ଡବ୍ଲୁପିଏସ୍‌ଆଇ ରିପୋର୍ଟ: ବର୍ଷକରେ ୧୬୬ ବାଘ ମୃତ

ଏନ୍‌ଟିସିଏ ରିପୋର୍ଟ କହୁଛି ୧୨୭ ମରିଛନ୍ତି
୨୦୨୧ରେ ମରିଗଲେ ୬୧୨ କଲରାପତିରିଆ
ଓଡ଼ିଶାରେ ମହାବଳ ବାଘ ମରିନାହାନ୍ତି, ୨୪ କଲରାପତିରିଆ ମୃତ

ଭୁବନେଶ୍ବର : ୨୦୨୧ରେ ଦେଶରେ ୧୨୭ ବାଘଙ୍କ ମୃତ୍ୟୁ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ)ଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟଠାରୁ ଆହୁରି ସାଂଘାତିକ ତଥ୍ୟ ଦେଇଛି ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟ୍‌ ଅଫ୍‌ ଇଣ୍ଡିଆ। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ୧୨ ମାସରେ ଦେଶରେ ୧୬୬ଟି ବାଘଙ୍କର ମୃତ୍ୟୁ ଘଟିଛି। ଉଭୟ ସଂସ୍ଥା ରିପୋର୍ଟରେ ଦର୍ଶାଇଛନ୍ତି ଯେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବି ବାଘ ମୃତ୍ୟୁ ଚିନ୍ତାଜନକ ରହିଛି। ଗୋଟିଏ ପଟେ ବାଘଙ୍କ ସଂଖ୍ୟା ବୃଦ୍ଧି ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଆଶ୍ବସ୍ତିକର ବିଷୟ ହେଉଛି ଏହି ସମୟ ମଧ୍ୟରେ ଓଡ଼ିଶାରେ ଗୋଟିଏ ମହାବଳ ବାଘ ମରିନାହାନ୍ତି। ମାତ୍ର ୨୪ଟି କଲରାପତିରିଆ ବାଘଙ୍କ ମୃତ୍ୟୁ ହୋଇଛି।

Smithsonian Magazine

କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟ ଅନୁଯାୟୀ ୨୦୨୧ରେ ଏ ପର୍ଯ୍ୟନ୍ତ ମରିଥିବା ଶହେ ବାଘଙ୍କ ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୪୨ଟି ବାଘ ରହିଛନ୍ତି। ୧୨୬ତମ ବାଘର ମୃତ୍ୟୁ ମହରାଷ୍ଟ୍ରର ଗଡଚିରୋଲି ସର୍କଲର ଅହେରି ରେଞ୍ଜରେ ହୋଇଛି। ମହାରାଷ୍ଟ୍ରରେ ୨୬, କର୍ଣ୍ଣାଟକରେ ୧୪ ବାଘର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଛତିଶଗଡ଼, ବିହାର, କେରଳ, ଆସାମ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନାରେ ବି ବାଘଙ୍କର ମୃତ୍ୟୁ ହୋଇଛି। ତେବେ ଅଧାରୁ ଅଧିକ ଅର୍ଥାତ ୬୬ଟି ବାଘ ଅଭୟାରଣ୍ୟ ଭିତରେ ହିଁ ପ୍ରାଣ ହରାଇଛନ୍ତି। ମୃତ ବାଘଙ୍କ ମଧ୍ୟରେ ୧୫ଟି ଛୁଆ ରହିଥିବା ରିପୋର୍ଟରେ କୁହାଯାଇଛି।

ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍‌ ଇଣ୍ଡିଆର ତଥ୍ୟ କିନ୍ତୁ ଅଲଗା କହୁଛି। ୨୦୨୧ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି, ଯାହାକି ୨୦୨୦ ତୁଳନାରେ ବହୁତ ଅଧିକ। ୨୦୨୦ରେ ୧୧୧ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ୧୧୨ଟି ବାଘଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୫୪ଟିକୁ ଶିକାର କରାଯାଇଛି କିମ୍ବା ବାଘ ଛାଲ ଜବତ ହୋଇଛି। ୨୦୨୦ରେ ଏହି ସଂଖ୍ୟା ଯଥାକ୍ରମେ ୮୦ ଓ ୩୧ ରହିଥିଲା। ଆଶ୍ବସ୍ତିର ବିଷୟ ହେଉଛି ‌ଯେ କଲରାପତିରିଆ ବାଘଙ୍କ ମୃତ୍ୟୁ ସଂଖ୍ୟା ଏ ବର୍ଷ କିଛିଟା କମ୍‌ ରହିଛି। ୨୦୨୦ରେ ୬୭୩ଟି କଲରାପତିରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୬୧୨ଟି ମରିଛନ୍ତି। ତେବେ ବର୍ଷର ଶେଷ ତିନି ମାସରେ ୧୩୨ଟି କଲରାପତିରିଆ ମରିବା ଏବେ ଚିନ୍ତାର ବିଷୟ ପାଲଟିଛି। ଅର୍ଥାତ୍‌ ପ୍ରତି ମାସରେ ୪୪ଟି ଲେଖା‌ଏ କଲରାପତିରିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୮୧ଟି ଶିକାରୀଙ୍କ ହାତରେ ମରିଛନ୍ତି।

ଗତ ଦୁଇ ଦଶନ୍ଧି ହେଲା ବାଘ ଓ କଲରାପତିରିଆ ଶିକାର ଉତ୍‌ଥାନ ପତନ ଦେଇ ଗତି କରୁଛି। ୧୯୯୫ରେ ସର୍ବାଧିକ ୧୨୧ଟି ବାଘ ଶିକାର ହୋଇଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି। ସୌଭାଗ୍ୟକୁ ୨୦୨୧ରେ ଓଡ଼ିଶାରେ ଗୋଟିଏ ବି ମହାବଳ ବାଘର ମୃତ୍ୟୁ ହୋଇ ନ ଥିବା ଏନ୍‌ଟିସିଏ ରିପୋର୍ଟରେ କୁହାଯାଇଛି। ତେବେ କଲରାପତିରିଆଙ୍କ ଶିକାର ବଢ଼ିଛି। ମଧ୍ୟପ୍ରଦେଶରେ ଦେଶର ସବୁଠାରୁ ଅଧିକ କଳରାପତିରିଆଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବରେ ବି ମୃତ୍ୟୁ ଘଟିଛି। ୧୨ ମାସରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବନ ବିଭାଗ ଓ ଏସ୍‌ଟିଏଫ୍‌ ପାଖାପାଖି ୨୪ଟି ବାଘ ଛାଲ ଜବତ ହୋଇଛି।

ଏନ୍‌ଟିସିଏ ପକ୍ଷରୁ ଆହୁରି କୁହାଯାଇଛି ଯେ ୨୦୧୨ରେ ଦେଶରେ ୮୮ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ଧୀରେ ଧୀରେ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୩ରେ ୬୮, ୨୦୧୪ରେ ୭୯, ୨୦୧୫ରେ ୮୨, ୨୦୧୬ରେ ୧୨୧, ୨୦୧୭ରେ ୧୧୬, ୨୦୧୮ରେ ୧୦୨, ୨୦୧୯ରେ ୯୫ ଓ ୨୦୨୦ରେ ୧୦୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ୨୦୧୨ରୁ ୨୦୨୦ ମଧ୍ୟରେ ଦେଶରେ ୮୫୭ଟି ବାଘଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୦୨, ମହାରାଷ୍ଟ୍ରରେ ୧୪୧, କର୍ଣ୍ଣାଟକରେ ୧୨୩, ଉତ୍ତରାଖଣ୍ଡରେ ୯୩, ତାମିଲନାଡ଼ୁରେ ୬୨, ଆସାମରେ ୬୦ଟି ବାଘଙ୍କର ଜୀବନ ଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୭ଟି ବାଘଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର