ଜାଲ୍‌ ସାର୍ଟିଫିକେଟ ମାମଲାରେ ଅଟକ ଶିକ୍ଷୟିତ୍ରୀ ଗିରଫ, ଅନ୍ୟ ୩ ସନ୍ଦିଗ୍ଧ ଶିକ୍ଷକ ଫେରାର୍‌

ପୂର୍ବରୁ ଯାଞ୍ଚ ବେଳେ କେମିତ ଜଣା ପଡ଼ିନଥିଲା?

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଅଟକ ଥିବା ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ ରଣ୍ଡା ଉନ୍ନୀତ ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଗିରଫ ହୋଇଛନ୍ତି। ଗୁରୁବାର ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଦାଖଲ କରିଥିବା ଯୁକ୍ତଦୁଇ ଓ ହିନ୍ଦୀ ସାର୍ଟିଫିକେଟ ଉଭୟ ୨୦୦୧ ମସିହାର ହୋଇଥିବାରୁ ଯାଞ୍ଚ ବେଳେ ସଂଦେହ ସୃଷ୍ଟି ହୋଇଥିଲା। ଏହା ଜାଲ୍‌ ହୋଇଥା‌ଇପାରେ ବୋଲି ଅନୁମାନ କରି ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପୁଲିସରେ ଏତଲା ଦେଇଥିଲେ। ପୁଲିସ ଏହି ଏତଲାକୁ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ବୁଧବାର ଉଠାଇ ଆଣିଥିଲା। ବୁଧବାର ବଲାଙ୍ଗୀର ପୁଲିସର ଏକ ସ୍ବତନ୍ତ୍ର ଦଳ ଜିଲ୍ଲାର ପୁଇନ୍ତଳା, ବେଲପଡ଼ା, ବଙ୍ଗୋମୁଣ୍ଡା ଅଞ୍ଚଳର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଶିକ୍ଷୟିତ୍ରୀଙ୍କୁ ପୁଲିସ ଧରିଥିବା ବେଳେ ଅନ୍ୟ ୩ ଜଣ କୁଆଡ଼େ ଫେରାର ହୋଇଯାଇଥିବା ପୁଲିସ କହିଛି। ଉକ୍ତ ୩ ଶିକ୍ଷକ ନିଜେ ଫେରାର ହୋଇଗଲେ ନା ସେମାନଙ୍କୁ ଫେରାର କରି ଦିଆଗଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜାଲ୍‌ ସାର୍ଟିଫିକେଟର ହବ୍‌ ପାଲଟିଯାଇଛି। ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍‌ ସାର୍ଟିଫିକେଟଧାରୀ ସରକାରୀ ଚୌକି ମାଡ଼ି ବସିଥିବା ଅଭିଯୋଗ ହେଉଛି। ଏମାନଙ୍କୁ ଧରିବାରେ ପ୍ରଶାସନ ମଧ୍ୟ ବିଫଳ ହେଉଛି। ବହୁ ଅଧିକାରୀ ସାର୍ଟିଫିକେଟ ଯାଞ୍ଚ ଦାୟିତ୍ବରେ ରହିଥିବା ଓ ସାର୍ଟିଫିକେଟ ଯାଞ୍ଚ କରିବା ପରେ କୌଣସି ତ୍ରୁଟି ନଥିବା ରିପୋର୍ଟ ଦେଲା ପରେ ପୁଣି କିଭଳି ଜାଲ୍‌ ସାର୍ଟିଫିକେଟ ପଦାକୁ ଆସୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର