ଭାରତ ମ୍ୟାଚ୍‌ରେ ୧୭୮% ଅଧିକ ବିଜ୍ଞାପନ ସ୍ଲଟ୍‌: ଖାଦ୍ୟ, ପାନୀୟ ବିଜ୍ଞାପନ ଅଧିକ

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ପାଖରେ ନିଜ ବାର୍ତ୍ତା ପହଞ୍ଚାଇବାର ଏକ ବଳିଷ୍ଠ ମାଧ୍ୟମ ହେଉଛି କ୍ରିକେଟ୍‌ ଖେଳ। ବର୍ତ୍ତମାନ ଦେଶରେ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍ ଚାଲିଥିବା ବେଳେ ବିଜ୍ଞାପନ ଦେବା ଲାଗି କଂପାନିଗୁଡ଼ିକ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। କିନ୍ତୁ ଏଥର ସେଥିରେ ଏକ ଭିନ୍ନତା ଦେଖିବାକୁ ମିଳିଛି। ଅଧିକାଂଶ ବିଜ୍ଞାପନଦାତା ଭାରତ ମ୍ୟାଚ୍‌ଗୁଡ଼ିକରେ ବିଜ୍ଞାପନ ଦେବାକୁ ଚାହୁଛନ୍ତି। ସେଥିପାଇଁ ଅନ୍ୟ ଦେଶଗୁଡ଼ିକ ଖେଳୁଥିବା ମ୍ୟାଚ୍‌ ତୁଳନାରେ ଭାରତ ମ୍ୟାଚ୍‌ଗୁଡ଼ିକରେ ବିଜ୍ଞାପନ ସ୍ଲଟ୍‌ ପରିମାଣ ୧୭୮ ପ୍ରତିଶତ ଅଧିକ ରହୁଛି।

ଖାଦ୍ୟ ଓ ପାନୀୟ କଂପାନିଗୁଡ଼ିକ ଅଧିକ ବିଜ୍ଞାପନ ଦେଉଥିବା ବେଳେ ସେମାନଙ୍କ ପଛକୁ ରହିଛନ୍ତି ଅନଲାଇପ୍ ସପିଙ୍ଗ ଆପ୍, ଓଟିଟି ପ୍ଲାଟଫର୍ମ ଓ ଫାଣ୍ଟାସି ଗେମ୍ ଆପ୍। ଏମ୍‌ଫ୍ଲିଟରଇଟ୍‌ ନାମକ ସଂସ୍ଥା ଏହି ତଥ୍ୟ ଜାରି କରିଛି। କଂପାନିର ରିପୋର୍ଟ ଅନୁସାରେ ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ତୁଳନାରେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ୧୪୯ ପ୍ରତିଶତ ଅଧିକ ବିଜ୍ଞାପନ ସ୍ଲଟ୍‌ ରହିଥିଲା। ଭାରତ-ପାକ୍ ମ୍ୟାଚ୍‌ରେ ବିଜ୍ଞାପନର ସବୁ ରେକର୍ଡ ଭାଙ୍ଗିଥିଲା। ସାଢ଼େ ତିନି କୋଟିରୁ ଅଧିକ ଲୋକ ସେହି ମ୍ୟାଚ୍‌କୁ ଦେଖିଥିବା ବେଳେ ଭାରତ-ନ୍ୟୁଜିଲ୍ୟାଣ୍ଡ୍‌ ମ୍ୟାଚ୍‌କୁ ତା’ଠାରୁ ଅଧିକ ଅର୍ଥାତ ୪.୩ କୋଟି ଲୋକ ଦେଖିଥିଲେ।

ଦିନିକିଆ କ୍ରିକେଟ୍ ବିଶ୍ବକପ୍ ମ୍ୟାଚ୍‌ଗୁଡ଼ିକରେ ଖାଦ୍ୟ ଓ ପାନୀୟ ବିଜ୍ଞାପନର ଭାଗ ଏକ ତୃତୀୟାଂଶ ରହିଥିବା ବେଳେ ଗାଡ଼ି, ଆସେସୋରି, ବ୍ୟାଙ୍କ, ଆର୍ଥିକ ସେବା, ନିବେଶ, ପର୍ସନାଲ କେୟାର ଓ ସ୍ବଚ୍ଛତା, ନିର୍ମାଣ ଉପକରଣ ଓ କଞ୍ଜ୍ୟୁମର ଡ୍ୟୁରେବଲ କଂପାନିଗୁଡ଼ିକର ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳୁଛି। ବିଶ୍ବକପରେ ଖେଳ ଯେତିକି ଆଗକୁ ବଢ଼ୁଛି, ବିଜ୍ଞାପନରେ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେଉଛି। ଦର୍ଶକଙ୍କ ସଂଖ୍ୟା ବଢ଼ିଥିବାରୁ ଅଧିକରୁ ଅଧିକ କଂପାନି ନିଜର ବିଜ୍ଞାପନ ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ବିଜ୍ଞାପନ ସ୍ଲଟ୍‌ ସଂଖ୍ୟା ବଢ଼ାଇବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର