ନିଆଁ ଲିଭାଇବାକୁ ଯାଇଥିବା ଦୁଇ କର୍ମଚାରୀଙ୍କୁ ୨୪ ଘଣ୍ଟା ହେଲା ଅଟକ: ‘ଦାବି ପୂରଣ ନହେବା ଯାଏ ଛାଡ଼ିବୁନି’

ରାସ୍ତାକାମରେ ବନ ବିଭାଗ ବାଧକ ଅଭିଯୋଗ

ରା.ଉଦୟଗିରି : ‘ରାସ୍ତା କାମରେ ବନ ବିଭାଗ ବାଧକ ସାଜିଛି। ଫଳରେ କାମ ଆଗକୁ ବଢ଼ିପାରୁନି। କିନ୍ତୁ କାଠମାଫିଆ ମାନଙ୍କୁ ବିଭାଗୀୟ କର୍ମଚାରୀମାନେ ପ୍ରତ୍ୟକ୍ଷରେ ‌ପ୍ରୋତ୍ସାହିତ କରୁଛନ୍ତି’। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ସିଆଳିଲଟି ପଞ୍ଚାୟତର ତଇଲ ଗ୍ରାମବାସୀ ଗତ କିଛି ଦିନ ହେଲା ଏହି ଅଭିଯୋଗ ଉଠାଇ ଆସୁଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଶେଷରେ ଦାବି ପୂରଣ ପାଇଁ ଗ୍ରାମବାସୀ ଜଙ୍ଗଲକୁ ନିଆଁ ଲିଭାଇବାକୁ ଆସିଥିବା ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ଗତ ୨୪ ଘଣ୍ଟା ହେଲା ଅଟକ ରଖିଛନ୍ତି। ରାସ୍ତା କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ଛାଡ଼ିବୁନି ବୋଲି ଚେତାବନୀ ଦେଇଛନ୍ତି। ଅଟକ ଦୁଇଜଣ କର୍ମଚାରୀ ହେଲେ, ମହେନ୍ଦ୍ରଗଡ଼ର ଶିବଶଙ୍କର ଦଳାଇ ଓ ଅମିତ ସାହୁ। ଉଭୟ ଗତକାଲି ଅପରାହ୍‌ଣ ୪ଟାରୁ ତଇଲ ଗ୍ରାମବାସୀଙ୍କ ହେପାଜତରେ ଅଛନ୍ତି।

ଶିବଶଙ୍କର ଓ ଅମିତ ଗତକାଲି ବନାଞ୍ଚଳରେ ନିଆଁ ଲାଗିଥିବା ଖବର ପାଇ ତଇଲ ଗ୍ରାମରେ ପହଞ୍ଚିଥିଲେ। ଏହି ସମୟରେ ଗ୍ରାମବାସୀ ଉଭୟଙ୍କୁ ଘେରିଯାଇ ପ୍ରଶ୍ନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏହି ଅଞ୍ଚଳରୁ ରାତିରେ ମାଫିଆମାନେ ମୂଲ୍ୟବାନ କାଠ ଟ୍ରାକ୍ଟର୍ ଯୋଗେ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ କର୍ମଚାରୀ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି।

କିନ୍ତୁ, ରାସ୍ତାଟିଏ ନିର୍ମାଣ ପାଇଁ ଆମକୁ କ୍ଲିୟରାନ୍ସ୍ ମିଳୁନି। ଦୁଇବର୍ଷ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାମ ବନ୍ଦ ରହିଛି। ଠିକାଦାର କାମ କରିବାକୁ ଆସୁନାହାନ୍ତି। ବନ ବିଭାଗ ଅସୁବିଧା ସୃଷ୍ଟି କରୁଛନ୍ତି। ସ୍ୱୟଂ ସହାୟିକା ଦଳ ମିଳିତ ଭାବେ ୨୦ଦିନ କାମ କରି ନିଜେ ମାଟି ପକାଇଲେ। ହେଲେ, କେତେ ଦିନ ଏମିତି ଚାଲିବ। ପକ୍କା ରାସ୍ତା ନିର୍ମାଣ ହେଲେ ସମସ୍ତଙ୍କର ସୁବିଧା ହେବ । ଅଥଚ କାହିଁକି ସହଯୋଗ କରାଯାଉନାହିଁ ବୋଲି ତଇଲ ଗ୍ରାମର ଗୁପ୍ତେଶ୍ୱର ଓ ଉଜ୍ଜ୍ବଳେଶ୍ୱର ସ୍ୱୟଂ ସହାୟିକା ଦଳର ସଭ୍ୟାମାନେ ରାମଗିରି ବନ ବିଭାଗକୁ ଦାୟୀ କରି ପ୍ରଶ୍ନ କରିଛନ୍ତି।

ରାସ୍ତା ଅଭାବରୁ ଆମେ କେମିତି ମେଡିକାଲ ଯାଉଛୁ, କେତେ ଜଣ ମରୁଛୁ, କେତେ ଜଣ ଫେରୁଛୁ ଏହା ବନ ବିଭାଗର ଉଚ୍ଚପଦସ୍ଥ ପଦାଧିକାରୀ ଭାବିବା ଦରକାର ‌ବୋଲି ଉଭୟ ଦଳର ସଭାନେତ୍ରୀ ଓ ସଂପାଦିକା ସୁକାନ୍ତି ନାୟକ, ସୁବାସିନୀ ନାୟକ ଓ କୁରି ଦଳେଇ କହିଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ସହଯୋଗର ହାତ ବଢ଼ାଇବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଉଭୟ କର୍ମଚାରୀଙ୍କୁ ଗ୍ରାମବାସୀ ୨୪ ଘଣ୍ଟା ହେଲା ଅଟକ ରଖିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ରେଞ୍ଜର୍, ପୁଲିସ ଓ ତହସିଲଦାର ଆସନ୍ତାକାଲି ତଇଲ ଗ୍ରାମକୁ ଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ‌ସେମା‌ନେ ପହଞ୍ଚି ପୁନଃ ରାସ୍ତା କାମ କେବେ ଆରମ୍ଭ ହେବ ପ୍ରତିଶ୍ରୁତି ଦେଲେ ହିଁ, କର୍ମଚାରୀ ଦୁହେଁ ମୁକୁଳିବେ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର