ରଙ୍ଗଣିପାଟଣା ପାଣି ପ୍ରକଳ୍ପକୁ ନେଇ କେଁ: ହେଉନି ବିଦ୍ୟୁତ ସଂଯୋଗ, ମିଳୁନି ପାଣି

ଆର୍‌ଡବ୍ଲୁଏସ୍‌ଏସ୍‌ ଓ ଟିପିସିଓଡିଏଲ୍‌ ଟଣାଓଟରା

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ରଙ୍ଗଣିପାଟଣା ଜାମୁସାହି ପାନୀୟ ଜଳ ପ୍ରକଳ୍ପକୁ ନେଇ କେଁ ଦେଖାଦେଇଛି। ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଆଜି ଗ୍ରାମବାସୀମାନେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରଉ କରିଥିଲେ। ଏପଟେ ବିଦ୍ୟୁତ୍ ସବ୍‌ଷ୍ଟେସନ ଭୁଶୁଡ଼ିବା ଅବସ୍ଥାରେ ରହିଥିବା ଓ ବିଦ୍ୟୁତ୍ ସଂଯୋଗ ପାଇଁ ଠିକାଦାର ନିୟମ ଅନୁଯାୟୀ କାର୍ଯ୍ୟ କରିନଥିବା ଯନ୍ତ୍ରୀ କହିଛନ୍ତି। ଏଭଳି ସ୍ଥିତିରେ ବିଦ୍ୟୁତ୍ ସଂଯୋଗ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଦୁଇବର୍ଷ ତଳେ ରଙ୍ଗଣିପାଟଣା ଜାମୁସାହିରେ ଏକ ପାନୀୟଜଳ ଯୋଗାଣ ପାଇଁ ବୋରିଂ ଖୋଳାଯାଇଥିଲା। ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ କୋଷକୋଷ ବାଟ ଯାଇ ପାନୀୟଜଳ ସଂଗ୍ରହ କରୁଛନ୍ତି। ବିଦ୍ୟୁତ୍ ଯୋଗାଣ ହେଲେ ଲୋକେ ପାନୀୟ ଜଳ ପାଇପାରିବେ, ସେହି ଦୃଷ୍ଟିରୁ ଆର୍‌ଡବ୍ଲୁଏସ୍‌ଏସ୍‌ ଏକ ସବ୍‌ଷ୍ଟେସନ ପାଇଁ ଅନୁଦାନ ପ୍ରଦାନ କରିଛି। ଠିକାଦାର ଟେଣ୍ତର ନେଇ ଜମିର ଏକ ଖାଲ ସ୍ଥାନରେ ବିଦ୍ୟୁତ୍ ସବ୍‌ଷ୍ଟେସନ ନିର୍ମାଣ କରିଛି। ଏହାର ମୂଳଦୁଆ ଠିକ୍ ନଥିବା ଓ ଚତୁଃପାର୍ଶ୍ବ ଫାଟି ଆଁ କରି ରହିଥିବା ଦେଖିବାକୁ ମିଳିଛି। କେଉଁ ମୁହୂର୍ତ୍ତରେ ତାହା ଭୁଶୁଡ଼ିବ ତାହା କହିବା କଷ୍ଟକର ବୋଲି ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି। ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗ ପକ୍ଷରୁ ୭ ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ ପାଇଁ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ବିଭାଗକୁ ଚୂନ ଲଗେଇବାକୁ ଯାଇ ଠିକାଦାର କୌଣସି କାମ ନ କରି କାମ ସାରି ଦେଇଛି।

ସବୁଠାରୁ ବଡ଼କଥା ହେଉଛି, ସବ୍‌ଷ୍ଟେସନକୁ ଲାଗି ଏକ ତେନ୍ତୁଳି ଗଛ ରହିଛି ଯାହାକି ବଜ୍ରପାତ ସମୟରେ ଅଘଟଣ ଘଟିପାରେ ବୋଲି ଆଶା କରାଯାଉଛି। ଯନ୍ତ୍ରୀ ବାରମ୍ବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ନିୟମ ଅନୁଯାୟୀ କାମ କରାଯାଇନଥିବା ଦର୍ଶାଇଥିଲେ। କିନ୍ତୁ ଠିକାଦାର ବାରମ୍ବାର କାମ କରିଥିବା କହି ବିଦ୍ୟୁତ୍ ଯନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଦିନକୁ ଦିନ ପାଣି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି ହେବାରୁ ଗାଁର ୨୫ରୁ ୩୦ ଜଣ ବ୍ୟକ୍ତି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ୍ ସଂଯୋଗ କରିବାକୁ ଦାବି କରିଥିଲେ। କିନ୍ତୁ ବିଦ୍ୟୁତ୍ ଯନ୍ତ୍ରୀ ବିନୋଦ ମହାରଣା ଠିକାଦାର ନିୟମ ଅନୁଯାୟୀ, କାର୍ଯ୍ୟ କରିନଥିବାରୁ ବିଦ୍ୟୁତ୍ ସଂଯୋଗ କରିବା ସମ୍ଭବପର ନୁହେଁ ବୋଲି କହିଥିଲେ। ଗ୍ରାମବାସୀ କାର୍ଯ୍ୟାଳୟରେ ଅଡ଼ି ବସିବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ କରିଥିଲେ। ସେ ନୟାଗଡ଼ ବିଦ୍ୟୁତ୍ ମ୍ୟାନେଜରଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତାକାଲି ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶ୍ନ ଉଠୁଛି ବିଦ୍ୟୁତ୍ ସଂଯୋଗ ପାଇଁ ଚାରିପଟ ତାରଜାଲି ବୁଲିବା କଥା ତାହା କରାଯାଇନଥିବା ବେଳେ ଆର୍ଥିଂ ମଧ୍ୟ ହୋଇନାହିଁ, ଏହା ସହିତ ଦୁର୍ବଳ ସବ୍‌ଷ୍ଟେସନ ଭୁଶୁଡ଼ିବା ଅବସ୍ଥାରେ ରହିଛି। ଯଦି କିଛି ବି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପାଲଟା ଅଭିଯୋଗ କରିଛନ୍ତି। ଯେହେତୁ ପାଣିର ଘୋର ଅଭାବ ରହିଛି, ଆମ ପାଇଁ ପାଣି ଅତ୍ୟାବଶ୍ୟକ। ସେଥିପାଇଁ ଆମେ ବିଦ୍ୟୁତ୍ ସଂଯୋଗ ପାଇଁ ଦାବି କରିଥିଲୁ ବୋଲି ଗ୍ରାମବାସୀ କହିଥିଲେ।

ସମ୍ବନ୍ଧିତ ଖବର