ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ!
ବେତନଟି: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ଗାଁସ୍ଥିତ ଗୋପବନ୍ଧୁ ଶିକ୍ଷା ନିକେତନର ଜଣେ ଦଶମ ଶ୍ରେଣୀ ଛାତ୍ର ବିଜୟ ନାୟକଙ୍କର ଟ୍ରେନ୍ ଧକ୍କାରେ ମୃତ୍ୟୁ ଘଟିଛି। ତାଙ୍କ ଘର କୁଳିଅଣା ଥାନାର ଖଣ୍ଡିଆ ଗାଁରେ ବୋଲି ଜଣାଯାଇଛି। ବିଜୟ ରମେଶ ଚନ୍ଦ୍ର ନାୟକଙ୍କ ପୁଅ ବୋଲି ବି ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜୟ ଆଜି ଭୋର ପ୍ରାୟ ୪ଟା ବେଳେ କାହାରିକୁ କିଛି ନଜଣାଇ ସ୍କୁଲ ହଷ୍ଟେଲ ବାହାରକୁ ଯାଇଥିବା ସନ୍ଦେହ କରାଯାଉଛି। ହଷ୍ଟେଲ ଗେଟରେ ତାଲା ପଡ଼ିଥିଲା। ବିଜୟ ଅନ୍ୟ ବାଟ ଦେଇ ବାହାରକୁ ବାହାରି ସେଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ରେଲଲାଇନକୁ ଯାଇଥିଲେ । ସେହି ସମୟରେ ସେହି ବାଟଦେଇ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ ଯାଉଥିଲା। ଛାତ୍ର ବିଜୟଙ୍କର ଉକ୍ତ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ସକାଳେ ଟ୍ରେନ୍ ଲାଇନ୍ ପାର୍ଶ୍ୱରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍କୁଲର ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ବିଜୟଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ,କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।ଏବେ ରେଳବାଇ ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।