ବିମାନ ସମୟକୁ ନେଇ ବିବାଦ: ରାଉରକେଲା-କୋଲକାତା ଉଡ଼ାଣ, ସନ୍ଧ୍ୟା ପୂର୍ବରୁ ଉଡ଼ାଣ ପାଇଁ ଯୁକ୍ତି

ରାଉରକେଲା: ନଭେମ୍ବର ୧ରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ ହେବ। ତେବେ ଏହାର ସମୟକୁ ନେଇ ଆରମ୍ଭରୁ ବିବାଦ ଦେଖାଗଲାଣି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଜାରି ବିମାନ ସୂଚୀ ଅନୁସାରେ, ଏହି ବିମାନ ଭୁବନେଶ୍ବରରୁ ବାହାରି ସଂଧ୍ୟା ୪.୪୦ ମିନିଟ୍‌ରେ ପହଞ୍ଚିବ। ରାଉରକେଲା ବିମାନବନ୍ଦରରେ ୨୫ ମିନିଟ୍‌ର ରହଣି ପରେ ସନ୍ଧ୍ୟା ୫ଟା ୫ ମିନିଟରେ ଭୁବନେଶ୍ବର ଦେଇ କୋଲକାତାକୁ ଯିବ। ସଂପ୍ରତି ଶୀତ ଋତୁ ଚାଲିଥିବାରୁ ୫ଟାରୁ ସନ୍ଧ୍ୟା ହୋଇଯାଉଛି। ଏହି କାରଣରୁ ଭିଜିବିଲିଟି ସମସ୍ୟା ଉପୁଜିବା ଆଶଙ୍କା ସର୍ବାଧିକ। ଅପରପକ୍ଷରେ ରାଉରକେଲା ବିମାନବନ୍ଦରରେ ଇନଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲ୍‌ଏସ୍‌) ବ୍ୟବସ୍ଥା ହୋଇପାରି ନଥିବାରୁ ପ୍ରତ୍ୟହ ରାଉରକେଲା-କୋଲକାତା ବିମାନ ଉଡ଼ାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଉରକେଲା ବିମାନବନ୍ଦରରେ ଆଇଏଲ୍‌ଏସ୍‌ର ଅଭାବ ହିଁ ଶତପ୍ରତିଶତ ରାଉରକେଲା-କୋଲକାତା ବିମାନ ସେବା ପାଇଁ ବାଧକ ସାଜିବ। ଏଠାକାର ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଏଠାରେ ଆଇଏଲ୍‌ଏସ୍‌ ସ୍ଥାପନ ନିତାନ୍ତ ଆବଶ୍ୟକ ହେଲାଣି। ଏ କ୍ଷେତ୍ରରେ ଏଏଆଇ ଅବହେଳା କରୁଛି। ଗତ ମାର୍ଚ୍ଚ ୨୫ ତାରିଖରେ ବିମାନବନ୍ଦରର ସତ୍ତ୍ବାଧିକାରୀ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ଆଇଏଲ୍‌ଏସ୍‌ ସ୍ଥାପନ ସମେତ ବିଭିନ୍ନ ପ୍ରସଙ୍ଗରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗତ ଜୁଲାଇ ୪ ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଚିଠି ଲେଖି ସମାନ ଦାବି ଦୋହରାଇଥିଲେ। ଏହାବ୍ୟତୀତ ଆଇଏଲ୍‌ଏସ୍‌ ସ୍ଥାପନ ପାଇଁ ଯଥାଶୀଘ୍ର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି ସମେତ ଜମି ଆବଶ୍ୟକତା, ପ୍ରସ୍ତାବିତ ଲ୍ୟାଣ୍ଡିଂ ଓ ସହାୟତା ସମ୍ପର୍କିତ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା, କ୍ୟାଟେଗୋରି-୧ ଆଇଏଲ୍ଏସ୍ ରାତ୍ରି ଅବତରଣ ସୁବିଧା, ପ୍ରକଳ୍ପର ବ୍ୟୟ ଅଟକଳ ଦାଖଲ କରିବାକୁ ଅନୁରୋଧ କରିଥିଲେ। ତେବେ ପ୍ରମୁଖ ସଚିବଙ୍କ ଚିଠି ଲେଖିବାର ୪ମାସ ବିତିସାରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏଏଆଇର ବୈଷୟିକ ଟିମ୍‌ ରାଉରକେଲାରେ ପାଦ ଦେଇନାହାନ୍ତି। ଏଣୁ ନିର୍ଦ୍ଦିଷ୍ଟଭାବେ କେବେ ଏଏଆଇ ପ୍ରତିନିଧି ରାଉରକେଲାରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରି ଡିପିଆର୍‌ ପ୍ରସ୍ତୁତ କରିବେ, ତାହା ଅନିଶ୍ଚିତ ଭିତରେ। ଏସବୁ ସମସ୍ୟା ଯୋଗୁଁ ପ୍ରସ୍ତାବିତ ରାଉରକେଲା-କୋଲକାତା ବିମାନସେବାର ସମୟ ସନ୍ଧ୍ୟା ୫ଟା ପରିବର୍ତ୍ତେ ଆଗୁଆ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର