କିଛି ନ ଜାଣି ମିଳିଯାଉଛି ନମ୍ବର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ଆସ୍ପିରେସନାଲ୍ ପାଠ୍ୟକ୍ରମ

କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶ ପାଇଁ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଆସ୍ପିରେସନାଲ୍ କମ୍ପୋନେଣ୍ଟ ପାଠ୍ୟକ୍ରମ ଏବେ ବିଚିତ୍ର ଢଙ୍ଗରେ ଚାଲିଛି। ଅନେକ ସ୍କୁଲର ଛାତ୍ରଛାତ୍ରୀ ଏ ସଂପର୍କରେ ଆଦୌ ଜାଣି ନାହାନ୍ତି। ଅନେକ ସ୍କୁଲରେ ବି ଏଯାଏ ଏସଂପର୍କିତ ପୁ୍ସ୍ତକ ମିଳିନାହିଁ। କିନ୍ତୁ ଛାତ୍ରଛାତ୍ରୀଙ୍କୁ ୱେଟେଜ୍ ଆଧାରରେ ନମ୍ବର ଚଢାଇ ଦିଆଯାଉଛି। ଏଭଳି ବ୍ୟବସ୍ଥା ସଂପୂର୍ଣ୍ଣ ପ୍ରହସନ ପାଲଟି ଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତଥ୍ୟ ଅନୁଯାୟୀ କେଉଁ ସ୍କୁଲ୍‌କୁ ହ୍ୟାଣ୍ଡ୍‌ବୁକ୍ ମିଳିନି ତ ଆଉ କେଉଁ ସ୍କୁଲ୍‌ରେ ଶିକ୍ଷକ ଅଭାବ ପାଇଁ କ୍ଲାସ୍ ହେଉନି। ଏପରିକି ଅନେକ ସ୍କୁଲ୍‌ରେ ଶିକ୍ଷକ ଥିଲେ ବି ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ନାହାନ୍ତି। ହାଇସ୍କୁଲରେ ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଆସ୍ପିରେସନାଲ୍ କମ୍ପୋନେଣ୍ଟ୍‌ ପାଠ୍ୟକ୍ରମ ଏହିଭଳି ଚାଲିଛି। ଛାତ୍ରଛାତ୍ରୀଙ୍କୁ ଆସ୍ପିରେସନାଲ୍ କମ୍ପୋନେଣ୍ଟ୍‌ ବିଷୟରେ ଆନୁଷ୍ଠାନିକ ଭାବେ ଅଭ୍ୟସ୍ତ କରାଯାଉ ନଥିଲେ ବି କାଗଜପତ୍ରରେ ସବୁ ଠିକ୍‌ଠାକ୍ ଚାଲିଛି ଆଉ ମାଟ୍ରିକ୍ ପରୀକ୍ଷାରେ ଏ ବିଷୟରୁ ଠିକ୍ ନମ୍ବର ଦିଆଯାଉଛି।

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ବ୍ୟକ୍ତିତ୍ବ ବିକାଶ ଆଭିମୁଖ୍ୟ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷରୁ ନୂଆ କରି ଆସ୍ପିରେସନାଲ୍ କମ୍ପୋନେଣ୍ଟ୍‌ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପାଠ୍ୟକ୍ରମ ଅନୁସାରେ, ପ୍ରତି ହାଇସ୍କୁଲ୍‌ର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ୪ଟି କ୍ଲବ୍ ଗଠନ ହୋଇଛି। ଭାଷା ସାହିତ୍ୟ ପ୍ରତି ଆଗ୍ରହ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ସାହିତ୍ୟ ସୃଜନୀ, ଗଣିତ, ବିଜ୍ଞାନ ତଥା ଗବେଷଣା ପ୍ରତି ରୁଚି ରଖିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଜ୍ଞାସା, ଖେଳ କସରତ, ସାମାଜିକ ପାଠ ପ୍ରତି ବିଶେଷ ଆଗ୍ରହ ଥିବା ପିଲାଙ୍କୁ ନେଇ କ୍ରୀଡ଼ାଙ୍ଗନ ଓ କମ୍ପ୍ୟୁଟର୍‌, ଆଇଟି ପ୍ରତି ଉତ୍ସାହ ରଖିଥିବା ପିଲାଙ୍କୁ ନେଇ କୌଶଳ କ୍ଲବ୍ ଗଠନ ହୋଇଛି। ପ୍ରତି କ୍ଲବ୍‌ର ବିଭିନ୍ନ କାର୍ଯ୍ୟକଳାପ ସ୍ଥିର କରାଯିବା ସହିତ ଏଥିପାଇଁ ବୋର୍ଡ ପକ୍ଷରୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ନି‌ର୍ଦ୍ଦିଷ୍ଟ ଭାବେ ବୋର୍ଡ ପକ୍ଷରୁ ପ୍ରତି କ୍ଲବ୍ ପାଇଁ ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି।

