କେନ୍ଦ୍ର କୋଇଲା ସଚିବଙ୍କ ତଲାବିରା ଖଣି ପରିଦର୍ଶନ   

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବିରାର ୨ ଓ ୩ ନମ୍ବର କୋଇଲା ଖଣିକୁ ଶୁକ୍ରବାର ପରିଦର୍ଶନ କରିଛନ୍ତି କେନ୍ଦ୍ର କୋଇଲା ସଚିବ ଅନିଲ ଜୈନ। ଏନ୍‌ଏଲ୍‌ସି ଦ୍ବାରା କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ ଦିନରୁ ହିଁ ଏଠାକାର ଲୋକଙ୍କ ଅସେନ୍ତାଷ ବଢ଼ିବାରେ ଲାଗିଛି। କେତେବେଳେ ବିସ୍ଥାପନକୁ ନେଇ ତ କେତେବେଳେ ସ୍ଥାନୀୟ ନିଯୁକ୍ତିକୁ ନେଇ ବହୁ ବାର ଆନ୍ଦୋଳନ ହେଇ ସାରିଲାଣି। ଏହି ସମୟରେ କେନ୍ଦ୍ର କୋଇଲା ସଚିବଙ୍କ ଖଣି ପରିଦର୍ଶନ ବିସ୍ଥାପିତ ଗ୍ରାବାସୀଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି।

ଏହି ପରିଦର୍ଶନ ବେଳେ ସଚିବ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନିତା ସିଂହଙ୍କ ସହ ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିଥିଲେ। ବିସ୍ଥାପନ ନୀତି ଠିକ୍‌ଠାକ୍‌  କରିବା, ଖଣିରେ ଅଧିଗ୍ରହଣ ଜମିର ମୂଲ୍ୟ ଗୋଟିଏ କରାଯିବା, ଉତ୍ପାଦନ ମୁତାବକ ଇନ୍‌ସେନ୍‌ଟିଭ୍‌ ପ୍ରଦାନ, ଅଗ୍ରାଧିକାର ଭିତ୍ତିରେ ସମସ୍ତ ବିସ୍ଥାପିତଙ୍କୁ ତୁରନ୍ତ ଚାକିରୀ ଦେବା, ସିଏସ୍‌ଆରର ୮୦% ପ୍ରତିଶତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଖର୍ଚ୍ଚ କରାଯିବା ପାଇଁ ଦାବି କରାଯାଇଥିଲା। ଫଳରେ ସଚିବ ଶ୍ରୀ ଜୈନ ଏନ୍‌ଏଲ୍‌ସିର ମୁଖ୍ୟଙ୍କୁ ତୁରନ୍ତ ଏହି ସବୁ ଦାବି ପୂରଣ କରିବାକୁ ତାଗିଦ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବାବୁଲୁ ରାଉତ, ଲାଲ ବୀରେନ୍ଦ୍ର ସାଏ, ରୁଦ୍ର ପ୍ରଧାନ, ରୋହିତ ରାଉତ, ଦୁର୍ଗା ଭୋଇ, ସୁବ୍ରତ ବୁଧିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର