ରାଉରକେଲା ପୁଲିସକୁ ବଡ଼ ସଫଳତା: ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ଜିତେନ୍ ସହ ୨ ଗିରଫ

ଦୁଇ ପିସ୍ତଲ, ଜୀବନ ଗୁଳି ଜବତ

ରାଉରକେଲା: ରାଉରକେଲା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଅଞ୍ଚଳରୁ ପିପୁଲ୍‌ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ଏରିଆ କମାଣ୍ଡର ନେଲ୍‌ସନ ଗୁଡିଆ ସହ ତା’ର ଜଣେ ଘନିଷ୍ଠ ସହଯୋଗୀକୁ ପୁଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ପୁଲିସ ଦୁଇଟି ପିସ୍ତଲ, କିଛି ଜୀବନ୍ତ ଗୁଳି ଜବତ କରିଛି। ଏହି ଦୁଇ ଦୁର୍ଦ୍ଦାନ୍ତ ପିଏଲ୍‌ଏଫ୍‌ଆଇ ସଦସ୍ୟ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା, ଜରେଇକେଲା, ଭାଲୁଲତା, ଅଜୟକେଳା, ତୁଳସୀକାନି, ଝାରବେଡା, ମନ୍‌କୋ ଆଦି ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ। ଏମାନଙ୍କ ନାଁରେ ଦାଦାବଟି ଆଦାୟ, ହତ୍ୟା ଉଦ୍ୟମ ଭଳି ଅନେକ ଜଘନ୍ୟ ମାମଲା ରହିଛି। ନେଲ୍‌ସନର ଗତିବଧି ସଂକ୍ରାନ୍ତରେ ଖବର ପାଇ ରାଉରକେଲା ପୁଲିସର ଓ ସିଆର୍‌ପିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ବିଶ୍ରା ଅଞ୍ଚଳରେ ଚଢ଼ଉ କରିଥିଲେ।

ସୂଚନା ମୁତାବକ, ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ରାସ୍ତା କାମ ଚାଲିଥିଲା। କାମ କରୁଥିବା ଠିକାଦାରଙ୍କୁ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ନେଲ୍‌ସନ୍‌ ଏକ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲା। ଠିକାଦାର ୧୦ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ୯୦ ହଜାର ଟଙ୍କା ଦ୍ବିତୀୟ କିସ୍ତିରେ ଦେବାକୁ ନେଲ୍‌ସନକୁ କହିଥିଲେ। କିନ୍ତୁ ଟଙ୍କା ଦେବାରେ ବିଳମ୍ବ କରିବାକୁ ନେଲ୍‌ସନ ଠିକାଦାରଙ୍କୁ ପୁଣି ଧମକ ଚମକ ଦେଇଥିଲା। ଠିକାଦାର ଜଣକ ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଆଧାରରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍‌ ଗଠନ ହୋଇଥିଲା। ସେମାନଙ୍କୁ ସହାୟତା କରିଥିଲେ ସିଆର୍‌ପିଏଫ୍‌ ଯବାନ। ଗତ ୧୪ ତାରିଖ ସଂଧ୍ୟାରେ ଠିକାଦାରଙ୍କ କର୍ମଚାରୀ ୯୦ ହଜାର ଟଙ୍କା ଦେବାକୁ ନେଲ୍‌ସନ୍‌ ଓ ତା’ର ସହଯୋଗୀଙ୍କୁ ରାସ୍ତା କାମ ଚାଲିଥିବା ସ୍ଥାନକୁ ଡାକିଥିଲେ।

ଦୁହେଁ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ପୂର୍ବରୁ ସେଠାରେ ଲୁଚି ରହିଥିବା ସାଧାପୋଷାକ ଧାରୀ ଜିଲ୍ଲା ପୁଲିସ ଓ ସିଆର୍‌ପିଏଫ୍‌ ଜବାନମାନେ ନେଲ୍‌ସନ ଓ ତା’ର ସହଯୋଗୀକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନ ପୁଣି ସକ୍ରିୟ ହୋଇ ଉଠିଛି। ପିଏଲ୍‌ଏଫ୍ଆଇ ନେତା ସମରଜୀର ଘନିଷ୍ଠ ସହଯୋଗୀ ନେଲ୍‌ସନ୍‌ ସଙ୍ଗଠନକୁ ସୁଦୃଢ଼ କରିବାକୁ ସୀମାନ୍ତରେ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ କ୍ୟାମ୍ପ କରୁଥିଲା। ନେଲ୍‌ସନ୍‌ ସହଯୋଗୀମାନଙ୍କ ସହିତ ମୋଟରବାଇକ୍‌ରେ ସୀମାନ୍ତ ଗାଁଗୁଡ଼ିକରେ ବୁଲା ବୁଲି କରୁଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନେଲ୍‌ସନ୍‌ କିଛି ବର୍ଷ ତଳେ ଝାଡ଼ଖଣ୍ଡ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। କିଛି ମାସ ରହିବା ପରେ ଜେଲରୁ ବାହାରିଥିଲା। ଜେଲ୍‌ରୁ ବାହାରିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନକୁ ସକ୍ରିୟ କରିବାକୁ ନିଜ ସହଯୋଗୀ ସଦସ୍ୟମାନଙ୍କୁ ଧରି ଠିକାଦାର, ବ୍ୟବସାୟୀ, ଶିଳ୍ପପତିଙ୍କ ଠାରୁ ଦାଦାବଟି ଆଦାୟ କରୁଥିଲା। ଗିରଫ ନେଲ୍‌ସନ୍‌ ଓ ତା’ସହଯୋଗୀର ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ଖୋଳତାଡ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର