ସଂରକ୍ଷିତ ଜଙ୍ଗଲରେ ଅଗ୍ନି: ଡହଡ଼ହ ଖରାରେ ନିଆଁ ଲିଭାଇବାକୁ ହନ୍ତସନ୍ତ ବନବିଭାଗ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ପୁରୁଣିଆ ସଂରକ୍ଷିତ ଜଙ୍ଗଲରେ ଦୁର୍ବୃତ୍ତଙ୍କ ଦ୍ୱାରା ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକ, ଅଗ୍ନିଶମ ବିଭାଗ ଓ ପୁଲିସ ସହାୟତାରେ ଏହାକୁ ବନ ବିଭାଗ ଆୟତ୍ତ କରିଛି।

ଆଜି ସକାଳୁ କେହି ଦୁର୍ବୁତ୍ତ ପୁରୁଣିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗେଇ ଚମ୍ପଟ ମାରିଥିଲା।  ପରେ ପୂର୍ବାହ୍ନ ବେଳକୁ ଲାଗିଥିବା ନିଆଁ ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ତତଲା ଝାଞ୍ଜି ପଵନ ପାଇଁ ଏହି ଜଙ୍ଗଲ ମଧ୍ୟବର୍ତ୍ତୀ ଚାରିଆଡକୁ ବ୍ୟାପିବାରେ ଲାଗିଥିଲା। ସ୍ଥାନୀୟ ଯୁବକମାନେ ବହୁ ଚେଷ୍ଟା କଲାପରେ ବି ନିଆଁକୁ ନିୟନ୍ତ୍ରଣ କରିପାରିନଥିଲେ।  ପରେ ଖବର ପାଇ ବେତନଟୀ ରେଞ୍ଜର ମନୁୱାର ଖାନ ସମେତ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ବେତନଟୀ ଅଗ୍ନିଶମ ବିଭାଗ ଓ ବୈଶିଙ୍ଗା ପୁଲିସ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାରେ ସହଯୋଗ କରିଥିଲେ। ତେବେ ପ୍ରବଳ ଖରାରେ ନିଆଁ ଲିଭାଇବାକୁ କର୍ମଚାରୀ ମାନଙ୍କୁ ବେସ କସରତ କରିବାକୁ ପଡିଥିଲା। ତେବେ କେମିତି ଏହି ନିଆଁ ଲାଗିଲା ତାହା ଜଣାପଡ଼ି ନ‌ାହିଁ। ଖରାଦିନେ ପ୍ରାୟତଃ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସୁଥିବାବେଳେ ଜଙ୍ଗଲ ଜଳିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ମଧ୍ୟ ଅଧିକ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର