ଗୁରୁଚରଣଙ୍କ ଭିନ୍ନ ଏକ ଚିକିତ୍ସାଳୟ : ମାଟି, ପାଣି ଓ ପବନରେ ଭଲ ହେଉଛି ରୋଗ

ମାଟିର ମଣିଷ ମାଟିରେ ଲୀନ ହେବ। ମାଟିରୁ ଜୀବନର ଆରମ୍ଭ ଆଉ ସେଇଠି ହିଁ ଶେଷ। ସେହି ମାଟିର ସ୍ପର୍ଶରେ ବି ଅନେକ ଦୁରାରୋଗ୍ୟ ଭଲ ହେବ। ମଣିଷକୁ ଦୀର୍ଘାୟୁ ହେବାକୁ ଆଶୀର୍ବାଦ ଦେବ। ଏମିତି ମାଟି, ପାଣି ଓ ପବନକୁ ନେଇ ମଣିଷର ବଡ଼ ବଡ଼ ରୋଗକୁ ଭଲ କରୁଥିବା ବୈଦ୍ୟଗୁରୁ ହେଉଛନ୍ତି ଡାକ୍ତର ଗୁରୁଚରଣ ଜେନା। ତାଙ୍କ ଘର କଟକ ଜିଲ୍ଲା ବ୍ରାହ୍ମଣବାଡ଼ରେ। ସେ ୪୮ ବର୍ଷ ହେଲା ଭୁବନେଶ୍ୱରରେ ରହୁଛନ୍ତି। ଗୁରୁଚରଣ ସୂର୍ଯ୍ୟନଗରସ୍ଥିତ ଦୁର୍ଗାମଣ୍ଡପଠାରେ ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ପ୍ରାକୃତିକ ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ର ଚଳାଉଛନ୍ତି। କୃଷି ବିଜ୍ଞାନ ଗବେଷକ ଭାବେ ଚାକିରିରୁ ଅବସର ନେବା ପରେ ସେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଆରୋଗ୍ୟ ମନ୍ଦିର ଚିକିତ୍ସା ସଂସ୍ଥାରୁ ନେଚର୍‌ପ୍ୟାଥିରେ ଡିଗ୍ରି ହାସଲ କରିଛନ୍ତି। ଲୋକଙ୍କ ପାଖରେ ଏହି ବିଦ୍ୟା ସହଜରେ ପହଞ୍ଚାଇବା ପାଇଁ ସେ ପ୍ରାକୃତିକ ଚିକିତ୍ସା ଉପରେ ଅଧିକ ଗବେଷଣା କରିଥିଲେ।

ଗୁରୁଚରଣଙ୍କ ଏହି ପ୍ରାକୃତିକ ଚିକିତ୍ସା କେନ୍ଦ୍ରରେ ମାଟି, ପାଣି, ପବନ, ସୂର୍ଯ୍ୟକିରଣ ଓ ଆକାଶ ପରି ପଞ୍ଚତତ୍ତ୍ୱ ସହ କିଛି ଘରୋଇ ଖାଦ୍ୟର ନିୟମାବଳୀକୁ ନେଇ ଚିକିତ୍ସା କରାଯାଇଥାଏ। ୩୦ ହଜାରରୁ ଅଧିକ ରୋଗୀ ଏହି ଚିକିତ୍ସା ଦ୍ୱାରା ଉପକୃତ ହୋଇଛନ୍ତି। ତାଙ୍କର ଏଇ ଚିକିତ୍ସା କେନ୍ଦ୍ରରେ ମଧୁମେହ, ହୃଦରୋଗ, ରକ୍ତଚାପ, ଆଣ୍ଠୁଗଣ୍ଠି ବ୍ୟଥା, ମେଦବହୁଳତା ଓ କର୍କଟ ଭଳି ରୋଗର ଚିକିତ୍ସା କରାଯାଇଥାଏ। ପ୍ରତ୍ୟେକ ଦିନ ସକାଳ ସାଢ଼େ ୭ଟାରୁ ସାଢ଼େ ୧୧ଟା ଓ ଅପରାହ୍‌ଣ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରୋଗୀ ସେବା କରାଯାଇଥାଏ। ନିଜ ସାମର୍ଥ୍ୟ ଅନୁସାରେ ଲୋକ ଅର୍ଥ ଦେଇଥା’ନ୍ତି। ଏଠାରେ ଫଳରସ, ସବୁଜ ପନିପରିବା, କ୍ଷୀର ଓ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦିଆଯାଏ। ସେ ରୋଗ ଭଲ କରିବା ପାଇଁ ମାଟିର ସାହାଯ୍ୟ ନେଇଥାଆନ୍ତି। ଗୁରୁଚରଣ କୁହନ୍ତି, ମାଟି ଦେହରେ ରହିଥିବା ବିଷାକ୍ତ ଜିନିଷକୁ ଶୋଷି ରୋଗ ଭଲ କରିବାରେ ସହାୟକ ହୋଇଥାଏ। ତେଣୁ ସେ ପ୍ରତ୍ୟେକ ରୋଗର ଉପଚାର ପାଇଁ ମାଟିର ପ୍ରୟୋଗ କରନ୍ତି।

ଗୁରୁଚରଣ ପ୍ରାକୃତିକ ଚିକିତ୍ସାକୁ ଦେଶ ବିଦେଶରେ ପ୍ରସିଦ୍ଧ କରିବା ପାଇଁ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ପିଲା ତାଲିମ୍‌ ନେଇ ନିଜ ଅଞ୍ଚଳରେ ରୋଗୀ ସେବା ଆରମ୍ଭ କରିଦେଲେଣି। ଗୁରୁଚରଣଙ୍କ ନିକଟକୁ ନିଜ ରୋଗର ଉପଶମ ପାଇଁ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଗୋପାଲ୍‌ ରାମାନୁଜମ୍‌, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶି ଓ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ଡାକ୍ତର ଲୋକନାଥ ଆଚାର୍ଯ୍ୟ ଆସି ଭଲ ହୋଇ ଯାଇଛନ୍ତି। ଗୁରୁଚରଣଙ୍କ ବୟସ ଭଳି ତାଙ୍କ ସେବା ମନୋବୃତ୍ତି ମଧ୍ୟ ବଢ଼ିବାରେ ଲାଗିଛି। ତାଙ୍କର ଏହି ନିଃସ୍ୱାର୍ଥପର ସେବା ମନୋବୃତ୍ତି ପାଇଁ ତାଙ୍କୁ ‘ଅଟଳ ସମାଜସେବୀ ସମ୍ମାନ-୨୦୧୭’, ‘ପ୍ରାକୃତିକ ଚିକିତ୍ସାବିତ’୍‌ ସମ୍ମାନ ଓ ରାଷ୍ଟ୍ରଦୀପ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ନ୍ୟୁରୋଲୋଜି ରୋଗରେ ପୀଡ଼ିତ ହୋଇ ଗୁରୁଚରଣଙ୍କ ପାଖକୁ ଚିକିତ୍ସା ହେବାକୁ ଆସୁଥିବା ୩୪ବର୍ଷ ବୟସ୍କ ସୁକାନ୍ତ କୁମାର ସାହୁ କୁହନ୍ତି, ମୋ ପିଠିର ହାଡ଼ ମଧ୍ୟରେ ଥିବା ଜେଲି କୌଣସି କାରଣରୁ ଏପଟ ସେପଟ ହୋଇ ଯାଇଥିଲା। ମୁଁ ବସାଉଠା କି କଥାବାର୍ତ୍ତା କରିପାରୁ ନଥିଲି। ଏଠାକୁ ଆସି ଚିକିତ୍ସା ହେଲା ପରେ ୫୦ ପ୍ରତିଶତ ଭଲ ହୋଇଗଲାଣି। ଏହି ଚିକିତ୍ସା ଦ୍ୱାରା ଖୁବ୍‌ ଶୀଘ୍ର ଭଲ ହୋଇଯିବି ବୋଲି ହୃଦବୋଧ ହେଉଛି।

ରିପୋର୍ଟ: ସସ୍ମିତା ମଲ୍ଲ

ସମ୍ବନ୍ଧିତ ଖବର