ସରକାରଙ୍କ ଧାନ ଚିନ୍ତା, ଚାଷୀଙ୍କ ବଳକା ଧାନ କିଣିବେ ସରକାର

ଭୁବନେଶ୍ୱର: ଧାନ ବିକ୍ରିକୁ ନେଇ ଚାରିଆଡେ ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ ଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ସମସ୍ତ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ପଞ୍ଜିକୃତ ଚାଷୀଙ୍କଠାରୁ ଘୋଷିତ ଅମଳ ହାର ଅନୁସାରେ ସମସ୍ତ ବଳକା ଧାନ କିଣାଯିବା ନେଇ ବିଜ୍ଞାପନ ଜରିଆରେ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଧାର୍ଯ୍ୟ ତାରିଖରେ ମଣ୍ଡିକୁ ଧାନ ନଆଣିପାରିଲେ ମଧ୍ୟ ଅନ୍ୟ ଦିନ ଧାନ ବିକି ପାରିବେ ଚାଷୀ । ଧାନ ସଂଗ୍ରହକୁ ସ୍ୱଚ୍ଛକରିବା ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏମିତି କି ଧାନ ବିକ୍ରି ବେଳେ କୌଣସି ସମସ୍ୟା ହେଉଥିଲେ ନିଃଶୁକ୍ଳ ହେଲ୍ପଲାଇନ୍ ନମ୍ବର-୧୯୬୭ ଜାରି କରାଯାଇଛି ।

ଅନ୍ୟପଟେ ଦକ୍ଷିଣ ଓଡିଶାରୁ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଧାନର ଚୋରା ଚାଲାଣ ବୃଦ୍ଧି ପାଇଛି । ଏହା ସହ ଓଡିଶା ତୁଳନାରେ ପଡୋଶୀ ଆନ୍ଧ୍ର ଓ ଛତିଶଗଡ ରାଜ୍ୟରେ ଧାନର ସହାୟକ ମୂଲ୍ୟ ଅଧିକ ରହିଛି । ଏହାର ଫାଇଦା ନେଇ ଦଲାଲମାନେ ଚାଷୀଙ୍କୁ ପ୍ରଲୋଭିତ କରୁଛନ୍ତି । ସେମାନେ ଚାଷୀଙ୍କଠାରୁ ଧାନ କିଣି ପଡୋଶୀ ରାଜ୍ୟରେ ବିକ୍ରି କରି ଲାଭବାନ ହେଉଛନ୍ତି ।

ଏହି ଢଙ୍ଗରେ ଚୋରାଚାଲାଣ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ଯୋଗାଣ ବିଭାଗ ନବରଙ୍ଗପୁର ସହର ମାଝୀଗୁଡାଠାରେ ଦୁଇଟି ଧାନ ବୋଝେଇ ଟ୍ରକକୁ ଜବତ କରିଛି । ଉମରକୋଟ ବ୍ଲକ ଜାମରୁଣ୍ଡାରୁ ଆନ୍ଧ୍ର ପ୍ରଦେଶର ପେଦାପୁରମ୍ ଯାଉଥିବା ଜଣାପଡିଛି । ଦୁଇଟି ଟ୍ରକରେ ମୋଟ ୧୧୪୦ ବସ୍ତାରେ ୫୪୮ କ୍ୱିଂଟାଲ ଧାନ ରହିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତଦନ୍ତରୁ ଏହି ଧାନ ଜାମରଣ୍ଡା ପଂଚାୟତ ୟୁଭି-୧୪ର ସରକାରୀ ଟ୍ରେଡର୍ସ ନାମକ ଏକ ଦୋକାନ ଜରିଆରେ କ୍ୱିଟାଲ ପିଛା ୧୬୧୪ ଟଙ୍କା ହାରରେ କିଣାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର