ଯୁବ ଚାଷୀଙ୍କ ଆତ୍ମହତ୍ୟା

ଧନକଉଡ଼ା : ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତର ଗୁଣ୍ଡେରପୁର ଗ୍ରାମର ଯୁବ ଚାଷୀ ଯୋଗେଶ ରୋହିଦାସ ଆତ୍ମହତ୍ୟା କରିଛନ୍ତି। ସେ ମଙ୍ଗଳବାର ଦିନ ବିଷ ପାନ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଯୋଗେଶ ଚଳିତ ବର୍ଷ ପ୍ରାୟ ୪ ଏକର ଜମିରେ ଧାନ ଫସଲ କରଥିଲେ। ମହାନଦୀରେ ଆସିଥିବା ବନ୍ୟା ପାଣିରେ ତାଙ୍କର ଦେଢ଼ ଏକର ଜମିର ଧାନ ଫସଲ ବୁଡ଼ିଯାଇଥିଲା। ଫଳରେ ତାହା ନଷ୍ଟ ହୋଇଯାଇଛି। ଏପଟେ ସେ କରଜକରି ଚାଷ କରିଥିଲେ। ଫସଲ ନଷ୍ଟ ହେବା ଫଳରେ ତାଙ୍କ ମାନସିକ ଅବସାଦ ମଧ୍ୟରେ ଥିଲେ। ତେବେ, ଅଚାନକ ଗତ ମଙ୍ଗଳବାର ଦିନ ବିଷପାନ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ୬ ମାସ ତଳେ ତାଙ୍କ ବାପା ଦୁଃଖୁ ରୋହିଦାସଙ୍କ ପରଲୋକ ହୋଇଥିଲା। ଦୁଃଖୁ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଚିକିତ୍ସା ପାଇଁ ସେତେବେଳେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲା। ବାପାଙ୍କ ଚିକିତ୍ସା ପାଇଁ ଯୋଗେଶଙ୍କୁ ଧାରକରଜ ବି କରିବାକୁ ପଡ଼ିଥିଲା। ତେଣୁ, ସେ ମାନସିକ ଚାପରେ ବି ଥିଲେ। ଏପଟେ ପାରିବାରିକ କଳହ ଯୋଗୁ ୩ ମାସ ତଳେ ତାଙ୍କ ପତ୍ନୀ ଘରଛାଡ଼ି ତାଙ୍କ ବାପଘର ସରଣ୍ଡାକୁ ଚାଲିଯାଇଥିଲେ। ତାଙ୍କର ବିଷପାନ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଫସଲ କ୍ଷତି ଯୋଗୁ ସେ ଏଭଳି ପଦକ୍ଷେପ ନେଇଥିବା କହାଯାଉଛି। ଏବେ ତାଙ୍କ ଘରେ ବିଧବା ମା’, ଦୁଇ ଅବିବାହିତ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ତାଙ୍କର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଚାଷୀନେତାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର