‌ବୋର୍ଡ ପାଠ୍ୟପୁସ୍ତକ ଛପାକୁ ନେଇ ବିବାଦ : ଆଉ ଛାପିବେନି ଘରୋଇ ପ୍ରିଣ୍ଟର, ବାଇଣ୍ଡର

ସରକାରଙ୍କ ଟେକ୍ସଟ ବୁକ ପବ୍ଲିକେସନ ନେବ ଦାୟିତ୍ବ, ଆନ୍ଦୋଳନ ପାଇଁ କର୍ମଚାରୀ ସଂଘର ଚେତାବନୀ, ବୋର୍ଡର କୌଣସି କ୍ଷତି ହେବ ନାହିଁ: ସଂପାଦକ

କଟକ : କଟକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପାଠ୍ୟପୁସ୍ତକ ପ୍ରକାଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି ସରକାର। ଏଣିକି ଏହି ପାଠ୍ୟପୁସ୍ତକ ଘରୋଇ ପ୍ରିଣ୍ଟର ଓ ବାଇଣ୍ଡର ସଂସ୍ଥାଙ୍କ ବଦଳରେ ରାଜ୍ୟ ସରକାରଙ୍କ ଟେକ୍ସଟ ବୁକ ପବ୍ଲିକେସନ ଆଣ୍ଡ ମ୍ୟାନେଜମେଣ୍ଟ (ଟିବିପିଏମ୍) ଦ୍ବାରା ଛପା ଯିବ। କିନ୍ତୁ ଏହି ସଂଶୋଧିତ ପ୍ରକ୍ରିୟାରେ ବୋର୍ଡର ଆର୍ଥିକ ସ୍ଥିତିକୁ ନେଇ ସଙ୍କଟ ସୃଷ୍ଟି ହେବ ବୋଲି ଆଶଙ୍କା କରି କର୍ମଚାରୀ ସଂଘ ଆନ୍ଦୋଳନ ଚେତାବନୀ ଦେବା ସହ ବୋର୍ଡ ସଭାପତିଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। କିନ୍ତୁ ଏହା ଦ୍ବାରା ବୋର୍ଡର କୌଣସି ଆର୍ଥିକ ସମସ୍ୟା ହେବାର ନାହିଁ। ବରଂ ପାଠ୍ୟପୁସ୍ତକ ଛପା କାର୍ଯ୍ୟରେ ହେଉଥିବା ବିଳମ୍ବକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ବୋର୍ଡର ସଂପାଦକ ରାମାଶିଷ ହାଜରା କହିଛନ୍ତି।

ସୂଚନା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ (‌ବୋର୍ଡ) ୧୯୫୭ରୁ ଅଷ୍ଟମ, ନବମ ଓ ଦଶମ ପାଠ୍ୟ ପୁସ୍ତକ ପ୍ରକାଶନ ଓ ବିତରଣ କରିଆସୁଛି। କିନ୍ତୁ ଗଲା ଏପ୍ରିଲ ୪ ତାରିଖରେ ‌ଗଣଶିକ୍ଷା ବିଭାଗ ପକ୍ଷରୁ କମିସନରଙ୍କ ଅଧ୍ୟକ୍ଷତାରେ ଅନୁ୍ଷ୍ଠିତ ବୈଠକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହି ଗଣଶିକ୍ଷା ବିଭାଗ ଦ୍ବାରା ଛାପିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୦-୨୧ ଶିକ୍ଷା ବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସହ ‌ନବମ, ଦଶମ ପାଠ୍ୟପୁସ୍ତକ ଟେକ୍ସଟ ବୁକ୍ ପବ୍ଲିକେସନ ଆଣ୍ଡ ମ୍ୟାନେଜମେଣ୍ଟ (ଟିବିପିଏମ୍) ଛାପିବ ବୋଲି ନିଷ୍ପତ୍ତି ନିଆଗଲା। ଛାପିବା କାଗଜ ଟିବିପିଏମ୍ କିଣିବ ଓ ଏହାର ଦାମ୍‌ ବୋର୍ଡ ଦେବ। ‌‌ସେହିପରି ପାଠ୍ୟପୁସ୍ତକ ଛାପିବା, ବାଇଣ୍ଡିଂ ଆଦି କାର୍ଯ୍ୟ ଟିବିପିଏମ୍ ତତ୍ତ୍ବାବଧାନରେ କରାଯିବ। କିନ୍ତୁ ଏହି ପୁସ୍ତକକୁ କିଏ ବିକିବେ, ଛାପା କାଗଜ କିଣା ଅର୍ଥ ବୋର୍ଡ ଦେଲେ ବୋର୍ଡ ଏହି ଅର୍ଥ କେଉଁଠୁ ପାଇବ ବୋଲି ସଂଘ ସଭାପତିଙ୍କୁ ପ୍ରଶ୍ନ କରିଛି। ବୋର୍ଡ ରେଜିଷ୍ଟ୍ରିଭୁକ୍ତ କଟକରେ ପ୍ରିଣ୍ଟର ଓ ବାଇଣ୍ଡର ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ ବୋଲି ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି। ଏପରି ନିଷ୍ପତ୍ତି ଦ୍ବାରା ସହରର ୫୦ରୁ ଅଧିକ ଛାପା ସଂସ୍ଥାର ୫ହଜାରରୁ ଅଧିକ କର୍ମଚାରୀ ନିଜ ରୋଜଗାର ହରାଇ ବସିବେ। ଏପରି ନିଷ୍ପତ୍ତି ସଂକ୍ରାନ୍ତୀୟ ଆଦେଶନାମା ବୋର୍ଡ କାର୍ଯ୍ୟାଳୟକୁ ଚଳିତ ମାସ ୧୪ ତାରିଖରେ ଆସିଥିଲେ ମଧ୍ୟ ବୋର୍ଡ ପକ୍ଷରୁ ଏ ବିଷୟରେ ସାଧାରଣ ପରିଷଦ ବୈଠକ, କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବା ବୋର୍ଡ ଦ୍ବାରା ଗଠିତ ବିଭିନ୍ନ କମିଟି ସମ୍ମୁଖରେ ଆଲୋଚନା ନକରି ସହମତି ପ୍ରକାଶ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ତେଣୁ ଏପରି ନିଷ୍ପତ୍ତିକୁ ସଂଘ ଦୃଢ଼ ବି‌ରୋଧ କରିବା ସହ ଏ ବିଷୟରେ ଅଫିସର୍ସ ସଂଘ ପକ୍ଷରୁ ଧର୍ମେନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ସଂଘ ସଭାପତି ଦିଲ୍ଲୀପ କୁମାର ସିଂହ ବୋର୍ଡ ସଭାପତିଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏହା ବିରୋଧରେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।

କିନ୍ତୁ ଏ ସଂପର୍କରେ ବୋର୍ଡର ସଂପାଦକ ରାମାଶିଷ ହାଜରା କହିଛନ୍ତି ଯେ ବୋର୍ଡର ଏଥିରେ କୌଣସି ଆର୍ଥିକ କ୍ଷତି ହେବ ନାହିଁ। ବୋର୍ଡ କାଗଜ ପାଇଁ ପଇସା ଦେବ। ପୁସ୍ତକର ଦର ନିର୍ଦ୍ଧାରଣ କରିବ ଏବଂ ବୋର୍ଡ ପୁସ୍ତକ ମଧ୍ୟ ବିକ୍ରି କରିବ। ଘରୋଇ ପ୍ରିଣ୍ଟର ଓ ବାଇଣ୍ଡରମାନଙ୍କ ଦ୍ବାରା ପାଠ୍ୟ ପୁସ୍ତକ ଛପାରେ ଯେଭଳି ବିଳମ୍ବ ଅଭିଯୋଗ ହୋଇ ଆସୁଥିଲା, ତାହାର ସମାଧାନ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ହାଜରା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର