ବିଦ୍ୟାଳୟ ପଥରେ ଛାତ୍ରଛାତ୍ରୀ ହୀନସ୍ତା : ଜଙ୍ଗଲିଆ ପରିବେଶ ସାଙ୍ଗକୁ କାଦୁଅ ପଚପଚ ରାସ୍ତାରେ ଅତି ଦୟନୀୟ ଭାବେ ୪ କିଲୋମିଟର ଦୂରରେ ଥିବା ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରମାନେ
ଯାତାୟାତର ସୁବିଧା ନଥିବାରୁ ଛାତ୍ରୀମାନେ ପାଠପଢ଼ା ଛାଡ଼ି ଦେଇଛନ୍ତି
ନୂଆଗାଁ : ପାଣି-କାଦୁଅରେ ୪ କିଲୋମିଟର। କାଦୁଅ ପଚପଚ ରାସ୍ତା ସାଙ୍ଗକୁ ଜଙ୍ଗଲିଆ ପରିବେଶ, ଆଉ ତା’ ସାଙ୍ଗକୁ ନଦୀର ପ୍ରଖର ସ୍ରୋତ। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ନିଜ ଜୀବନକୁ ବାଜି ଲଗାଇ ଛାତ୍ରମାନେ ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ଏହି ଘଟଣା ନ ଦେଖିଲେ ସହଜରେ ବିଶ୍ୱାସ କରି ହେବନି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୧ ଜଣ ଛାତ୍ର ପ୍ରତିଦିନ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଉଥିବା ଦେଖିବାକୁ ମିଳିଛି। ଯାତାୟାତର ସୁବିଧା ନଥିବାରୁ ଛାତ୍ରୀମାନେ ପାଠପଢ଼ା ଛାଡ଼ି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଗାଁ ବ୍ଲକ୍ରେ ଏମିତି ଅନେକ ଗାଁ ରହିଛି ଯେଉଁଠି ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡ଼େନି। ଲୋକମାନେ କେତେବେଳେ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେଣି ତ ଆଉ କେତେବେଳେ ରୋଗୀମାନେ ଖଟିଆ ଯୋଗେ ବୁହା ହେଲେଣି। ଆଉ ଏବେ ଛାତ୍ରମାନେ କାଦୁଅ ପଚପଚ ରାସ୍ତାରେ ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ଚିରନିଦ୍ରାରେ ରହିଛି ବ୍ଲକ୍ ପ୍ରଶାସନ। ଜାକେଡ଼ା ପଞ୍ଚାୟତର ଚଡ଼କମରା, କେନ୍ଦୁବଣିଆ, କୁଶିବିଡ଼ା, ରାମପଲ୍ଲୀ, ଗୁଣ୍ତୁରାସାହି, କରଡ଼ାପଲ୍ଲୀ ଆଦି ଗ୍ରାମର ୨ ହଜାରରୁ ଊର୍ଦ୍ଧ୍ବ ଲୋକ ରାସ୍ତା ପାଇଁ ହିନସ୍ତା ହେଉଛନ୍ତି। ଗାଁକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନଥିବାରୁ ଛାତ୍ରମାନେ ସେହି କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି। ଏମିତି ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଦୁର୍ଦ୍ଦଶା ଭୋଗ କରୁଥିଲେ ମଧ୍ୟ ଅନ୍ୟମାନଙ୍କୁ କିଛି ଫରକ୍ ପଡ଼ୁନି।
ବିଦ୍ୟାଳୟ ଯିବାକୁ ହେଲେ ଏହି ୧୧ ଜଣ ଛାତ୍ର ସକାଳ ୯ଟାରେ ଘରୁ ବାହାରିଥାନ୍ତି। ଆଉ ଘରକୁ କେତେବେଳେ ଫେରନ୍ତି, ତା’ର କିଛି ହିସାବ ନଥାଏ। ହାତରେ ଖଣ୍ତିଏ ସାଇକେଲ୍ ଧରି ବିଦ୍ୟାଳୟ ଯିବା ରାସ୍ତାରେ କରଡ଼ାପଲ୍ଲୀ ନଦୀ ପଡ଼ୁଥିବାରୁ ଛାତ୍ରଙ୍କ ପାଇଁ କାଳ ସାଜିଥାଏ। ନଦୀରେ ବନ୍ୟାଜଳ ଆସିଲେ ଛାତ୍ରମାନେ ନଦୀ ପାର ହେବାକୁ ନଦୀକୂଳରେ ଘଣ୍ଟାଘଣ୍ଟା ଧରି ଜଗି ରୁହନ୍ତି। ନଦୀରୁ ବନ୍ୟାଜଳ କମିବା ପରେ ଅନ୍ଧାରିଆ ଜଙ୍ଗଲିଆ ରାସ୍ତାରେ ଘରକୁ ଫେରିଥାନ୍ତି। ଏହି ଘଟଣା ଦିନକର ନୁହେଁ। ସବୁଦିନ ଏଭଳି ଅତି ଦୟନୀୟ ଅବସ୍ଥାରେ ଯିବା ଆସିବା କରିଥାନ୍ତି। କେବଳ ଛାତ୍ର ନୁହନ୍ତି, ଜଙ୍ଗଲିଆ ପରିବେଶ ସାଙ୍ଗକୁ କାଦୁଅ ପଚପଚ ରାସ୍ତା ଏବଂ ନଦୀ ପାର ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଗାଁରୁ ବିଦ୍ୟାଳୟ ଯିବାର ସୁବିଧା ନଥିବା ଏବଂ ଜଙ୍ଗଲିଆ ପରିବେଶକୁ ଦେଖି ଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ପାଠପଢ଼ା ଛାଡ଼ି ଛାତ୍ରୀମାନେ ଗାଁରେ ବିଭିନ୍ନ କାମଧନ୍ଦାରେ ନିଜକୁ ନିୟୋଜିତ କରୁଥିବା ଗ୍ରାମବାସୀମାନେ କହିଛନ୍ତି। ତେବେ ଗାଁ’ର ଏହି ମୌଳିକ ସମସ୍ୟା ପ୍ରତି ପ୍ରଶାସନର କେବେ ଦୃଷ୍ଟି ପଡ଼ିବ ତାହା ଏବେ ଆଲୋଚନାର ବିଷୟ ହୋଇଛି।