ଏନ୍ଏଚ୍ରେ ଚାପୁଡ଼ାମରା ଲୁଟେରା ଆତଙ୍କ
ଖଣ୍ଡଗିରି: ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଛକରେ ବାଇକ୍ରେ ଆସି ୨ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଲୁଟ୍ କରିଛନ୍ତି। ଲୁଟ୍ର ଶିକାର ଯୁବକ ହେଲେ ନୟାଗଡ଼ ଖଣ୍ଡପଡ଼ା ଥାନା ଢୋଲମରା ଗାଁର କୁନା ନାଏକ। ଲୁଟେରାମାନେ ତାଙ୍କ ମୋବାଇଲ୍ ଫୋନ୍ ସହ ହଜାରେ ଟଙ୍କା ଛଡ଼ାଇ ନେଇଛନ୍ତି। ଯାଁଳା ଫାଣ୍ଡି ପୁଲିସ ଛାନ୍ଭିନ୍ କରିଥିଲେ ମଧ୍ୟ ଲୁଟେରାମାନଙ୍କ ଟେର୍ ପାଇନାହିଁ। ସୂଚନାନୁସାରେ କୁନା ତାଙ୍କ ସମ୍ପର୍କୀୟ ଦାଦା ଅଯୋଧ୍ୟା ନାଏକଙ୍କୁ ନେଇ ବାଇକ୍ (ଓଡି୨୫ ବି-୬୧୦୪) ଯୋଗେ ଖଣ୍ଡଗିରି ଜାଗମରାସ୍ଥିତ ଭଡ଼ାଘରକୁ ଫେରୁଥିଲେ। ସେମାନେ ଯାଁଳା ବଜାର ପାର୍ ହେଉଥିବାବେଳେ ହଠାତ୍ ପଛରୁ ଆସୁଥିବା ଏକ ହଙ୍କ୍ ବାଇକ୍ ସେମାନଙ୍କୁ ଅତିକ୍ରମ କରି ଅଟକି ଯାଇଥିଲା। ପଛରେ ବସିଥିବା ଯୁବକ କୁନାକୁ ଗାଡ଼ି ରଖିବାକୁ କହିଥିଲା। କୁନା ବାଇକ୍ ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ହଠାତ୍ ଆସି ବାଇକ୍ ଚାବି କାଢ଼ି ନେବା ସହ କିଛି ନ କହି ତାଙ୍କୁ ୨ ଚାପୁଡ଼ା ମାରିଲା। ଅନ୍ୟ ଜଣେ କୁନାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇବା ସହ ପକେଟ୍ରୁ ପର୍ସ ବାହାର କରି ନେଇଥିଲା। ସେଥିରେ ହଜାରେ ଟଙ୍କା, ଏଟିଏମ୍ କାର୍ଡ, ଭୋଟର ପରିଚୟ ପତ୍ର ଆଦି ଥିଲା। ପରେ ସେମାନେ ଭୁବନେଶ୍ବର ଦିଗରେ ପଳାଇଥିଲେ। ମାତ୍ର ୨/୩ ମିନିଟ୍ରେ ଘଟି ଯାଇଥିବା ଏଭଳି ଅପ୍ରତ୍ୟାଶିତ ଘଟଣାରେ ଉଭୟ ଦାଦା ପୁତୁରା ବୋକା ପାଲଟି ଯାଇଥିଲେ। ସେହିଭଳି ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଯାଁଳା ବଜାରରୁ ଦୁଇ ଜଣ ବାଇକ୍ ଆରୋହୀ ଯାଁଳା ଫାଣ୍ଡି ମୁଣ୍ଡମୁହାଁଣ ଗାଁର ମଣ୍ଟୁ ସ୍ବାଇଁଙ୍କଠାରୁ ମୋବାଇଲ୍ ଝାମ୍ପି ନେଇଥିଲେ। ସାଇକେଲରେ ଘରକୁ ଫେରୁଥିବା ମଣ୍ଟୁଙ୍କୁ ଦୁର୍ବୃତ୍ତଦ୍ବୟ ଅଟକାଇବା ପରେ ଅତର୍କିତଭାବେ ୨ ଚାପୁଡ଼ା ମାରି ମୋବାଇଲ୍ ଫୋନ୍ ଛଡ଼ାଇ ଚମ୍ପଟ ମାରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥରେ ତମାଣ୍ଡୋରୁ ଗଙ୍ଗପଡ଼ା ମଧ୍ୟରେ ଏହି ଚାପୁଡ଼ା ମରା ଲୁଟେରା ଗ୍ୟାଙ୍ଗ୍ ଆତଙ୍କରାଜ୍ ଚଳାଇଛି। ବାଇକ୍ ଆରୋହୀ ଏହି ଦୁଇ ଜଣିଆ ଗ୍ୟାଙ୍ଗ୍ ଲୋକଙ୍କୁ ଅଟକାଇ ଚାପୁଡ଼ା ମାରି ମୋବାଇଲ୍ ଫୋନ୍ ଓ ଟଙ୍କ ଲୁଟି ନେଉଛନ୍ତି।