ଏହି ପାଠ୍ୟକ୍ରମରୁ ମାଟ୍ରିକ୍ ପରୀକ୍ଷାରେ ନିର୍ଦ୍ଦିଷ୍ଟ ଭା‌ବେ ନମ୍ବର ଦେବାକୁ ବୋର୍ଡର ନିୟମ ରହିଛି। ମାଟ୍ରିକ୍ ପରୀକ୍ଷାରେ ପ୍ରତି ବିଷୟରେ ୧୦୦ ନମ୍ବର ପରୀକ୍ଷା ହେବ ଓ ଏଥିରୁ ଛାତ୍ରଛାତ୍ରୀଙ୍କୁ ୮୦ ପ୍ରତିଶତ ‌ୱେଟେଜ୍ ମିଳିବ। ଆସ୍ପିରେସନାଲ୍ କମ୍ପୋନେଣ୍ଟ୍‌ ପାଠ୍ୟକ୍ରମରୁ ୨୦ ପ୍ରତିଶତ ୱେଟେଜ୍ ଦେବାର ନିୟମ ରହିଛି। ଏହି ଆଧାରରେ ମେ ମାସରେ ପ୍ରକାଶ ପାଉଥିବା ମାଟ୍ରିକ୍ ଓ ମଧ୍ୟମା ଫଳ ପ୍ରକ୍ରିୟାକରଣ ଚାଲିଛି। କିନ୍ତୁ ଦୁଇବର୍ଷ ହେଲା ଏହି ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲେ ବି ଏଯାଏ ଅନେକ ସ୍କୁଲ୍‌କୁ ବହି ବି ଦିଆଯାଇନାହିଁ। ଯେଉଁ ସବୁ ସ୍କୁଲ୍‌ରେ ପ୍ରଧାନଶିକ୍ଷକ ଆଗ୍ରହ ପ୍ରକାଶ କରୁଛନ୍ତି ସେଠାରେ କ୍ଲବ୍‌ର ଆକ୍ଟିଭିଟି ଚାଲିଛି। ଯେଉଁଠି ଶିକ୍ଷକ ଅଭାବ ବା ପ୍ରଧାନଶିକ୍ଷକ ନଜର ଦେଉ ନାହାନ୍ତି, ସେଠାରେ କ୍ଲବ୍ ଗଢ଼ା ହୋଇଛି ସତ, କିନ୍ତୁ କାର୍ଯ୍ୟକଳାପ ଶୂନ୍। ସବୁ କାଗଜପତ୍ରରେ ଚାଲିଥିଲେ ବି ପିଲାଙ୍କୁ କିନ୍ତୁ ମାଟ୍ରିକ୍ ପରୀକ୍ଷାରେ ଆସ୍ପିରେସନାଲ୍ କମ୍ପୋନେଣ୍ଟ୍‌ରେ ନମ୍ବର ମିଳିଯାଉଛି। ଛାତ୍ରଛାତ୍ରୀଙ୍କୁ ସର୍ବଗୁଣସମ୍ପନ୍ନ କରିବା ପାଇଁ ଗଣଶିକ୍ଷା ବିଭାଗ ତଥା ମାଧ୍ୟମିକ ଶିକ୍ଷା ପରିଷଦ କରିଥିବା ନୂଆ ପାଠ୍ୟକ୍ରମ ଏ ପ୍ରକାର ପ୍ରହସନ ପାଲଟିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର