଛି। ରାୟଗଡ଼ାରେ ୧୫.୮ ପ୍ରତିଶତ କମ୍‌ ରହିଥିବା ବେଳେ ଗଞ୍ଜାମରେ ୧୨, ଜଗତସିଂହପୁରରେ ୬.୮, ସୋନପୁରରେ ୧୫.୨ ଓ ବରଗଡ଼ରେ ୭.୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ୧ରୁ ଜୁଲାଇ ୨୯ ସୁଦ୍ଧା ସାରା ରାଜ୍ୟରେ ୧୭.୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଜୁଲାଇରେ ଯେତିକି ବର୍ଷା ହେବା କଥା ତାହା ବି ହୋଇପାରିନି। ଜୁଲାଇ ୨୯ ସୁଦ୍ଧା ନିଅଣ୍ଟିଆ ପରିମାଣ ଆହୁରି ୭.୪ ପ୍ରତିଶତ ରହିଥିବା ଏସ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ରେ ଅତି ନିଅଣ୍ଟିଆ ସ୍ଥିତି ରହିଛି। ଜୁଲାଇ ୩୦ ସୁଦ୍ଧା ଏଠାରେ ୪୪.୯ ପ୍ରତିଶତ କମ୍‌ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି। ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା କମ୍‌ ରହିଥିବାରୁ ଚାଷ କାର୍ଯ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ତଥାପି ଗତ ସପ୍ତାହକ ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବାରୁ ସ୍ଥିତିରେ ସୁଧାର ଆସିଛି। ସପ୍ତାହକ ପୂର୍ବରୁ ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଥିଲା। ଆଉ ଏବେ ତାହା ୧୮ ଜିଲ୍ଲାକୁ ଖସି ଆସିଛି। ଅଗଷ୍ଟ ୪ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ସପ୍ତାହକ ଯାଏ ବର୍ଷା ଲାଗିରହିବ। ଏହି ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷା ପରିମାଣ କିଛି ମାତ୍ରାରେ ପୂରଣ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା‌ ହେଉଛି ଯେ ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଦୂର ହୋଇଛି। ଏବେ ଯେଉଁ ସ୍ଥିତି ରହିଛି ମରୁଡ଼ି ହେବାର ସମ୍ଭାବନା କ୍ଷୀଣ। ଆସନ୍ତା ସପ୍ତାହ‌କରେ ଯେତିକି ବର୍ଷା ହେବ ତାହା ଧାନ ସମେତ ଅନ୍ୟ ଚାଷ ପାଇଁ ନିଅଣ୍ଟିଆ ହେବନି। ଅଗଷ୍ଟ ପ୍ରଥମ ସପ୍ତାହ‌ରେ ହିଁ ଧାନ ତଳି ରୁଆ ସମୟ। ତେଣୁ ଚାଷୀଙ୍କ ଲାଗି ସମସ୍ୟା ରହିବନି। ଏହି ସପ୍ତାହ ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୯୦ରୁ ୧୦୦ ମିମି ହେବ। ତେଣୁ ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର