ଆସୁଛି ଝଡ଼ବର୍ଷା : ରାଜ୍ୟରେ ୧୫ ଯାଏ ଝଡ଼ବର୍ଷା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର : ଆସୁଛି ଝଡ଼ବର୍ଷା। ଗୁରୁବାର(ଆଜି)ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଲାଗିରହିବ। ସ୍ଥାନେ ସ୍ଥାନେ କୁଆପଥର ପଡ଼ିବାର ସମ୍ଭାବନା ବି ରହିଛି। ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ତିନି ଦିନ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ କୁଆପଥର ବର୍ଷା ହେବ। ତେଣୁ ଉକ୍ତ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥିସହ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଜିଲ୍ଲା, ବଲାଙ୍ଗୀର, ସୋନପୁର, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ତେଣୁ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଏହାପର ୨୪ ଘଣ୍ଟା ଅର୍ଥାତ୍ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ୧୦ଟି ଜିଲ୍ଲାରେ ଝଡ଼ବର୍ଷା ଲାଗିରହିବ। ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଧା ଓ କନ୍ଧମାଳ। ଏଥିସହ କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଧା, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବଜ୍ରପାତର ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟା ମାର୍ଚ୍ଚ ୧୩ ତାରିଖ ମଧ୍ୟାହ୍ନଠାରୁ ୧୪ ତାରିଖ ପୂର୍ବାହ୍ନ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବ। ସ୍ଥାନେ ସ୍ଥାନେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, କଟକ, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ୧୪ ତାରିଖ ଅପରାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଝଡ଼ବର୍ଷା କମିବ। ହେଲେ ଘଡ଼ଘଡ଼ି ସହ ବଜ୍ରପାତ ଲାଗିରହିବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ ବୌଦ୍ଧରେ ଏଭଳି ସ୍ଥିତି ସୃଷ୍ଟି ହେବ। ୧୫ ଓ ୧୬ ତାରିଖରେ ବି ଉତ୍ତର କେନ୍ଦ୍ରୀୟ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ପୂର୍ବାନୁମାନ ଅନୁଯାୟୀ ହୋଲିରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଅନୁଗୁଳ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି। ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ଇତି ମଧ୍ୟରେ ୩୦ ଡିଗ୍ରି ଟପିଯାଇଛି। ରାତିର ତାପମାତ୍ରା ବି ୨୦ ଡିଗ୍ରି ଡେଇଁଛି।