ସମ୍ବଲପୁର ମହୋତ୍ସବର ତୃତୀୟ ସନ୍ଧ୍ୟା

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଅଇଁଠାପାଲି ବିର୍ସା ମଇଦାନର ଭାଗବତ ନନ୍ଦ ମଂଚରେ ଆୟୋଜିତ ସମ୍ବଲପୁର ମହୋତ୍ସବର ତୃତୀୟ ସନ୍ଧ୍ୟା‌ ମଧ୍ୟ ଦର୍ଶକକୁ ବେଶ୍‌ ଆମୋଦିତ କରିଥିଲା। ଲୋକଗୀତ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିଲା ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ। ଲୋକଗୀତରେ ଅଂଜନ କୁମାର ‘ଗଅଁଳି ଗାଁ ନ ରହୁଛେ ଧନରେ’, ଲୀନୁ ସାହୁ ‘ମିଟୁରେ କହ ଶ୍ରୀଚକ୍ରଧର’, ଚେତନାମୟୀ ବେହେରା ‘ମନ ବଗିଚାର ଫୁଲେ ଫୁଲେ’ ଏବଂ ପ୍ରଭାତ ହରିପାଲ ‘ମହୁଲ ଝାରେ  ବରଷିଲା ପାନି’ ଗୀତ ଉପସ୍ଥିତ ଲୋକଙ୍କୁ ବିମୋହିତ କରିଥିଲା। ଗୁରୁ ରଂଜନ ସାହୁଙ୍କ ନିର୍ଦ୍ଦେଶନାରେ ‘ସମ୍ବଲପୁରୀ ଫ୍ୟୁଜନ୍’ ଦର୍ଶକଙ୍କ ମନ ଜିଣି ନେଇଥିଲା। ପଂଜାବୀ ଭଂଗଡ଼ା ଓ ଆସାମର ବିହୁ ନୃତ୍ୟ ପରିବେଷିତ ହୋଇଥିଲା। କଳା ଓ କଳାକାର ଏବଂ ରଂଗଫରୁଆ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ମଂଚରେ ଚିତ୍ରଶିଳ୍ପୀରେ ଦେବେନ୍ଦ୍ର ସାହୁ ମାତ୍ର ୫ ମିନିଟ ମଧ୍ୟରେ ସ୍ବର୍ଗୀୟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଥିଲେ।

ଏହି ଅବସରରେ ଆଜି ଦିପାଳୀ ଚୌଧୁରୀଙ୍କୁ ଗୁରୁବାରୀ ମିର୍ଦ୍ଧା ଶ୍ରେଷ୍ଠ ନୃତ୍ୟାଂଗନା ସମ୍ମାନ ଏବଂ ଅଭିନେତ୍ରୀ ସୁଶିଲା ନାୟାରଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ମାନ ଏବଂ ମନୀଷା ଭୋଇଙ୍କୁ ନୃତ୍ୟମଂଜରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜି ମଧ୍ୟ ପୂର୍ଣ୍ଣିମା କ୍ରିଏସନ୍ ପକ୍ଷରୁ ସମ୍ବଲପୁରୀ ଫେସନ୍ ସୋ’ର ଆୟୋଜନ କରାଯାଇଥିଲା। ଆଜିର ଅତିଥି ଭାବରେ ସଞ୍ଚାର ବାଦକ ଦୁଃଖନାଶନ ବେହେରା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଡ. ସତ୍ୟ ନାରାୟଣ ନନ୍ଦ, ଆଦିବାସୀ ନେତା ଜୟରାମ ମୁଣ୍ଡା ଓ ଗିରିଧାରୀ ମୁଣ୍ଡା ଯୋଗ ଦେଇଥିଲେ। ସମ୍ବଲପୁର ସାଂସ୍କୃତିକ ପରିଷଦର ସଂପାଦଦ ସପନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ସଦାନନ୍ଦ ପଣ୍ଡା ଓ ଗୋଲକ ବିହାରୀ ମିଶ୍ର ମଂଚାସୀନ ଥିଲେ। ଆସନ୍ତାକାଲି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଥିବାରୁ ଏହାକୁ ସମର୍ଥନ ଜଣାଇ ଦିନବେଳା ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖାଯିବାକୁ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର