ଭାରତବର୍ଷର ମୋକ୍ଷଦାୟକ ‘ସପ୍ତପୁରୀ’ ମଧ୍ୟରୁ ‘ଅଯୋଧ୍ୟା’ ଅନ୍ୟତମ। ‘ଅଯୋଧ୍ୟା’ର ଅର୍ଥ- ଯାହାକୁ ଶସ୍ତ୍ରଯୁଦ୍ଧ ଦ୍ୱାରା ଜୟ କରାଯାଇପାରେ ନାହିଁ। ଯୋଗ, ଧ୍ୟାନ, ତପସ୍ୟା ଓ ଭକ୍ତି ଏହାର ଉନ୍ମୁକ୍ତ ଦ୍ୱାର ସ୍ୱରୂପ। ଏଠାକୁ ଆସିଲେ ମୋକ୍ଷ ପ୍ରାପ୍ତି ହୁଏ। ଏଠାରେ ପ୍ରାୟ ପାଞ୍ଚଶହରୁ ଅଧିକ ସ୍ମରଣୀୟ ପୁଣ୍ୟସ୍ଥଳ ରହିଛି। ସେ ମଧ୍ୟରୁ ମଣି ପର୍ବତ ଅନ୍ୟତମ। ଏହା ଏକାଧାରରେ ହିନ୍ଦୁ, ବୌଦ୍ଧ ଓ ଜୈନମାନଙ୍କର ଏକ ପବିତ୍ର ସ୍ଥାନ। ଏହା ମାତ୍ର ୬୫ ଫୁଟ ଉଚ୍ଚର ଏକ କ୍ଷୁଦ୍ର ପାହାଡ଼। ତଥାପି ଏହା ଅନେକ ମନ୍ଦିରର ଘର। ଏଠାରୁ ସମଗ୍ର ଅଯୋଧ୍ୟା ସହର ଅବଲୋକନ କରି ହୁଏ। ଏହି ପର୍ବତ ସହିତ ଜୈନଶାସ୍ତ୍ର, ବୌଦ୍ଧଶାସ୍ତ୍ର ଓ ରାମାୟଣର ଅନେକ ମଧୁର ସଂପର୍କ ରହିଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
‘ରୁଦ୍ରଯାମଳ’ ଗ୍ରନ୍ଥାନୁସାରେ- ରାମ, ଲକ୍ଷ୍ମଣ, ଭରତ ଓ ଶତୃଘ୍ନ ମିଥିଳାର ଚାରି ରାଜକୁମାରୀଙ୍କୁ ବିବାହ କରିଥିଲେ। ମିଥିଳାନରେଶ ଜନକ ଉପହାର ସ୍ୱରୂପ ନିଜର କନ୍ୟାମାନଙ୍କ ନିମିତ୍ତ ଏତେ ମଣି ପଠାଇଥିଲେ ଯେ ତାହା ଏକ ସ୍ଥାନରେ ଜମା ହୋଇ ଏକ ପର୍ବତ ସୃଷ୍ଟି ହୋଇଥିଲା। ତେଣୁ ଏହାର ନାମ ମଣିପର୍ବତ ହେଲା। ଅନ୍ୟ ଏକ ଲୋକକଥା ଅନୁଯାୟୀ, ଲକ୍ଷ୍ମଣଙ୍କର ଶକ୍ତିଭେଦ ସମୟରେ, ହନୁମାନ ଗନ୍ଧମାର୍ଦ୍ଦନ ଧରି ଆକାଶମାର୍ଗରେ ଗଲାବେଳେ, କୌଣସି ମାୟାବୀ ରାକ୍ଷସ ଭାବି ଭରତ ତୀର ମାରି ହନୁମାନଙ୍କୁ ତଳକୁ ଖସାଇଦେଲେ। ସେହି ସମୟରେ ଗନ୍ଧମାର୍ଦ୍ଦନର କିଛି ଅଂଶ ଏଠାରେ ଖସିପଡ଼ିଥିଲା। ତାହା ହେଉଛି ମଣିପର୍ବତ। ଏହି ପର୍ବତ ନିକଟରେ ସୁଗ୍ରୀବ ପର୍ବତ ଅବସ୍ଥିତ।
ବୌଦ୍ଧଶାସ୍ତ୍ର ଅନୁଯାୟୀ, ବୁଦ୍ଧଦେବ ଏଠାରେ ଛଅବର୍ଷ ଅତିବାହିତ କରି ଶିଷ୍ୟମାନଙ୍କୁ ଧର୍ମଶିକ୍ଷା ଦେଇଥିଲେ। ତେଣୁ, ପରବର୍ତ୍ତୀ କାଳରେ, ସମ୍ରାଟ ଅଶୋକ ଏଠାରେ ଏକ ସ୍ତୂପ ନିର୍ମାଣ କରିଥିଲେ। ବିଶ୍ୱାସ କରାଯାଏ, ଏହି ସ୍ତୂପରେ ବୁଦ୍ଧଙ୍କର ଦନ୍ତ ରହିଛି।
ଜୈନମାନେ ବିଶ୍ୱାସ କରନ୍ତି, ଯେହେତୁ ଅନେକ ଜୈନତୀର୍ଥଙ୍କର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ, ସେମାନେ ଏଠାରେ ତପସ୍ୟା କରିଥିଲେ। ‘ରାମାୟଣ’ର ବର୍ଣ୍ଣନା ଅନୁଯାୟୀ, ମଣିପର୍ବତ ସୀତାଙ୍କର ଅତି ପ୍ରିୟ ସ୍ଥାନ ଥିଲା ଏବଂ ସେ ଏଠାରେ ରାମଙ୍କ ସହିତ ଶ୍ରାବଣ ଝୁଲା ଝୁଲୁଥିଲେ। ଆଜି ମଧ୍ୟ ଏଠାରେ ଏହି ‘ସାୱନଝୁଲା ଉତ୍ସବ’ ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ। ଏହା ବ୍ୟତୀତ, ରାମନବମୀ, ଗୁରୁପୂର୍ଣ୍ଣିମା, କାର୍ତ୍ତିକ ମାସର ପର୍ବତ ପରିକ୍ରମା ଆଦି ଉତ୍ସବ ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥାଏ।
ସଂପ୍ରତି ଉତ୍ତରପ୍ରଦେଶ ସରକାର ମଣିପର୍ବତ ଉପରକୁ ଥିବା ପାହାଚମାନଙ୍କୁ ଲାଲ ପଥରରେ ସଜାଇ ଆକର୍ଷଣୀୟ କରିଛନ୍ତି।
-ଡକ୍ଟର ତୁଳସୀ ଓଝା