ନବରଙ୍ଗପୁର : ମାଲେସିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସରକାର ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହି ଅବଧିକୁ ପରବର୍ତ୍ତୀ ସମୟରେ ଆହୁରି ଦୁଇ ସପ୍ତାହ ପାଇଁ ବଢ଼ାଇଛନ୍ତି। ଯାହା ଫଳରେ ମାଲେସିଆରେ ଫସି ରହିଥିବା ଭାରତୀୟଙ୍କ ସ୍ବଦେଶକୁ ଫେରିବା ବାଟ ଏକପ୍ରକାର ବନ୍ଦ ହୋଇଯାଇଛି। ଅନ୍ୟପଟେ ବିମାନସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ନବରଙ୍ଗପୁର ସହର ଇଛାବତିଗୁଡ଼ାର ନବଦମ୍ପତି ମଧ୍ୟ ରାଜଧାନୀ କୁଆଲାଲମ୍ପୁରରେ ଦୁଇ ସପ୍ତାହ ହେଲା ଅଟକି ରହିଛନ୍ତି। ଏଠାରେ ବସବାସ କରୁଥିବା ଶିଖ୍ ଧର୍ମାବଲମ୍ବୀ ପ୍ରବାସୀ ଭାରତୀୟ ଦମ୍ପତିଙ୍କୁ ନେଇ ଗୋଟିଏ ଗୁରୁଦ୍ବାରରେ ରଖିଥିବା ସୂଚନା ମିଳିଛି। ତେବେ ଦମ୍ପତିଙ୍କ ଫେରିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ନବରଙ୍ଗପୁରରେ ରହୁଥିବା ପରିବାର ଲୋକ ଚିନ୍ତାରେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଇଛାବତିଗୁଡ଼ାର ଗୁପ୍ତେଶ୍ବର ମିଶ୍ରଙ୍କ ଝିଅ ପଲ୍ଲବୀ ମିଶ୍ରଙ୍କୁ ସେହି ଅଞ୍ଚଳର ପରିମଳ ହାଲଦାରଙ୍କ ପୁଅ ଶଙ୍କର ହାଲଦାର ଗତମାସ ୨୬ତାରିଖ ଦିନ ବିବାହ କରିଥିଲେ। ଉଭୟ ବେଙ୍ଗାଲୁରୁରେ ଏକ ଘରୋଇ କଂପାନିରେ କାମ କରୁଥିବା ବେଳେ ଚଳିତ ମାସ ୧୨ତାରିଖ ଦିନ ମାଲେସିଆ ବୁଲିବାକୁ ଯାଇଥିଲେ। ବିଶାଖାପାଟଣାରୁ ସିଧାସଳଖ ଫ୍ଲାଇଟ୍ ଯୋଗେ ସେମାନେ କୁଆଲାଲମ୍ପୁରରେ ପହଞ୍ଚିଥିଲେ। ଚଳିତ ମାସ ୧୭ତାରିଖ ଦିନ ଫେରିବା ପାଇଁ ଟିକେଟ୍ ହୋଇଥିଲା। ବିମାନବନ୍ଦର ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ଭାରତ ସରକାର ସମସ୍ତ ବିମାନସେବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରଦ୍ଦ କରିଥିବା ସୂଚନା ମିଳିଥିଲା। ତେଣୁ ମାଲେସିଆରୁ ସିଙ୍ଗାପୁର ହୋଇ ଭାରତ ଫେରିବାକୁ ବାରମ୍ବାର ଟିକେଟ୍ କରିଥିଲେ ହେଁ ପରବର୍ତ୍ତୀ ସମୟରେ ବାତିଲ୍ ହୋଇଥିଲା। ପାଖରେ ଯାହା ଟଙ୍କା ଥିଲା ପ୍ରାୟ ସରିବାକୁ ଆସିଥିଲା। ଏମିତି ସ୍ଥିତିରେ ନବଦମ୍ପତି ଭାରତ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବନୀ ପଟନାୟକଙ୍କୁ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଥିଲେ। ସେହିପରି ପରିବାର ଲୋକ ମଧ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ଲକ୍ଡାଉନ୍ ଯୋଗୁଁ ପ୍ରାୟ ୩ଶହ ଭାରତୀୟ ପର୍ଯ୍ୟଟକ କୁଆଲାଲମ୍ପୁରରେ ଫସି ରହିଛନ୍ତି। ଏନେଇ ଜାଣିବା ପରେ ଶିଖ୍ ଧର୍ମାବଲମ୍ବୀ ପ୍ରବାସୀ ଭାରତୀୟ ପ୍ରାୟ ୭୦ଜଣ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଗୋଟିଏ ଗୁରୁଦ୍ବାରରେ ରଖିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି। ଏନେଇ ଜାଣିବା ପରେ ନବଦମ୍ପତିଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଲକ୍ଡାଉନ୍ ଅବଧିକୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ପରିବାର ଲୋକ ସାମାନ୍ୟ ଚିନ୍ତାରେ ରହିଛନ୍ତି। ଭାରତ ସରକାର ହସ୍ତକ୍ଷେପ କରି ମାଲେସିଆରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଆଣି ଭାରତର ଯେ କୌଣସି ସ୍ଥାନରେ ସଙ୍ଗରୋଧ କରି ରଖନ୍ତୁ ବୋଲି ନିବେଦନ କରାଯାଇଛି।