ପୁସ୍ତକ ସମ୍ବନ୍ଧୀୟ ବିଷୟରେ ଦ୍ବନ୍ଦ୍ବ ରହିଲେ ସ୍ମାର୍ଟବୋର୍ଡର ସାହାଯ୍ୟ ନେଉଥିଲେ ସୌମ୍ୟ, ଆଣିଲେ ୯୦% ନମ୍ବର

କଟକ: କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଶିକ୍ଷାର୍ଥୀ ପାଇଁ ଅଧବସାୟ ଯେତିକି ଜରୁରୀ ଶୈକ୍ଷିକ ପରିବେଶ ମଧ୍ୟସେତିକି ଜରୁରୀ। ତେବେ ଯାଇ ପିଲାଟି ନିଜେ ହିଁ ନିଜର ଭାଗ୍ୟ ନିର୍ଣ୍ଣୟ କରିପାରିବ। ତେବେ ନିଜର କଠିନ ଅଧବସାୟ ମାଧ୍ୟମରେ ନିଜ ଅଞ୍ଚଳରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କଟକ ଜିଲ୍ଲା ବି. ଏନ ବିଦ୍ୟାପୀଠର ଛାତ୍ର ସୌମ୍ୟରଞ୍ଜନ ପଣ୍ଡା।

ସୌମ୍ୟରଞ୍ଜନ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୦ ନମ୍ବର ରଖି ଏ୧ ଗ୍ରେଡ୍ ଆଣିଛନ୍ତି। ଭବିଷ୍ୟତରେ ଡ଼ାକ୍ତର ହେବା ପାଇଁ ଆଶା ରଖିଥିବା ସୌମ୍ୟରଞ୍ଜନ ଦିନକୁ ପ୍ରାୟ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କୁ ବିଦ୍ୟାଳୟ ରୂପାନ୍ତରଣ ପଥ କଢ଼ାଇଥିଲା। ବିଦ୍ୟାଳୟରେ ଥିବା ଇ-ପାଠାଗାର ଏବଂ ବିଜ୍ଞାନ ପ୍ରୟୋଗଶାଳା ପାଠ ପଢ଼ିବାରେ ଅନେକ ସାହାଯ୍ୟ କରିଥିଲା । ପୁସ୍ତକ ସମ୍ବନ୍ଧୀୟ ବିଷୟରେ କୌଣସି ଦ୍ଵନ୍ଦ ରହିଲେ ତାହାକୁ ସ୍ମାର୍ଟ୍ ବୋର୍ଡ ମାଧ୍ୟମରେ ଅତି ସରଳ ଏବଂ ସହଜ ଭାବରେ ବୁଝିବାରେ ସହାୟକ ହେଉଥିଲା। ସେ ଏହା ମଧ୍ୟ କହିଛନ୍ତି ଆଗରୁ ବିଜ୍ଞାନାଗାରରେ ଆବଶ୍ୟକୀୟ ଉପକରଣ ନଥିବାରୁ ବିଜ୍ଞାନକୁ ଭଲଭାବରେ ବୁଝିପାରୁନଥିଲୁ କିନ୍ତୁ ନୂତନ ବିଜ୍ଞାନାଗାର ହେବା ପରେ ଜ୍ଞାନ ଓ ବିଜ୍ଞାନକୁ ବୁଝିବା ସହ ଅନେକ ନୂତନ କୌଶଳ ମଧ୍ୟ ଶିଖିପାରିଛୁ। ପିତା ସନ୍ତୋଷ କୁମାର ପଣ୍ଡା ଜଣେ ସାଧାରଣ ଏଲ.ଆଇ.ସି ଏଜେଣ୍ଟ ହୋଇଥିବା ବେଳେ ମାତା ବୀଣାପାଣି ପଣ୍ଡା ଜଣେ ସୁଗୃହିଣୀ। ପିତାମାତାଙ୍କ କହିବାନୁଯାୟୀ ସୌମ୍ୟରଞ୍ଜନଙ୍କ ନିଷ୍ଠା ଓ ଏକାଗ୍ରତା ତାଙ୍କୁ ଏହି ସଫଳତା ଆଣି ଦେଇଥିଛି। ୫-ଟି ରୂପାନ୍ତରଣ ତାଙ୍କ ପରି ଅନେକ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀମାନଙ୍କ ପାଇଁ ପଥପ୍ରଦର୍ଶକ ସାଜିଛି।

ସମ୍ବନ୍ଧିତ ଖବର