ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଗଡ଼ିବ ସ୍ବତନ୍ତ୍ର ପାର୍ସଲ ଟ୍ରେନ୍
ଭୁବନେଶ୍ବର : ୨୧ ଦିନିଆ ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଉପରେ ଭାରତୀୟ ରେଳପଥ ଗୁରୁତ୍ବାରୋପ କରିଛି। ମେଡିକାଲ ପାଇଁ ଆବଶ୍ୟକୀୟ ଉପକରଣ, ଖାଦ୍ୟ ସାମଗ୍ରୀ ଆଦି ପରିବହନ ଯେପରି ସୁନିଶ୍ଚିତ ହୋଇପାରିବ, ସେଥିପାଇଁ ପ୍ରାଥମିକତା ଦିଆଯାଉଛି। ତାହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ସ୍ବତନ୍ତ୍ର ପାର୍ସଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସେବା ପାଇବା ଲାଗି ବ୍ୟାବସାୟିକ ପ୍ରତିଷ୍ଠାନ ଓ ବେପାରୀମାନେ ପୂର୍ବତଟ ରେଳପଥ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇତିମଧ୍ୟରେ ପଶ୍ଚିମତଟ ରେଳପଥ ପକ୍ଷରୁ ଅହମ୍ମଦାବାଦର କଙ୍କରିଆରୁ କଟକକୁ ଏକ ସ୍ବତନ୍ତ୍ର ପାର୍ସଲ ଏକ୍ସପ୍ରେସ୍ ଚଳାଇବାକୁ ସମୟ ସାରଣୀ ଧାର୍ଯ୍ୟ ହୋଇଛି। ଯେଉଁଥିରେ ଦୁଗ୍ଧ ଉତ୍ପାଦକ ସାମଗ୍ରୀ, ଖାଇବା ତେଲ, ମସଲା, ବିସ୍କୁଟ ଆଦି ପରିବହନ ହେବ। ଏହାବ୍ୟତୀତ ଆଉ କିଛି ପାର୍ସଲ କାର୍ଗୋ ଟ୍ରେନ୍ ଚଳାଚଳ କରିବାକୁ ଆଲୋଚନା ହେଉଛି। ତେବେ ଟ୍ରକ୍ ଓ ଶ୍ରମିକଙ୍କ ଚଳପ୍ରଚଳ ଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ପରେ ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କୌଣସି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଇଚ୍ଛୁକ ବ୍ୟବସାୟିକ ପ୍ରତିଷ୍ଠାନ, ବେପାରୀ, ସ୍ବଚ୍ଛାସେବୀ ସଙ୍ଗଠନ ଏନେଇ ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ଯୋଗାଯୋଗ କରିପାରିବେ। ସମ୍ବଲପୁର ଡିଭିଜନ୍ର ବରିଷ୍ଠ ବାଣିଜ୍ୟିକ ପରିଚାଳକ ସମ୍ବିତ ନାୟକ(୮୪୫୫୮୮୬୯୫୦), ଖୋର୍ଧା ରୋଡ୍ ଡିଭିଜନ୍ର ପି.କେ ସାମଲ (୮୪୫୫୮୮୭୯୫୦), ୱାଲଟିୟର୍ ଡିଭିଜନ୍ର ସୁନିଲ କୁମାର(୮୯୭୮୮୦୮୦୯୫୦) ଓ ଭୁବନେଶ୍ବରର ଏଚ୍.ଏଲ୍ ଲୁୱାଙ୍ଗ(୮୪୫୫୮୮୫୯୫୫)ଙ୍କ ସହ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।