କଫ୍‌ ସିରଫ୍‌ କାରବାର: ପୁଣି ଗିରଫ ହେଲେ ୩ ଅଭିଯୁକ୍ତ

ବରଗଡ଼: କଫ୍‌ ସିରଫ୍‌ କାରବାରର ବଡ଼ ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ୍। ୮,୩୮୦ କଫ୍‌ ସିରଫ୍‌ ବୋତଲ ଜବତ କରିବା ସହିତ ପୁଣି ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତମାନେ ‌ହେଲେ ସିଦ୍ଧାନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ଲକ୍ଷ୍ମୀଧର ବେହେରା। ପ୍ରଥମ ୨ ଜଣଙ୍କର ଘର କଟକ ଜିଲ୍ଲାର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ବରଗଡ଼ ନିବାସୀ ଅଟନ୍ତି। ବରଗଡ଼ ଏସ୍‌ପି ପ୍ରହ୍ଲାଦ ସହାୟ ମୀନା ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଏସ୍‌ପି ଶ୍ରୀ ମୀନାଙ୍କ ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବରଗଡ଼ ପୁଲିସ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ୭,୮୦୦ ବୋତଲ କଫ୍‌ ସିରଫ୍‌ ଜବତ କରାଯାଇଥିଲା ଏବଂ ୬୦ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ଏହି କଫ୍‌ ସିରଫ୍‌ ବେପାର ଚେର କଟକକୁ ଲମ୍ବି ଥିବା ଜଣାପଡ଼ିଥିଲା। କଟକରେ ଏକ ଗୋଦାମରେ କଫ୍‌ ସିରଫ୍‌ ଗଚ୍ଛିତ ହୋଇ ରହୁଥିବା ଓ ସେଠାରୁ ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଥିବା ଜଣାପଡ଼ିଥିଲା। ତା’ପରେ ବରଗଡ଼ ପୁଲିସ୍‌ର ଏକ ଟିମ୍ କଟକ ଯାଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲେ। ସେଠାରୁ ୮,୩୮୦ ବୋତଲ କଫ୍‌ ସିରଫ୍‌ ଜବତ କରିଥିବା ବେଳେ କଟକ ଜିଲ୍ଲା ଚୌଦ୍ୱାର ଥାନା  ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ସହରର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ର ଲକ୍ଷ୍ମୀଧର ବେହେରାଙ୍କୁ ଗିରଫ କରିଥିଲା। ସବୁ କଫ୍‌ ସିରଫ୍‌ ଦିଲ୍ଲୀର ମାକ୍ସ ଫାର୍ମାସିଟ୍ୟୁକାଲ ନାମକ ଏକ କମ୍ପାନିରୁ ଆସୁଥିଲା। ପୁଲିସ ଉକ୍ତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି। ଏହି ଆକାଉଣ୍ଟରେ ପ୍ରାୟ ୩୨ ଲକ୍ଷ ଟଙ୍କା ଅଛି। ପୁଲିସ ଆକାଉଣ୍ଟ ସଂପର୍କରେ ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ବରଗଡ଼ ପୁଲିସ ଏହା ପୂର୍ବରୁ ସିରଫ୍‌ କାରବାର କରୁଥିବା ୭ଟି ମାମଲାରେ ମୋଟ୍‌ ୬୦ ଜଣ ବେପାରୀ ଗିରଫ୍‌ କରିଥିଲା। ଅମ୍ବାଭୋନାରେ ୫ଜଣ, ଭେଡ଼େନରେ ୩, ବରପାଲିରେ ୪, ସୋହେଲାରେ ୮, ପାଇକମାଳରେ ୧୨, ଗାଇସିଲାଟ୍‌ରେ ୧୦, ବରଗଡ଼ରେ ୧୬ ଏବଂ ଭଟଲରେ ୨ଜଣ ଗିରଫ୍‌ ହୋଇଥିଲେ। ପୁଲିସ୍‌ ଏହି ଅଭିଯାନ ପାଇଁ ୬ଟି ଟିମ୍‌ ଗଠନ କରିଥିଲା।

ସମ୍ବନ୍ଧିତ ଖବର