୧୩ ମଦ ବେପାରିଙ୍କୁ ବାନ୍ଧିଲା ଅବକାରୀ ପୁଲିସ

୪୧୩ ଲିଟର ଦେଶୀ ମଦ, ୫୮୦୦ କେଜି ମହୁଲପୋଚ ଜବତ

ରାଉରକେଲା: ଦୀର୍ଘଦିନ ହେଲା ଦେଶୀ ମଦ ତିଆରି ବିକ୍ରି କରୁଥିଲେ। ବିଶେଷକରି ରାଉରକେଲା ସହରର ବିଭିନ୍ନ ବସ୍ତି ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ। ଅତର୍କିତ ଚଢ଼ଉକରି ରାଉରକେଲା ଅବକାରୀ ପୁଲିସ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଏହାସହ ୪୧୩ ଲିଟର ଦେଶୀ ମଦ ଓ ୫୮୦୦ କେଜି ମହୁଲପୋଚକୁ ଜବତ କରାଯାଇଛି।
ମାଜିଷ୍ଟ୍ରେଟ୍‌ ତଥା ବୀରମିତ୍ରପୁର ତହସିଲଦାର ପଦ୍ମିନୀ ନାୟକଙ୍କ ଉପସ୍ଥିତିରେ ତଥା ଅବକାରୀ ଡିଏସ୍‌ପି ଅର୍ଚ୍ଚନା ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ସ୍ଥାନୀୟ ପୁଲିସ ସହାୟତାରେ ବୀରମିତ୍ରପୁର ଓ ରାଏବଗା ପୁଲିସ ଥାନା ଅନ୍ତର୍ଗତ ବାରହାବାଂଶ, ଡୋନିଆ, ଘସିଟୋଲା, ଜଲଙ୍ଗବିରା, ଧାଙ୍ଗିରିନଚା ଆଦି ଗାଁରେ ଚଢ଼ଉ କରାଯାଇଥିଲା। ଅଭିଯୁକ୍ତମାନେ ଦେଶୀ ମଦ ରାନ୍ଧାବାରେ, ଚୋରାଚାଲାଣ କରିବାରେ ବ୍ୟସ୍ତଥିବାବେଳେ ଅବକାରୀ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ଚଢ଼ଉବେଳେ ଅବକାରୀ ମୋବାଇଲ ୟୁନିଟ୍‌ର ସବଇନ୍ସପେକ୍ଟର ଅଜୟ ପ୍ରଧାନ, ଏସ୍‌ଆଇ ପଦ୍ମାଳୟା ମୁଣ୍ଡା, ବିଜୟ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।
ସମ୍ବନ୍ଧିତ ଖବର