ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସଖିପଡାର ଶ୍ରୀବତ୍ସ ନାୟକଙ୍କ ଆତ୍ମହତ୍ୟା ପାଇଁ ୨ ପୁଅ ପୁଲିସକୁ ଦାୟୀ କରିଛନ୍ତି। ପୁଲିସର ମାତ୍ରାଧିକ ନିର୍ଯାତନା ଯୋଗୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପୁଅ ସୁଧାଂଶୁ ଓ ଦୀକ୍ଷିତ୍ ଅଭିଯୋଗ କରିଛନ୍ତିି। ପୁଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କିଛି ଗ୍ରାମବାସୀ। ଆଜି ଏ ନେଇ କିଛି ଗ୍ରାମବାସୀଙ୍କ ଗହଣରେ ସୁଧାଂଶୁ ଓ ଦୀକ୍ଷିତ୍ ଏସପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ସହ ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଶ୍ରୀବତ୍ସ ଓ ତାଙ୍କ ପତ୍ନୀ ସଲମୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ଶ୍ରୀବତ୍ସ କାଳେ ବହୁ ସମୟରେ ନିର୍ଯାତନା ଦେଇ ଆସୁଥିଲେ ବୋଲି ସଲମୀ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ତାପରେ ପୁଲିସ ଉଭୟ ପକ୍ଷକୁ ଥାନାକୁ ଡକାଇ ଆପୋଷ ସମାଧାନ କରିବାକୁ ଉଦ୍ୟମ କରିଥିଲା। ହେଲେ ସଲମୀ ସ୍ୱାମୀ ଶ୍ରୀବତ୍ସଙ୍କ ପାଖରେ ନ ରହିବାକୁ ଜିଦ୍ ଧରି ବସିଥିଲେ। ଶେଷରେ ଗତ ୧୩ ତାରିଖରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଦୁହେଁ ଅଲଗା ରହିବା ନେଇ ପୁଲିସ ଏକ ଲିଖିତ ଚୁକ୍ତିନାମା କରିଥିଲା। ତାପରେ ଶ୍ରୀବତ୍ସ ୨ ପୁଅଙ୍କ ସହ ଘରକୁ ଫେରିଥିଲେ। ସଲମୀ ଶୁଣ୍ଢିଗାଁର ମଉସାଙ୍କ ଘରକୁ ଯାଇଥିଲେ। ଗତକାଲି ଶ୍ରୀବତ୍ସ ଶୁଣ୍ଢିଗାଁକୁ ଯାଇ ଘରକୁ ଫେରି ଆସିବାକୁ ପତ୍ନୀ ସଲମୀଙ୍କୁ ବୁଝାସୁଝା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଲମୀ ଓ ତାଙ୍କର ମଉସା ପରିବାର ଲୋକ ଶ୍ରୀବତ୍ସଙ୍କୁ ମାଡପିଟ୍ କରିଥିଲେ। ତାପରେ ସେଠାରୁ ଶ୍ରୀବତ୍ସ ଘରକୁ ଫେରି ଆସିଥିଲେ।
ଏ ନେଇ ସଲମୀଙ୍କ ମଉସା ପରିବାରର କେହି ଫୋନ ଯୋଗେ ପୁଲିସକୁ ଜଣାଇଥିଲେ। କଣ ପାଇ ସେଠାକୁ ଯାଇଥିଲୁ କହି ପୁଲିସ ଶ୍ରୀବତ୍ସଙ୍କୁ ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗିରଫ କରିବାକୁ କାଳେ ଧମକ ଦେଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଶ୍ରୀବତ୍ସ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଶ୍ରୀବତ୍ସଙ୍କର ମୃତ୍ୟୁ ହୋଇଥିଲା। ଆଜି ଶବବ୍ୟବଛେଦ ପରେ ଏ ନେଇ ବାପା ଶ୍ରୀବତ୍ସଙ୍କର ମୃତ୍ୟୁ ପାଇ ଫିରିଙ୍ଗିଆ ଥାନାର ସେକେଣ୍ଡ ଅଫିସର ବି.ଡି ଶର୍ମା ଦାୟୀ ବୋଲି ୨ ପୁଅ ଏସପିଙ୍କୁ ଲିଖିତ ଭାବେ ଜଣାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏ ନେଇ ଏସପିଙ୍କୁ ଶ୍ରୀ ଶର୍ମା ଅସଭ୍ୟ ଭାଷାରେ ଗାଳିଗୁଲକ କରିବା ଓ ଗିରଫ ଧମକ ଦେବା ନେଇ ମୋବାଇଲ ରେକର୍ଡିଂ ଭଏସ ମଧ୍ୟ ଶୁଣାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହାର ତଦନ୍ତ କରିବେ। ତଦନ୍ତ ପରେ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି ତାହା ହେଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତୀକ ସିଂ କହିଛନ୍ତି।