ବ୍ରାଉନ୍‌ସୁଗାରରେ ବିୟୁଟି, ଗଞ୍ଜେଇରେ ସେବତୀ

ଖଣ୍ଡଗିରି: ନିଶା‌ କାରବାର ଅଭିଯୋଗରେ କମିସନରେଟ୍‌ ପୁଲିସ ପୁଣି ଜଣେ ଯୁବତୀଙ୍କୁ ଗିରଫ କରିଛି। ଶନିବାର ସକାଳ ପ୍ରାୟ ୮ଟାବେଳେ ସ୍ଥାନୀୟ ପଞ୍ଚସଖାନଗର ନିକଟ ଶିବମନ୍ଦିର ପାଖରୁ ଖଣ୍ଡଗିରି ଥାନା ପୁଲିସ ଏକ ଗଞ୍ଜେଇ ବୋଝେଇ କାର୍ ଜବତ କରିବା ସହ ଫୁଲବାଣୀ ଖଜୁରିପଡ଼ାର ସେବତୀ ବେହେରା(୨୦)ଙ୍କୁ ଗିରଫ କରିଛି। ସେବତୀଙ୍କ ସହ ଗିରଫ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ହେଲେ ଫୁଲବାଣୀ ପିଅନପଡ଼ାର ଦୀପୁରଂଜନ ସ୍ବାଇଁ(୩୫)। ଜବତ କାର୍(ଓଡି୦୨ୟୁ-୬୦୭୫)ରୁ ୫୨ କିଲୋଗ୍ରାମ୍ ଗଞ୍ଜେଇ ମିଳିଛି। ଏହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗତ ସପ୍ତାହରେ ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ ବସ୍ତି ଅଞ୍ଚଳରୁ ବ୍ରାଉନ୍‌ସୁଗାର ବେପାର କରୁଥିବା ଅଭିଯୋଗରେ ବଙ୍ଗୀୟ ଯୁବତୀ ବିୟୁଟି ପୋଦାର ଗିରଫ ହୋଇଥିବାବେଳେ ଏଥର ଗଞ୍ଜେଇ ବେପାରରେ ସେବତୀ ଗିରଫ ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂଚନାନୁସାରେ କନ୍ଧମାଳରୁ ଗଞ୍ଜେଇ ନେଇ ଆଜି ସେବତୀ ଓ ଦୀପୁ ପଞ୍ଚସଖାନଗରରେ ପହଞ୍ଚିଥିଲେ। ସେଠାରେ ସେମାନେ କୌଣସି ବେପାରୀକୁ ମାଲ୍‌ ଦେବାର ଥିଲା। ମାତ୍ର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ଉ କଲା ଓ ସେମାନେ ଧରାପଡ଼ିଗଲେ। ଏମାନେ ନିୟମିତ ବ୍ୟବଧାନରେ କନ୍ଧମାଳରୁ ରାଜଧାନୀକୁ ମାଲ୍ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ସେବତୀର ପରିବାର ଲୋକେ ଭୁବନେଶ୍ବରରେ ରହୁଥିଲେ ମଧ୍ୟ ସେ ଏହି କାରବାରରେ ପାଦ ଦେବା ପରେ ଅଲଗା ରହୁଥିବା ଜଣାପଡ଼ିଛି। ଏକ ସ୍ବଚ୍ଛଳ ପରିବାରର ସେବତୀ ଯୁକ୍ତ ଦୁଇ ପାସ୍ କରିବା ପରେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ଏହି କାରବାରେ ପାଦ ରଖିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦୀପୁ ନାବାଳିକା ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ୍‌ କାଟିବା ପରେ ଏହି କାରବାର ଚଳାଇ ଆସୁଛି। ଉଲ୍ଲେଖଯୋଗ୍ୟ, ଗତକାଲି ନୂଆପଲ୍ଲୀ ଥାନା ପୁଲିସ ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ କନ୍ଧମାଳର ଗୋଟିଏ ପରିବାର ସ୍ବାମୀ, ସ୍ତ୍ରୀ ଓ ପୁଅଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର