ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଓ ହୋଲି : ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି। ଦୋଳପୂର୍ଣ୍ଣମାରେ ମହାପ୍ରଭୁ ରାଜାଧିରାଜ ବେଶ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିର ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଦୋଳପୂର୍ଣ୍ଣିମାରେ ଅବକାଶ ବଢ଼ିବା ପରେ ମଇଲମ ଓ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରଭୁଙ୍କୁ ନୂଆ ବୋଇରାଣି ଖଣ୍ଡୁଆ ଲାଗି ହୋଇଥିଲା। ଖଇକୋରା ଭୋଗ ପ୍ରସ୍ତୁତ ହୋଇ ଛାମୁକୁ ଆସିବା ପରେ ଦୋଳଗୋବିନ୍ଦ ସିଂହାସନକୁ ବିଜେ କରିଥିଲେ। ପଞ୍ଚୋପଚାରରେ ପୂଜାନୀତି ଶେଷ ପରେ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ୭ ଘେରା ପରିକ୍ରମା କରି କଳାହାଟ ‌ଦ୍ବାର ଦେଇ ବାହାରିବା ପରେ ନାଭିକଟା ମଣ୍ଡପ ଖଟ ଉପରେ ବିଜେ କରିଥିଲେ।

ପରେ ମହାପ୍ରଭୁଙ୍କ ମହାସ୍ନାନ, ମାଜଣା ଆଦି ନୀତି ବଢ଼ିଥିଲା। ରାଘବ ଦାସ ମଠ ଦେଇଥିବା ପାଟଯୋଡ଼ ଓ ଶାଢ଼ି ଠାକୁରଙ୍କ ଠାରେ ଲାଗି ହୋଇଥିଲା। ମୁଦିରସ୍ତ ଆଣିଥିବା ପ୍ରସାଦ ପଞ୍ଚୋପଚାରରେ ମଣୋହୀ ଓ ବନ୍ଦାପନା ପରେ ମହାଜନେ ଦିଅଁଙ୍କୁ ଖଟକୁ ବିଜେ କରାଇ ସାତ ପାହାଚ ଦ୍ବାରଠାରେ ଥିବା ବିମାନରେ ବିଜେ କରାଇଥିଲେ। ଏହାପରେ ବିମାନବଡ଼ୁ ସେବକମାନେ ଘଣ୍ଟ, ଛତା, କାହାଳୀ ସହ ବଡ଼ ଦେଉଳ ପରିକ୍ରମା କରିଥିଲେ। ‌ସମସ୍ତ ନୀତି ସାରି ଠାକୁର ସିଂହାସନକୁ ବିଜେ କରିବା ପରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଥିଲା।

ସେହିପରି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଖେଳ ସହ ଚନ୍ଦନ ଯାତ୍ରା ନୀତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଧୂପ ଶେଷ ପରେ ତିନି ଠାକୁରଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ, ସରସ୍ବତୀ ଓ ମଦନମୋହନ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ ହୋଇଥିଲେ। ବିମାନବଡ଼ୁ ସେବକମାନେ ବିମାନରେ ତିନି ଠାକୁର, ଠାକୁରାଣୀଙ୍କୁ ସିଂହଦ୍ବାର ଦେଇ ବଡ଼ଦାଣ୍ଡରେ ନରେନ୍ଦ୍ର ଚକଡ଼ାରେ ବିଜେ କରାଇଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡାମାନେ ପଞ୍ଚୋପଚାରରେ ଶୀତଳ ଭୋଗ ମଣୋହୀ କରିଥିଲେ। ବନ୍ଦାପନା, ଚାମର ଆଲଟ ପରେ ଦିଅଁ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।

ସମ୍ବନ୍ଧିତ ଖବର