ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ଚରମବାଣୀ: ଅବଢ଼ା ନ ରାନ୍ଧିବାକୁ ଧମକ

ଅସହ୍ୟ ହେଲାଣି ଶ୍ରୀମନ୍ଦିର ପ୍ରଶାସନ ଅସହଯୋଗ: ସଂପାଦକ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଲାଣି। ଅଣସେବକ ପଶି ଖିରି, ରାବିଡ଼ି ଆଦି ବିକିଲେଣି। ଟଙ୍କ ତୋରାଣି ବିକ୍ରି ନିଷେଧ ଥିଲେ ବି ଆନନ୍ଦବଜାରରେ ବିକ୍ରି ହେଉଛି। ସେପଟେ ଶ୍ରୀମନ୍ଦିର ରୋଷଘରକୁ ନା ଆବଶ୍ୟକ କାଠ ମିଳୁଛି, ନା ରୋଷ ସାମଗ୍ରୀ ରଖିବା ଗୃହର ମରାମତି କରାଯାଉଛି। ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ଶୂନ୍‌। ଅସହ୍ୟ ହେଲାଣି ଶ୍ରୀମନ୍ଦିର ପ୍ରଶାସନର ଅସହଯୋଗ। ଯଦି ଏହିପରି ଲାଗିରହେ, ଅବଢ଼ା ରାନ୍ଧିବା ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ଚରମବାଣୀ ଶୁଣାଇଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ।

ଏବେ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ହବିଷ୍ୟାଳିଙ୍କ ସହ କାର୍ତ୍ତିକରେ ନିରାମିଷ ପାଳୁଥିବା ଲୋକେ ବି ମହାପ୍ରସାଦ ନେବାକୁ ଭିଡ଼ ଲଗାଉଛନ୍ତି। କିନ୍ତୁ ଆନନ୍ଦବଜାରକୁ ଠିକ୍‌ରେ ଯାଇ ପାରୁନଥିବାରୁ ଦଣ୍ଡିଆଙ୍କ ଶୋଷଣର ଶିକାର ହେଉଛନ୍ତି ଭକ୍ତ। ସେପଟେ ଆନନ୍ଦବଜାରରେ ଅଣସେବକ ଜାଗା ଦଖଲ କରିବାରୁ ଭକ୍ତମାନେ ମହାପ୍ରସାଦ କିଣିବା ବେଳେ କଲବଲ ହେଉଛନ୍ତି। ଏମାନେ ବହୁଗୁଣା ଦରରେ ମହାପ୍ରସାଦ ବିକ୍ରି କରି ଭକ୍ତଙ୍କୁ ଲୁଟୁଛନ୍ତି। ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ନିଯୋଗ ଶତଚେଷ୍ଟା କଲେ ବି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ସହଯୋଗ ମିଳୁନି। ଭକ୍ତମାନେ ଯେଉଁ ମହାପ୍ରସାଦ ନେଉଛନ୍ତି, ସେ ବାବଦକୁ ଆମେ ଟିକସ ଦେଉଛୁ। ଶ୍ରୀମନ୍ଦିର ପ୍ରଶାସନ ଏ ବାବଦକୁ ଆମଠାରୁ ପ୍ରାୟ ୩୦ଲକ୍ଷ ଟଙ୍କା ମହାସୁଲ ନେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ରୋଷ ସାମଗ୍ରୀ ରଖିବା ଗୃହର ମରାମତି କରାଯାଉନି। ପୂର୍ବରୁ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ବନ ବିଭାଗର ଏକ କାଠ ଡିପୋ ରହିଥିଲା। ଏହାକୁ ଭାଙ୍ଗି ଦିଆଯିବା ପରେ ସହର ବାହାରୁ କାଠ ଆଣିବାକୁ ପଡ଼ୁଛି।

ଅସହ୍ୟ ହେଲାଣି ଶ୍ରୀମନ୍ଦିର ପ୍ରଶାସନ ଅସହଯୋଗ: ସଂପାଦକ
ଟଙ୍କ ତୋରାଣି, ଖିରି, ରାବିଡ଼ି ବି ବିକ୍ରି ହେଲାଣି

ଶ୍ରୀ ମହାସୁଆର ଆହୁରି କହିଛନ୍ତି ଯେ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହେଲା, ଅବଢ଼ା ପ୍ରସ୍ତୁତି ସମୟରେ ରୋଷଘର ଦର୍ଶନ ବନ୍ଦ ରହିବ। କୌଣସି ଭକ୍ତଙ୍କୁ ରୋଷ ଘର ଭିତରକୁ ଛଡ଼ାଯିବନି। କିନ୍ତୁ ଏବେ ବି ରୋଷେଇ ବେଳେ ଭକ୍ତ ପଶୁଛନ୍ତି, ଯଦ୍ବାରା ରୋଷେଇ ସାମଗ୍ରୀ ମାରା ହେଉଛି। ଏଥିପାଇଁ ପ୍ରତିଦିନ ବିଶୃଙ୍ଖଳା, ଗଣ୍ଡଗୋଳ ଉପୁଜୁଛି। ପୂର୍ବରୁ ଆନନ୍ଦବଜାରରେ ଜେଟିପି, ସହାୟକ, ପୁଲିସ ଆଦି ବିଶୃଙ୍ଖଳା ରୋକିବାକୁ ରହୁଥିଲେ। ଏବେ କାହାରିକୁ ଦେଖିବାକୁ ମିଳୁନି। ସୁପରଭାଇଜରଙ୍କୁ କହିଲେ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଦେଉନଥିବାରୁ ସେ ଅସହାୟ କହି ହାତ ଟେକି ଦେଉଛନ୍ତି। ଶୃଙ୍ଖଳା ଆଣିବା ପାଇଁ ୬ଜଣ ସେବକଙ୍କୁ ନେଇ ଏକ କମିଟି ଗଠନର ପ୍ରସ୍ତାବ ଦେଲୁ। ତାହା ବି କାର୍ଯ୍ୟକାରୀ ହୋଇପାରିଲାନି। ଥରେ ନୁହେଁ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଆନନ୍ଦବଜାର, ରୋଷଘର ସମସ୍ୟା ସମ୍ପର୍କରେ କହି ଆସୁଛୁ। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନି। ଯଦି ସହଯୋଗ ନ ମିଳେ, ନିଯୋଗର ୧୨ଶହ ସଦସ୍ୟ ଅବଢ଼ା ରାନ୍ଧିବେନି କି ଚୁଲି ଲଗାଇବେନି ବୋଲି କହିଛନ୍ତି। ଆସନ୍ତା ନଭେମ୍ବର ୨୦ ତାରିଖରେ ନିଯୋଗର ବୈଠକ ଡକାଯାଇଛି ବୋଲି ଶ୍ରୀ ମହାସୁଆର କହିଛନ୍ତି।

ସମ୍ବନ୍ଧିତ ଖବର