‘ବୃନ୍ଦାବତୀ ନିବାସ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ଶୀତ ପାଇଁ ସମସ୍ତ ହବିଷ୍ୟାଳୀଙ୍କୁ ମିଳିବ ଶାଲ୍‌

ପୁରୀ : କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭର୍ଚୁଆଲ ବୈଠକରେ ହବିଷ୍ୟାଳୀମାନଙ୍କ ପାଇଁ ପୁରୀ ନରେନ୍ଦ୍ର କୋଣରେ ପ୍ରାୟ ୩୯ କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ଭାବେ ନିର୍ମିତ ‘ବୃନ୍ଦାବତୀ ନିବାସ’ର ଲୋକାର୍ପଣ କରିଛନ୍ତି। ୨ହଜାର ଶଯ୍ୟାବିଶିଷ୍ଟ ଏହି କୋଠାର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ହବିଷ୍ୟାଳୀଙ୍କୁ ସ୍ବାଗତ ଜଣାଇବା ସହ ଶୀତ ଉପଲକ୍ଷେ ଗୋଟିଏ ଲେଖାଏଁ ଶାଲ୍‌ ଉପହାର ଦେବାକୁ ଘୋଷଣା କରିଛନ୍ତି। ମା’ମାନେ ଶାନ୍ତି ଓ ଆନନ୍ଦରେ ଚଳିତବର୍ଷ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେବାରେ ଯେପରି କୌଣସି ଅବହେଳା ନ ହୁଏ ସେଥିପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହବିଷ୍ୟାଳୀଙ୍କ ସୁବିଧାରେ ଯେପରି ଊଣା ନ ହୁଏ, ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡ଼ିଶାବାସୀଙ୍କ ଶୁଭ ମନାସିଛନ୍ତି।


ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩ଜଣ ହବିଷ୍ୟାଳୀ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଊର୍ମିଳା ପଟ୍ଟନାୟକ, ମୟୂରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡଲିମଣି ନାଇଡ଼ୁଙ୍କ ସହ ଭର୍ଚୁ୍ଆଲ ବୈଠକ ଜରିଆରେ କଥା ହୋଇ ସୁବିଧା ଅସୁବିଧା ବୁଝିଛନ୍ତି। ଏହି ଅବସରରେ ହବିଷ୍ୟାଳୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜଗନ୍ନାଥ କୋଟି ପରମାୟୁ ଦିଅନ୍ତୁ ବୋଲି ଶୁଭ ମନାସିଛନ୍ତି। ଆଜିର ଏହି ଲୋକାର୍ପଣ ଉତ୍ସବରେ ପୁରୀଠାରେ ଆୟୋଜିତ ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭାନେତ୍ରୀ ସ୍ବପ୍ନାରାଣୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ହବିଷ୍ୟାଳୀ କାର୍ତ୍ତିକ ବ୍ରତ ଯୋଜନାରେ ସାରା ରାଜ୍ୟରୁ ୨ହଜାର ୯୩୫ଜଣ ହବିଷ୍ୟାଳୀ ନାମ ପଞ୍ଜୀକରଣ କରିଥିବାବେଳେ ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ଜଣ, ମୋଚିସାହି କଲ୍ୟାଣ ମଣ୍ଡପଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ଜଣ ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର