ଗୁପ୍ତ ଟେଣ୍ଡର କେଳେଙ୍କାରୀ : ତଦନ୍ତ ପାଇଁ ସରକାରଙ୍କ ନିର୍ଦେଶ

ଯାଜପୁର : ଯାଜପୁରର ଚାରବାଟିଆ ଆର୍‌ଆଣ୍ଡ୍‌ବି ଡିଭିଜନ୍‌ ଅନ୍ତର୍ଗତ ବଡ଼ଚଣା ସବ୍‌ଡିଭିଜନ୍‌ ଗୁପ୍ତ ଟେଣ୍ଡର ଘଟଣାର ତଦନ୍ତ ପାଇଁ ଆଜି ବିଭାଗୀୟ ସଚିବ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ସଂପୃକ୍ତ ଠିକାଦାର, ଯନ୍ତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ବଡ଼ଚଣାର ଏହି ଗୁପ୍ତ ଟେଣ୍ଡର ଘଟଣାକୁ ନେଇ ‘ସମ୍ବାଦ’ରେ ଲଗାତାର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଆସୁଛି। ଏହି ଦୁର୍ନୀତି ଘଟଣାର ଗମ୍ଭୀରତା ଜଣାପଡ଼ିବା ପରେ ରାଜ୍ୟ ସରକାର ତନାଘନା ଆରମ୍ଭ କରିଛନ୍ତି। ଆଜି ରାଜ୍ୟ ସଚିବାଳୟଠାରେ ବିଭାଗୀୟ ସଚିବ ନଳୀନକାନ୍ତ ପ୍ରଧାନ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ସୁପରିଟେଣ୍ଡେଣ୍ଟ୍‌ ଇଂଜିନିୟରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହି ଗୁପ୍ତ ଟେଣ୍ଡର ଜରିଆରେ ହୋଇଥିବା କୋଟି କୋଟି ଟଙ୍କା କେଳେଙ୍କାରୀରେ ସଂପୃକ୍ତ ଥିବା ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯିବ। ତଦନ୍ତ ପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପାଇଁ ସଚିବ ଶ୍ରୀ ପ୍ରଧାନ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର