ମୃତ କୋଭିଡ୍ ଯୋଦ୍ଧା ଶିକ୍ଷକଙ୍କୁ ଏମିତି ସମ୍ମାନ: ଦେଢ଼ବର୍ଷ ପରେ ବି ମିଳିନି ସରକାରୀ ସହାୟତା ରାଶି

ପ୍ରମାଣପତ୍ର ଧରି ବାରଦୁଆର ବୁଲୁଛନ୍ତି ପତ୍ନୀ

ରା.ଉଦୟଗିରି : କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ସମଗ୍ର ବିଶ୍ବକୁ ଦୋହଲାଇଦେଇଥିଲା। ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଗଲା। ପ୍ରବାସୀମାନେ ଭିଟାମାଟି ମୁହାଁ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ଥଇଥାନ୍ କରିଥିଲା। ଆଉ କୋଭିଡ୍ ମୁକାବିଲାରେ ଶିକ୍ଷକ ଓ ପୁଲିସଠୁ ଆରମ୍ଭ କରି ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି‌ରେ ଲଗାଇ ଯୋଦ୍ଧା ଭାବେ ନିଜ ଦାୟିତ୍ବ ତୁଲାଇଲେ। କେବଳ ଏତିକି ନୁହେଁ, ନିଜେ ଏହି ପ୍ରାଣଘାତୀ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ। କିନ୍ତୁ ଦୁଃଖର କଥା ଆଜି ପର୍ଯ୍ୟନ୍ତ ଅନେକ କୋଭିଡ୍ ଯୋଦ୍ଧାଙ୍କ ପରିବାର ସରକାରୀ ସହାୟତା ପାଇଁ ସଂଘର୍ଷ କରିଆସୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଖଜୁରୀପଦାରେ। କରୋନାରେ ଆକ୍ରାନ୍ତ ହୋଇ ଶିକ୍ଷକ ମୀନକେତନ ପାଇକଙ୍କ ମୃତ୍ୟୁକୁ ଦେଢ଼ବର୍ଷ ବିତିଯାଇଥିଲେ ହେଁ, ଏଯାଏ ତାଙ୍କ ପରିବାରକୁ ସରକାରୀ ସହାୟତା ରାଶି ମିଳିପାରିନି। ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି। ସରକାରୀ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ, କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି।

୨୦୦୧ରେ ମୀନକେତନ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୧୬ ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ତାଙ୍କ ଚାକିରି ନିୟମିତ ହେଲା। ସବୁ କିଛି ଠିକ୍‌ଠାକ୍ ଚାଲିଥିବା ବେଳେ କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିଦେଲା। ଦ୍ବିତୀୟ ଲହର୍ ବେଳେ ସେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖୋଲାଯାଇଥିବା କୋଭିଡ୍‌ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ରହିଥିଲେ। ଏହି ସମୟରେ ସେ କରୋନାରେ ସଂକ୍ରମିତ ହେବାରୁ

ଆର.ସୀତାପୁରର କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅକ୍ସିଜେନ୍ ସ୍ତର କମିବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତବର୍ଷ ଜୁନ୍ ୨୧ ତାରିଖରେ ମୀନକେତନଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲା ପ୍ରଶାସନ ୫୦ ହଜାର ଟଙ୍କା ସହାୟତା ଦେଇଥିଲେ। ହେଲେ, ସରକାରୀ ଘୋଷଣା ମୁତାବକ କୋଭିଡ୍ ଯୋଦ୍ଧା ଭାବେ ମୀନକେତନଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାବତ୍ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ମିଳିପାରିନି। ପତ୍ନୀ ମଞ୍ଜୁଶ୍ରୀ ବ୍ରହ୍ମପୁର ବଡ଼ ମେଡିକାଲରୁ ପାଇଥିବା ସ୍ବାମୀଙ୍କ କୋଭିଡ୍‌ଜନିତ ମୃତ୍ୟୁ ପ୍ରମାଣପତ୍ର ଧରି ଏହି ଅଫିସ୍‌ରୁ ସେହି ଅଫିସ୍‌କୁ ଘୂରି ବୁଲୁଛନ୍ତି। ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି। ଫଳରେ ମଞ୍ଜୁଶ୍ରୀଙ୍କ ଅବସ୍ଥା ଦୁର୍ବିଷହ ପାଲଟିଛି। ବାପଛେଉଣ୍ଡ ଦୁଇପୁଅଙ୍କ ସମେତ ଶାଶୂଙ୍କ ଭରଣପୋଷଣ ଦାୟିତ୍ବ ସେ ମୁଣ୍ଡାଇଛନ୍ତି। ‘‌ମୋ ଦୁଃଖ ସରକାର କେବେ ଶୁଣିବେ ବୋଲି କୋହଭରା କଣ୍ଠରେ କହିଛନ୍ତି। ଅନ୍ୟପକ୍ଷରେ ସ୍ନାତକ ପାସ୍ କରିଥିବା ମଞ୍ଜୁଶ୍ରୀଙ୍କୁ ସରକାର ଚାକିରି ଖଣ୍ଡିଏ କରାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର