ବିଲରେ ଦନ୍ତାହାତୀର ମୃତଦେହ : ଆନ୍ଥ୍ରାକ୍ସରେ ମୃତ୍ୟୁ ଆଶଙ୍କା!

ଖୁଣ୍ଟୁଣୀ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ପାଇକେରାପୁର ପାଟିଆ ବିଲରୁ ଆଜି ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତ ଦନ୍ତାର ବୟସ ଆନୁମାନିକ ୫୦ ବର୍ଷ ବୋଲି ଆକଳନ କରାଯାଉଥିବା ବେଳେ ହାତୀଟି ଗତକାଲି ରାତିରେ ପ୍ରାଣ ହରାଇଥିବା କୁହାଯାଉଛି। ଆଜି ସକାଳେ ଖୁଣ୍ଟୁଣୀ ବନବିଭାଗ ଅଧିକାରୀ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ମୃତଦେହ ଉଦ୍ଧାର କରିଥିଲେ। ଆଠଗଡ଼ ବନଖଣ୍ଡ ଅଧିକାରୀ ଅରୁଣ ସ୍ୱାଇଁ, ଏସିଏଫ୍‌ ରାଜେନ୍ଦ୍ର ପ୍ରସାଦ ଦାସ ଦନ୍ତା ମରି ପଡ଼ିଥିବା ସ୍ଥାନରେ ପହଞ୍ଚି ମୃତ୍ୟୁର କାରଣ ଓ ପାରିପାର୍ଶ୍ୱିକ ଅବସ୍ଥା ଉପରେ ଅନୁଧ୍ୟାନ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ହାତୀଙ୍କ ମଧ୍ୟରେ ଲଢ଼େଇରୁ ଦନ୍ତାର ମୃତ୍ୟୁ ଘଟିଥାଇପାରେ ବୋଲି ଡିଏଫ୍‌ଓ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ୟବଚ୍ଛେଦ କରିଥିବା ଭିଏସ୍‌ଙ୍କ କହିବା ଅନୁସାରେ ହାତୀ ମୃତ୍ୟୁ ପଛରେ ଆନ୍ଥ୍ରାକ୍ସ ରୋଗ କାରଣ ବୋଲି ସନ୍ଦେହ କରାଯାଉଛି।

ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ ବିଭାଗୀୟ ସେକ୍ସନ ଫରେଷ୍ଟର ଅଶୋକ ବିଶ୍ୱାଳ, ଗାର୍ଡ଼ ରମାକାନ୍ତ ବଳବନ୍ତ ରାୟଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଛାନଭିନ୍‌ କରିଛନ୍ତି। ଆଠଗଡ଼ ବ୍ଲକ୍‌ ଭେଟନାରୀ ଅଫିସର ଡାକ୍ତର ସୁଶାନ୍ତ ବେହେରା ଓ ଓୟୁଏଟି, ଭୁବନେଶ୍ୱରର ଡାକ୍ତର ସାର୍ଥକ, ଡାକ୍ତର ସୌରଭ ଘଟଣାସ୍ଥଳରେ ପହଞ୍ଚି ହାତୀର ବ୍ୟବଚ୍ଛେଦ କରିଥିଲେ। ଦନ୍ତା ହାତୀର ଶରୀରର ବାହ୍ୟ ଅଂଶରେ କୌଣସି କ୍ଷତ ଚିହ୍ନ ନଥିଲା ବେଳେ ତାର ପାଟି, ନାକ, ଶୁଣ୍ଢ, ମଳଦ୍ୱାର, କାନ ଆଦି ସ୍ଥାନରୁ ରକ୍ତସ୍ରାବ ହେଉଥିବାରୁ ଦନ୍ତାହାତୀଟି ମାରାତ୍ମକ ଆନ୍ଥ୍ରାକ୍ସ ରୋଗରେ ପୀଡ଼ିତ ଥାଇପାରେ ବୋଲି ବ୍ୟବଚ୍ଛେଦ କରିଥିବା ବ୍ଲକ୍‌ ଭେଟନାରୀ ଅଫିସର ଡାକ୍ତର ବେହେରା ସୂଚନା ଦେଇଛନ୍ତି। ଆନ୍ଥ୍ରାକ୍ସ ଆକ୍ରାନ୍ତ ପଶୁଙ୍କର ଶରୀରରେ ରକ୍ତ ଜମାଟ ବାନ୍ଧିନଥାଏ। ଫଳରେ ଶରୀରରୁ ରକ୍ତସ୍ରାବ ଅନବରତ ହୋଇ ପ୍ରାଣୀର ମୃତ୍ୟୁ ଘଟିଥାଏ ବୋଲି ଡାକ୍ତର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ମୃତ ହାତୀଟି ଆନ୍ଥ୍ରାକ୍ସରେ ଆକ୍ରାନ୍ତ କି ନା ତାହା ସ୍ପଷ୍ଟ ହେବା ପାଇଁ ମୃତ ଦନ୍ତାର ନମୁନା ସଂଗ୍ରହ କରାଯାଇ ଓୟୁଏଟି ଲାବ୍ରୋଟୋରିକୁ ନିଆଯାଇଥିବା ରେଞ୍ଜ ଅଫିସର ଶ୍ରୀ ଦାସ ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ପରେ ମୃତ ହାତୀର ଦାନ୍ତ ଦୁଇଟିକୁ ବନ ବିଭାଗ ନିଜ ହେପାଜତକୁ ନେଇଥିବା ବେଳେ ହାତୀ ମରି ପଡ଼ିଥିବା ସ୍ଥାନରେ ଗାତ ଖୋଳି ପୋତି ଦିଆଯାଇଛି।

୬ ବର୍ଷରେ ଟଳି ପଡ଼ିଲେଣି ୫୨ହାତୀ

କଟକ : ହାତୀ ସୁରକ୍ଷା ପାଇଁ ତିଆରି ହୋଇଛି ଅନେକ ଯୋଜନା। ତଥାପିି ଉଦବେଗଜନକ ଭାବେ ହାତୀ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଚଳିତ ବର୍ଷ ହାତୀ ଗଣନାରେ ଆଠଗଡ଼ ଉପଖଣ୍ଡରେ ହାତୀଙ୍କ ସଂଖ୍ୟା ବଢିଛି ସତ ହେଲେ ଆଜିର ହାତୀ ମୃତ୍ୟୁକୁ ମିଶାଇ ଗତ ୬ ବର୍ଷରେ ଗଲାଣି ୫୨ହାତୀଙ୍କ ଜୀବନ। ୨୦୧୫ରେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ସଂଖ୍ୟା ଥିଲା ୧୧୪। କିନ୍ତୁ ୨୦୧୭ ଗଣନାରେ ଏହା ୨୨୦ରେ ପହଞ୍ଚିଛି। କିନ୍ତୁ ଗଲା ୬ବର୍ଷ ମଧ୍ୟରେ ଆଠଗଡ଼ ବନଖଣ୍ଡରେ ଶିକାର, ବିଦ୍ୟୁତ ଆଘାତ ଏବଂ ଅନ୍ୟ କାରଣରୁ ୫୨ ହାତୀଙ୍କ ଜୀବନ ଯାଇଥିବାବେଳେ, ହାତୀପଲ ନେଇଛନ୍ତି ୧୫ନିରୀହ ଲୋକଙ୍କ ଜୀବନ। ହାତୀ ଆକ୍ରମଣରେ ଏହି ସମୟରେ ୬ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର