ଘର ମାଟୁ ଖସି ୧୧ ବର୍ଷୀୟ ବାଳିକା ମୃତ

ବାଲେଶ୍ୱର: ବୁଧବାର ରାତିରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ବାଜିପୁର ଗ୍ରାମର ଜଣେ ବାଳିକା ଉପରେ ଘରର ମାଟୁ ଖସିପଡ଼ିବା କାରଣରୁ ମୃତ୍ୟୁ ଘଟିଛି।

ମୃତ ବାଳିକା ହେଉଛନ୍ତି ସଞ୍ଜୟ ନାୟକଙ୍କ ୧୧ ବର୍ଷୀୟ ଝିଅ ଟ୍ଵିଙ୍କ୍‌ଲ୍‌।

ବାଜିପୁର ୟୁଜିୟୁପି ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥିବା ମେଧାବିନୀ ଛାତ୍ରୀ ପୂଜା ଗତରାତିରେ ତାଙ୍କର ସାନ ଜେଜିମା ଓ ପିଉସୀଝିଅଙ୍କ ସହ ଉପରେ ମାଟୁ ହୋଇଥିବା ମାଟି ଘରେ ଶୋଇଥିଲେ।

ରାତି ପ୍ରାୟ ୧ଟା ବେଳେ ବର୍ଷାରେ ଭେଦି ଯାଇଥିବା ଯୋଗଁ କିମ୍ବା ଅନ୍ୟ କୌଣସି କାରଣରୁ ମାଟୁ ସେମାନଙ୍କ ଉପରେ ଖସି ପଡ଼ିଲା। ସେମାନେ ଚିତ୍କାର କରିବାରୁ ପରିବାରର ଅନ୍ୟ ଲୋକମାନେ ଧାଇଁ ଆସି ଭାଙ୍ଗିପଡ଼ିଥିବା ସ୍ତପ ତଳୁ ସେମାନଙ୍କୁ ଉଦ୍ଧାର କରିଥିଲେ। ମାଟୁର ବହୁଳାଂଶ ଟ୍ଵିଙ୍କ୍‌ଲ୍‌ ଉପରେ ପଡ଼ିଥିବାରୁ ତା’ର ସ୍ୱାସ୍ଥ୍ୟାବସ୍ଥା ଅତି ସାଙ୍ଘାତିକ ହୋଇଯାଇଥିଲା।

ଚିକିତ୍ସା ନିମନ୍ତେ ତୁରନ୍ତ ଟ୍ଵିଙ୍କ୍‌ଲ୍‌କୁ ଗୋପାଳପୁର ଡାକ୍ତରଖାନାକୁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବିଗ୍ନ ଥିବା ପିଲାଟିର ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ସେଠାକୁ ନିଆଯାଇ ଚିକିତ୍ସା କରାଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସକୁ ଖବର ଦିଆଯାଇ ବ୍ୟବଚ୍ଛେଦ ନିମନ୍ତେ ଟ୍ଵିଙ୍କ୍‌ଲ୍‌ର ଶବ ଡାକ୍ତରଖାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର