ଅଧା ରାଜଧାନୀକୁ ଭିଜେଇଲା କାଳବୈଶାଖୀ: ଆସନ୍ତାକାଲିର ତାପମାତ୍ରାରେ ବିଶେଷ ପ୍ରଭାବ ପଡ଼ିବନି

ଭୁବନେଶ୍ବର: ଆଜି ସକାଳ ୭ଟା ବେଳକୁ ଆରମ୍ଭ ହୋଇଯାଇଥିଲା ଖରା। ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲା। ପ୍ରଚଣ୍ଡ ରୌଦ୍ରତାପ‌ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲା। ଦିନ ତମାମ ପାରା ବଢ଼ି ଚାଲିଥିବା ବେଳେ ଅପରାହ୍ନ ୨ଟା ୩୦ ପରେ ପାଗରେ ପରିବର୍ତ୍ତନ ଆସିଥିଲା। ଆକାଶରେ କଳା ବାଦଲ ଘୋଟି ଆସିଥିଲା। ଘଡ଼ଘଡ଼ି ବିଜୁଳି ସହିତ କାଳବୈଶାଖୀ ବର୍ଷା ରାଜଧାନୀକୁ ଭିଜେଇଥିଲା। ସହରର କିଛି ସ୍ଥାନରେ ବେଶ୍‌ ଅସରାଏ ବର୍ଷା ଢ଼ାଳିଥିବାବେଳେ ବାକି ସ୍ଥାନରେ ଝିପିଝିପି ବର୍ଷା ପଡ଼ିଥିଲା। ତେବେ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ବର କିଛିଟା ଥଣ୍ଡା ପଡ଼ିଛି। ଗରମ ଓ ଗୁଳୁଗୁଳିରୁ ଟିକିଏ ଆଶ୍ବସ୍ତି ମିଳିଛି। ବର୍ଷା ଓ ପବନ ଯୋଗୁ କିଛି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ହୋଇଯାଇଥିଲା। ତେବେ ଏହି ବର୍ଷା ଅଧିକ ମ‌ାତ୍ରାରେ ହୋଇନଥିବାରୁ ଆସନ୍ତାକାଲିର ତାପାମାତ୍ରାରେ ସେଭଳି ଆଖି ଦୃଶିଆ ପ୍ରଭା‌ବ ଦେଖିବାକୁ ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରହିବା ସହ ପ୍ରବଳ ଗୁଳଗୁଳି ଅନୁଭୂତ ହୋଇଥିଲା। ସକାଳ ୮ଟା ୩୦ରୁ ଭୁବନେଶ୍ବରରେ ତାପମାତ୍ରା ଉପର ମୁହାଁ ‌ହୋଇଥିଲା। ୮.୩୦ ସୁଦ୍ଧା ୩୪.୨ ଡିଗ୍ରି ତ‌ାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୧ଟା ୩୦ ବେଳକୁ ୪୧ ଡିଗ୍ରୀ ଓ ୨ଟା ୩୦ ବେଳକୁ ୪୩.୨ ଡିଗ୍ରୀ ହୋଇଥିଲା‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର