ନୂଆଦିଲ୍ଲୀ: ଅନେକ ବାଦବିବାଦ ଏବଂ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ୨୦୧୭ ଜୁଲାଇ ପହିଲାରେ ଦେଶରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) କାର୍ଯ୍ୟକାରୀ ହୋଇଛି। ତେଣୁ ଏହି ଟିକସକୁ ଆଜି (ଜୁଲାଇ ପହିଲା) ୭ ବର୍ଷ ପୂରଣ ହୋଇଛି। ୨୦୧୭ ମସିହା ଜୁନ୍ ୩୦ ଓ ଜୁଲାଇ ୧ ତାରିଖର ମଧ୍ୟରାତ୍ରରେ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ନୂଆ ଟିକସ ବ୍ୟବସ୍ଥାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଆରମ୍ଭ ଘୋଷଣା କରିଥିଲେ। ସେହି ସମୟରେ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ରହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଦ୍ବାରା ଲାଗୁ ହେଉଥିବା ଏକାଧିକ ପରୋକ୍ଷ ଟିକସକୁ ମିଶାଇ ଜିଏସ୍ଟି ପ୍ରସ୍ତୁତ ହୋଇଛି।
ଦେଶର ଜଟିଳ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଚଳିତ ସହସ୍ରାଦ୍ଦୀର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଜିଏସ୍ଟି ଚିନ୍ତାଧାରାକୁ ଉପସ୍ଥାପିତ କରାଯାଇଥିଲା। କେଲକାର ଟାସ୍କ ଫୋର୍ସ ଏ ନେଇ ପ୍ରସ୍ତାବ ଦେଇଥିଲା। ୨୦୧୬ ଅଗଷ୍ଟରେ ସଂସଦରେ ସମ୍ବିଧାନର ୧୦୧ତମ ସଂଶୋଧନ ଜରିଆରେ ସରକାରଙ୍କୁ ଏହି ଟିକସ ଲଗାଇବା ଏବଂ ଆଦାୟ କରିବାକୁ ଅଧିକାର ପ୍ରଦାନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଉକ୍ତ ଟିକସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ଗଠନ କରାଯାଇଛି। ଗୋଟିଏ ଦେଶରେ ଗୋଟିଏ ଟିକସ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଜିଏସ୍ଟିକୁ କାର୍ଯ୍ୟକାରୀ କରାଯାଇଥିଲା। ଜିଏସ୍ଟି କାର୍ଯ୍ୟକାରୀ ହେବାଫଳରେ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଭାରତରେ ୫ଟି ହାର ଯଥା ୦%, ୫%, ୧୨%, ୧୮% ଏବଂ ୨୮%ରେ ଜିଏସ୍ଟି ଆଦାୟ ହେଉଛି। ଜିଏସ୍ଟିରେ ହେଉଥିବା ପରିବର୍ତ୍ତନ ସଂପର୍କରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ହେଉଛି ଜିଏସ୍ଟି ପରିଷଦ। ନିୟମିତ ବ୍ୟବଧାନରେ ଏହି ପରିଷଦର ବୈଠକ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୫୩ଥର ଜିଏସ୍ଟି ପରିଷଦର ବୈଠକ ହୋଇସାରିଲାଣି।
ଏହା ସତ୍ତ୍ବେ ଜିଏସ୍ଟି ପରିସରକୁ ସବୁ ସାମଗ୍ରୀକୁ ଅଣାଯାଇ ପାରିନାହିଁ। ପେଟ୍ରୋଲିୟମ ଉତ୍ପାଦ ଠାରୁ ଆରମ୍ଭ କରି ବିଭିନ୍ନ ଅବକାରୀ ସାମଗ୍ରୀ ଆଦିର ବିକ୍ରି ଉପରେ ରାଜ୍ୟ ସରକାର ଟିକସ ଆଦାୟ କରୁଛନ୍ତି। ବିଭିନ୍ନ ରାଜ୍ୟରେ ଏହି ଟିକସ ହାର ଭିନ୍ନ ଭିନ୍ନ ରହିଛି। ତଥାପି ଜିଏସ୍ଟି ବ୍ୟବସ୍ଥାରେ ଅନେକ ଅସଙ୍ଗତି ରହିଛି। ଏଥିରେ ଆହୁରି ସଂସ୍କାର ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।