ଦୁର୍ନୀତି ନିବାରଣରେ ‘୩-ସି’ର ଭୂମିକା ଉଲ୍ଲେଖନୀୟ: ପ୍ରଧାନ ମହାଲେଖାକାର

ଭୁବନେଶ୍ୱର : ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଜୟଦେବ ଭବନ ଠାରେ ଉଦଯାପିତ ହୋଇଯାଇଅଛି। ସମାପନ ସମାରୋହରେ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଭାରତରେ ଦୁର୍ନୀତିର ଲୋପ ପାଇଁ ୩ସିର କାର୍ଯ୍ୟାଧାରା ଓ ନିରପେକ୍ଷତା ଉପରେ ନିର୍ଭର କରେ ବୋଲି ପ୍ରକାଶ କରଥିଲେ l ୩-ସି ହେଉଛି କେନ୍ଦ୍ରୀୟ ସଂସ୍ଥା ସିଏଜି, ସିବିଆଇ ଓ ସିଆଇଡି। ସେମାନଙ୍କ ମିଳିତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଭାରତକୁ ଦୁର୍ନୀତିମୁକ୍ତ କରିବା ସହ ବିକାଶଶୀଳ ଦେଶରୁ ଏକ ବିକଶିତ ଦେଶଭାବେ ରୂପାନ୍ତରିତ କରିପାରିବ ବୋଲି ମତ ପ୍ରକାଶ କରିଥିଲେ l

ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର ତାଙ୍କ ଅଭିଭାଷଣରେ ଭାରତୀୟ ଲେଖା ଓ ଲେଖାପରୀକ୍ଷା ବିଭାଗ ଦେଶର ଏକମାତ୍ର ଅନୁଷ୍ଠାନ ଯାହାକୁ ଦୁର୍ନୀତି ସ୍ପର୍ଶ କରିନାହିଁ ଓ ଆମେମାନେ ତାହାର ସଭ୍ୟ ଭାବେ କାର୍ଯ୍ୟ କରୁଥିବାରୁ ନିଜକୁ ଗର୍ବିତ ବୋଲି କହିଥିଲେ l ପ୍ରାରମ୍ଭରେ ବରିଷ୍ଠ ଲେଖାଧିକାରୀ କେ. ନାଗେଶ୍ୱର ରାଓ ଅତିଥି ପରିଚୟ ଦେବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବି. କିରଣ ଧନ୍ୟବାଦ ପ୍ରଦାନ କରିଥିଲେ l ଶେଷରେ ନାଟ୍ୟ ନିର୍ଦେଶକ ସୂର୍ଯ୍ୟମଣୀ ରଣଙ୍କ ନିର୍ଦେଶନାରେ ଦୁର୍ନୀତି ନିବାରଣ ସଚେତନତା ଉପରେ ‘ଅସଲି ଓ ନକଲି’ ନାଟକ ଏ ଜି କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର