ଷ୍ଟେସନ ନାମକରଣକୁ ନେଇ ତେଜିଲା ଆନ୍ଦୋଳନ : ମୋଦୀଙ୍କ ଗସ୍ତବେଳେ ରେଳରୋକ ଧମକ

ରେଳ ବିଭାଗ ଅଧିକାରୀଙ୍କୁ ଘେରିଲେ, ଧାରଣାରେ ବସିଲେ ଶତାଧିକ ମହିଳା

ବଲାଙ୍ଗୀର : ଖୋର୍ଧା ବଲାଙ୍ଗୀର ରେଳପଥର ଭଇଁଷାପାଲି ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ଲାଟଫର୍ମ ଓ ଷ୍ଟେସନ୍ ଫାଟକରେ ଭଇଁଷାପାଲି ବୋଲି ଲେଖା ସରିଛି। ରେଳ ବିଭାଗର ରେକର୍ଡ଼ ପତ୍ରରେ ବି ଷ୍ଟେସନ୍‌ର ନାମ ଭଇଁଷାପାଲି ବୋଲି ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତ ସମୟରେ ଏହି ଷ୍ଟେସନର ଉଦ୍‌ଘାଟନ ସହ ବଲାଙ୍ଗୀରରୁ ଏହି ଷ୍ଟେସନ୍ ପର୍ଯ୍ୟନ୍ତ ରେଳ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ଏକରକମ ଚୂଡ଼ାନ୍ତ ହୋଇସାରିଛି। ଏତେ ସବୁ ପରେ କିନ୍ତୁ ଉଠିଛି କେଁ। ଷ୍ଟେସନ୍‌ର ନାମକରଣକୁ ନେଇ ଉପୁଜିଥିବା ବିବାଦ ଧୀରେ ଧୀରେ ତୀବ୍ର ରୂପ ନେବାରେ ଲାଗିଛି। ଷ୍ଟେସନଟି ବିଛୁପାଲି ମୌଜାର ଝାରବଲାଙ୍ଗୀରବାସୀଙ୍କ ଜମି ଉପରେ ନିର୍ମାଣ ହୋଇଛି। ଏଣୁ ଷ୍ଟେସନର ନାମକୁ ଭଇଁଷାପାଲି ବଦଳରେ ଝାରବଲାଙ୍ଗୀର ରୋଡ଼ ରଖାଯାଉ ବୋଲି ଏହି ଗାଁ ବାସିନ୍ଦା ଦାବି କରିଛନ୍ତି। ଏନେଇ ସେମାନେ ଆଜି ରେଳବାଇର ବରିଷ୍ଠ ଅଧିକାରୀମାନଙ୍କୁ ଘେରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଯଦି ଭଇଁଷାପାଲି ଷ୍ଟେସନର ନାମକରଣ ବଦଳାନଯାଏ, ତାହେଲେ ମୋଦୀଙ୍କ ଗସ୍ତ ଦିନ ତୀବ୍ର ପ୍ରତିବାଦ କରାଯିବ ଏବଂ ଦରକାର ପଡ଼ିଲେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏହି ଗାଁ ଲୋକଙ୍କ ଯୁକ୍ତି ହେଲା, ଷ୍ଟେସନଟି ବିଛୁପାଲି ମୌଜାର ପ୍ଲଟ ନଂ-୩୯୫, ୪୨୮, ୪୨୫, ୪୩୦, ୪୬୨, ୪୭୬, ୪୭୮ ଇତ୍ୟାଦିରେ ରହିଛି। ବିଛୁପାଲି ମୌଜାର ପ୍ରଜାମାନେ ଝାରବଲାଙ୍ଗୀର ଗାଁରେ ରହୁଛନ୍ତି। ସର୍ଭେ ସମୟରେ କିଛି କର୍ମଚାରୀ ବୋଧହୁଏ ସେହି ସ୍ଥାନର ନାଁ ଭଇଁଷପାଲି ରଖି ଦେଇଥିଲେ। କିନ୍ତୁ ପ୍ରକୃତରେ ସ୍ଥାନଟି ବିଛୁପାଲି ଓ ଝାରବଲାଙ୍ଗୀରରେ ରହିଛି। ଏପରିକି ରେଳ ଲାଇନ ନିର୍ମାଣ ସମୟରେ ମାଟି ମଧ୍ୟ ବିଛୁପାଲି, ଝାରବଲାଙ୍ଗୀରରୁ ଯାଇଥିଲା। ଭଇଁଷାପାଲିର କୌଣସି ଜମି ଷ୍ଟେସନରେ ନାହିଁ। ଷ୍ଟେସନରୁ ୩୦୦ ମିଟର ଆଗକୁ ଗଲେ ଭଇଁଷାପାଲି ଅଂଚଳ ଆସୁଛି ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଷ୍ଟେସନର ନାମକୁ ଭଇଁଷାପାଲି ବଦଳରେ ବିଛୁପାଲି କି ଝାରବଲାଙ୍ଗୀର ରୋଡ୍‌ ରଖାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ସିଓଏମ ଦେବରାଜ ପଣ୍ତା, ସିସିଏମ, ସିନିୟର ଡିଓଏମ, ସିନିୟର ଡିସିଏମଙ୍କ ସହ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଏହି ନବନିର୍ମିତ ଷ୍ଟେସନକୁ ତଦାରଖ ପାଇଁ ଯାଇଥିବା ବେଳେ ଝାରବଲାଙ୍ଗୀର ଗ୍ରାମର ଶତାଧିକ ପୁରୁଷ ମହିଳା ଷ୍ଟେସନରେ ପହଞ୍ଚି ନାମକରଣ ପ୍ରସଙ୍ଗ ଉଠାଇଥିଲେ। ଷ୍ଟେସନର ନାମ କେଉଁ ହିସାବରେ ଭଇଁଷାପାଲି ରଖାଗଲା ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ରେଳ ବିଭାଗ ଅଧିକାରୀମାନେ ନାମକରଣ ପ୍ରସଙ୍ଗରେ ସେମାନେ କିଛି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ। ଏଥିପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏହା ପରେ ଅଧଘଣ୍ଟା କାଳ ଷ୍ଟେସନରେ ମହିଳାମାନେ ଭଇଁଷାପାଲି ନାମକୁ ପ୍ରତିବାଦ କରି ଧାରଣାରେ ବସିଥିଲେ। ପରେ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ସେମାନେ କଥା ହେବେ ଏବଂ ଗ୍ରାମର ଏକ ପ୍ରତିନିଧିଦଳ ଯାଇ ମଧ୍ୟ ସାକ୍ଷାତ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏହାପରେ ଗ୍ରାମର ବାଞ୍ଝାନିଧି ମିଶ୍ର, ଯଜ୍ଞକର ମିଶ୍ର, ଲିଙ୍ଗରାଜ ମିଶ୍ର, ଲଳିତ ମୋହନ ମିଶ୍ର, ଅଜୟ ମହାନ୍ତି(ଟୁନା), ରମାନନ୍ଦ ମିଶ୍ର, ପ୍ରସନ୍ନ ମାଝୀ, କୀର୍ତ୍ତନ୍ୟ ମିଶ୍ରଙ୍କ ସମେତ ବରିଷ୍ଠ ନାଗରିକମାନେ ଜିଲ୍ଲାପାଳଙ୍କ ବାସଭବନରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, ସେ ଗ୍ରାମବାସୀଙ୍କ ଦାବି ସଂପର୍କରେ ରେଳ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର