ବାଲିଅନ୍ତା: ବାତ୍ୟାର ତିନି ଦିନ ବିତି ଯାଇଥିଲେ ମଧ୍ୟ ବାଲିଅନ୍ତା ବ୍ଲକରେ ବିଭିନ୍ନ ବିଭାଗର ଅଧିକାରୀମାନେ ବିପନ୍ନଙ୍କ ନିକଟରେ ପହଞ୍ଚି ପାରି ନାହାନ୍ତି। ଉଜୁଡ଼ା ଫସଲର କ୍ଷୟକ୍ଷତି ଆକଳନ କରିବା ପାଇଁ କୃଷି ବିଭାଗ ତତ୍ପରତା ଦେଖାଇ ନଥିବା ବେଳେ ଭାଙ୍ଗି ଯାଇଥିବା ଘରର ରିପୋର୍ଟ ସଂଗ୍ରହ କରିବା ପାଇଁ ରାଜସ୍ବ ବିଭାଗ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ନାହିଁ। ବିଭାଗୀୟ ସ୍ତରରେ କ୍ଷୟକ୍ଷତି ତାଲିକା ପ୍ରସ୍ତୁତରେ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର: ଫନି ପୀଡ଼ିତଙ୍କୁ ରିଲିଫ୍ ପ୍ରଦାନ କରିବା ପାଇଁ ଓଡ଼ିଶା ରେଡ୍କ୍ରସ ରାଜ୍ୟ ଶାଖା ପକ୍ଷରୁ ପ୍ରସ୍ତୁତି ଚାଲିଛି। ରାଜ୍ୟ ଶାଖା ସଚିବ ଡ. କଳ୍ପନା ଦାସଙ୍କ ନେତୃତ୍ବରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଚନ୍ଦକା ମହାବିଦ୍ୟାଳୟ, କଟକ ମହାବିଦ୍ୟାଳୟର ପ୍ରାୟ ଶହେ ଜଣ ସ୍ବେଚ୍ଛାସେବୀ ଓ ଆଜୀବନ ସଦସ୍ୟ ରେଡ୍କ୍ରସ୍ ଭବନ ପରିସରରେ ଏହି ପ୍ରସ୍ତୁତି ଜାରି ରଖିଛନ୍ତି। ଆଜି ଏହି ପ୍ରସ୍ତୁତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତଦାରଖ କରିଛନ୍ତି। ସ୍ଥାନୀୟ ପୁଲିସ, ପ୍ରଶାସନ ଓ ଲୋକସମ୍ପର୍କ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ରିଲିଫ୍ ପ୍ରଦାନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଶିଶୁଙ୍କୁ କିଭଳି ଶିଶୁ ଖାଦ୍ୟ ପ୍ରଦାନ କରାଯାଇ ପାରିବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି। ପୂର୍ବରୁ ପୁରୀ, କଣାସ, ପିପିଲି, ସାତପଡ଼ା, ଭୁବନେଶ୍ବର ପ୍ରଭୃତି ଜାଗାରେ ରିଲିଫ୍ ପ୍ରଦାନ କରାଯାଇଛି। ଚୁଡ଼ା, ଗୁଡ଼, ମହମବତି, ଦିଆସିଲି ସହ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ପ୍ରଦାନ କରାଯାଉଛି। ଶାଖା ପକ୍ଷରୁ ଏକ ଜରୁରିକାଳୀନ ସହାୟକ ଦଳ ଗଠନ କରାଯାଇଛି। ଏହି ପରିସ୍ଥିତି ମୁକାବିଲା ପାଇଁ ୨ଟି ସ୍ବାସ୍ଥ୍ୟ ରକ୍ଷାକାରୀ ଦଳ ମଧ୍ୟ ଗଠନ କରାଯାଇଛି। ୧୭ଟି ଜିଲ୍ଲାରେ ଏହି ଦଳମାନଙ୍କୁ ମୁତୟନ କରାଯାଇଛି। ବିଭିନ୍ନ ଆଶ୍ରୟସ୍ଥଳରେ ୧ହଜାରରୁ ଊର୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଏଯାବତ୍ ଶହେରୁ ଊର୍ଧ୍ବ ଆହତଙ୍କୁ ଚିକିତ୍ସା କରାଯାଇଛି। ୧୫ଶହ ସ୍ବେଚ୍ଛାସେବୀ ଉପକୂଳ ଜିଲ୍ଲାରେ ବାତ୍ୟା ପରର ସ୍ଥିତି ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି।
ଆଉ ୪ ଦିନ ବଢ଼ିଲା ରନ୍ଧାଖାଦ୍ୟ ଯୋଗାଣ
ବାଲିଅନ୍ତା ବ୍ଲକ ଅଞ୍ଚଳରେ ଖୋଲିଥିବା ୧୩୦ଟି ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆଉ ୪ ଦିନ ବୃଦ୍ଧି କରାଯାଇଛି। ଏନେଇ ଆଜି ଭୁବନେଶ୍ବର ଉପଜିଲ୍ଲାପାଳ ଶୁଭେନ୍ଦୁ ଶେଖର ସାହୁ ବାଲିଅନ୍ତା ବ୍ଲକରେ ପହଞ୍ଚି ବିଡିଓ ରଶ୍ମିରେଖା ପ୍ରଧାନଙ୍କ ସହ ଆଲୋଚନା କରିବା ସହ ଆଉ ୪ଦିନ ରନ୍ଧା ଖାଦ୍ୟ ପ୍ରଦାନ ଲାଗି ଘୋଷଣା କରିଥିଲେ। ଆଲୋଚନା ସମୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଉପରୋକ୍ତ କେନ୍ଦ୍ରରେ ୧୫ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଥିବା ବେଳେ ବାତ୍ୟା ପରେ ଲୋକଙ୍କ ସଂଖ୍ୟା ବଢ଼ିଥିବାରୁ ସମସ୍ୟା ଉପୁଜିଥିବା ନେଇ ଜନ ପ୍ରତିନିଧିମାନେ ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଆଶ୍ରସ୍ଥଳରେ ଥିବା ୨ରୁ ୩ବର୍ଷର ଶିଶୁମାନଙ୍କ ଲାଗି ଖାଦ୍ୟ ଯୋଗାଇ ଦିଆଯାଇନଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା।
ଗୋଖାଦ୍ୟ ଯୋଗାଣରେ ବିଳମ୍ବ
୨୦୧୧ ଜନଗଣନା ଅନୁଯାୟୀ ବାଲିଅନ୍ତା ବ୍ଲକରେ ୨୫ ହଜାର ଗୃହପାଳିତ ପ୍ରାଣୀ ଥିବା ବେଳେ ଅଦ୍ୟାବଧି ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ଗୋଖାଦ୍ୟ ଯୋଗାଣ ହୋଇପାରିନାହିଁ। ବାତ୍ୟାରେ ଚାରଣ ଭୂମି ଜଳାର୍ଣ୍ଣବ ହୋଇଯାଇଛି। ଲୋକମାନେ ସାଇତି ରଖିଥିବା ନଡ଼ା ଓ ଗୋଖାଦ୍ୟ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ଗୃହପାଳିତ ପ୍ରାଣୀ ଭୋକ ଉପାସରେ ରହିଛନ୍ତି। ଆଲୋଚନା ବେଳେ ବାଳକାଟି ଓ ବେଣୁପୁର ବ୍ଲକ ଭେଟେରେନାରି ଅଫିସର (ବିଭିଓ) ଅନୁପସ୍ଥିତ ଥିବାରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରିବା ପାଇଁ ଉପଜିଲ୍ଲାପାଳ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ।
କିରାସିନି କଳାବଜାର
ବାଲିଅନ୍ତା ବ୍ଲକରେ ୩୧ ହଜାର ଉପଭୋକ୍ତାଙ୍କ ଲାଗି କିରାସିନି ଆବଶ୍ୟକ ଥିବା ବେଳେ ଡିଲର୍ ଓ ପଞ୍ଚାୟତ ପଏଣ୍ଟରେ ଚଳିତ ମାସର କିରାସିନି ବଣ୍ଟନ ହୋଇନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ କିରାସିନି ବଣ୍ଟନରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କିରାସିନି କଳାବଜାର ହେଉଥିବା ନେଇ ଅଭିଯୋଗ ହୋଇଛି। ବ୍ଲକ ଯୋଗାଣ ନିରୀକ୍ଷକ ଧୀରଜ କୁମାର ଭୂୟାଁଙ୍କ କହିବାନୁଯାୟୀ, କିରାସିନି ଲିଟର ପିଛା ମୂଲ୍ୟ ସହ ପରିବହନ ଖର୍ଚ୍ଚ ମିଶାଇ ହିତାଧିକାରୀଙ୍କଠାରୁ ନିଆଯାଉଛି। ଏଭଳି ପରିସ୍ଥିତରେ ଯଦି କୌଣସି ଡିଲର୍ କିମ୍ବା ଖୋଲା ବଜାରରେ ବ୍ୟବସାୟୀମାନେ କଳାବଜାର କରନ୍ତି ତା’ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।