ପାଣି ପାଇଁ ଘଣ୍ଟାଏ ରାସ୍ତାରୋକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ତାଳିଆମ୍ବା ସାହିରେ ପାନୀୟ ଜଳ ସମସ୍ୟା ନେଇ ବହୁ ବାର ପ୍ରଶାସନ ଓ ଲୋକ ପ୍ରତିନିଧି ନିକଟରେ ଦାବି କରି ଆସୁଥିବା ବେଳେ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଶେଷରେ ଶୁକ୍ରବାର ଝରିଗାଁ ଥାନା ନିକଟରେ ଝରିଗାଁ-ଉମରକୋଟ ରାସ୍ତାରେ ମହିଳା ମାନେ ହାଣ୍ଡି ରଖି ରାସ୍ତା ଅବରୋଧ କରିଥିଲେ।ଶେଷରେ ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ସୂଚନା ପ୍ରକରେ ଝରିଗାଁ ବ୍ଳକରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ବସୁଧା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଆରମ୍ଭ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ଝରିଗାଁ ସଦର ମହକୁମା ଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି।

ବର୍ତ୍ତମାନ ଖରାକୁ ଦୃଷ୍ଟିରେ ରଖି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଦ୍ବାରା ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ହେଉଛି। ତେବେ ଦିନ ଛାଡି ଦିନେ ପାଣି ଛାଡୁଥିବା ବେଳେ ଅଳ୍ପ ସମୟ ପାଣି ଛାଡ଼ୁଛନ୍ତି। ଫଳରେ ତାଳିଆମ୍ବା ସାହିର ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ପ୍ରତିବାଦ କରି ଆଜି ସନ୍ଧ୍ୟାରେ ତାଳିଆମ୍ବା ସାହିର ମହିଳାମାନେ ଝରିଗାଁ ଥାନା ନିକଟରେ ଝରିଗାଁ-ଉମରକୋଟ ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ଆସନ୍ତା କାଲି ଠାରୁ ତାଳିଆମ୍ବା ସାହିରେ ପାନୀୟ ଜଳ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ରାସ୍ତାରୁ ହଟି ଥିଲେ। ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡି ଅଟକି ଯାଇଥିଲା।ସେହିପରି ପାଣି ଛାଡିବା ପାଇଁ ଜଣେ ମାତ୍ର କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ବେତନ ମାତ୍ର ଦୁଇ ହଜାର ଟଙ୍କା। ଅଧିକ ବେତନ ଦେବା ସହ କର୍ମଚାରୀ ବୃଦ୍ଧି କଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହଉଛି।

ସମ୍ବନ୍ଧିତ ଖବର