ଇମ୍ଫା ଖଣିରେ ଶ୍ରମିକ-ଠିକା କଂପାନି ମୁହାଁମୁହିଁ

କାଳିଆପାଣି : ଇମ୍ଫାର ମହାଗିରି ଭୂତଳ କ୍ରୋମାଇଟ୍‌ ଖଣିରେ ଠିକା କଂପାନି ଓ ଶ୍ରମିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥାନାରେ ପହଞ୍ଚିଛି। ଠିକା ସଂସ୍ଥା ମାହେଶ୍ବରୀ ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ୫୦ ଶ୍ରମିକଙ୍କ ନାମରେ କାଳିଆପାଣି ଥାନାରେ ମାମଲା ରୁଜୁ କରାଯିବା ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଶତାଧିକ ଶ୍ରମିକ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଠିକା ସଂସ୍ଥାର ଏଭଳି ପଦକ୍ଷେପକୁ ନେଇ ଶ୍ରମିକ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ମାମଲାର ଶୀଘ୍ର ସମାଧାନ ଓ ଥାନାରୁ ମାମଲା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଶ୍ରମିକମାନେ କାମରେ ଯୋଗ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ସମୟ‌େର ଆୟୋଜନ କରାଯାଇଥିବା ରୢାଲିରେ ଭାଗନେବା ପାଇଁ କିଛି ଶ୍ରମିକ ଛୁଟି ନେଇଥିଲେ। ଶ୍ରମିକ ସଂଘ ଠାରୁ ଅନୁମତି ନେଇ ସେମାନେ ଛୁଟିରେ ରହିଥିଲେ। ସେମାନେ ଏବିଷୟରେ କଂପାନି କର୍ତୃପକ୍ଷଙ୍କୁ ସୂଚନା ଦେଇନଥିଲେ। କାମରେ ଅନୁପସ୍ଥିତ ରହିବାରୁ ଠିକା ସଂସ୍ଥା ତରଫରୁ ଶ୍ରମିକମାନଙ୍କ ଦରମା କାଟିଦିଆଯାଇଥିଲା। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ମାହେଶ୍ବରୀ ମାଇନିଂର ମହାପ୍ରବନ୍ଧକ ଦିଲ୍ଲୀପ କୁମାର ମୁଖାର୍ଜୀ ଓ ଶ୍ରମିକମାନଙ୍କ ପ୍ରତିନିଧି ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଠିକା ସଂସ୍ଥାର ଅଧିକାରୀମାନେ ଅପଶବ୍ଦ ବ୍ୟବହାର କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ କରିବା ପାଇଁ ଇମ୍ଫା ମହାଗିରି ଭୂତଳ ଖଣିର ମହାପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇମ୍ଫା ପ୍ରଶାସନିକ ଅଧିକାରୀ ଦେବାଶିଷ ସାମଲ, ଏମ୍ଏମପିଏଲ୍‌ ଜିଏମ୍‌ ଶ୍ରୀ ମୁଖାର୍ଜୀ ଓ ଶ୍ରମିକସଂଘ ପ୍ରତିନିଧି ଭାବେ ସଭାପତି ଭରତ ଚନ୍ଦ୍ର ରାଉତ, ସଂପାଦକ ଦୀପକ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପୁଲିସ କିଛି ଶ୍ରମିକଙ୍କୁ ଖୋଜୁଥିବା ଜାଣିବା ପରେ ଶତାଧିକ ଶ୍ରମିକ କାଳିଆପାଣି ଥାନାରେ ପହଞ୍ଚି ବିକ୍ଷୋଭ କରିଥିଲେ।

ଏହି ବିବାଦ ସମ୍ପର୍କରେ ଇମ୍ଫା‌ ତରଫରୁ କୁହାଯାଇଛି ଯେ, ଠିକା କଂପାନି ଓ ଶ୍ରମିକମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ସହିତ କଂପାନିର କୌଣସି ସମ୍ପର୍କ ନାହିଁ। ‌ଶ୍ରମିକ ସଂଗଠନର କର୍ମକର୍ତାଙ୍କ ସହଯୋଗରେ ଉଭୟ ପକ୍ଷ ବିବାଦର ସମାଧାନ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଦ୍ବାରା ଖଣି କାର୍ଯ୍ୟ ପ୍ରଭାବିତ ହେବା ନାହିଁ ବୋଲି ଇମ୍ଫାର ଜଣେ ଅଧିକାରୀ କହିଛନ୍ତି।

ଏହି ମାମଲା ସମ୍ପର୍କରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି ଯେ, ୫୦ ରୁ ଅଧିକ ଶ୍ରମିକଙ୍କ ନାଁରେ ୪୭/୨୦୧୯ ରେ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର