ବିଜେଡିର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ: କୋରେଇରୁ ସନ୍ଧ୍ୟାରାଣୀ, ନୀଳଗିରିରୁ ସୁକାନ୍ତ

ଦେବଗଡ଼ରେ ପ୍ରାର୍ଥୀ ବଦଳିଲେ

ଭୁବନେଶ୍ବର: କୋରେଇରେ ବିଧାୟକ ଅଶୋକ ବଳଙ୍କ ଟିକେଟ କାଟିଛି ବିଜେଡି। ବିଜେଡିର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଏଠାରେ ପ୍ରାର୍ଥୀ କରାଯାଇଛି। ପ୍ରଣବ ଏଥର ସମ୍ବଲପୁର ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।ନୀଳଗିରିରେ ବିଧାୟକ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ମିଳିଛି। ୨୦୧୯ରେ ଟିକେଟ ମିଳି ନଥିଲା ବୋଲି ସେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ଯୋଗ ଦେଇଥିଲେ। ବିଜେପିରୁ ଟିକେଟ ନେଇ ଜିତିଥିଲେ। ଏଥର ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି ପୁଣି ବିଜେଡିରେ ଯୋଗ ଦେଇସାରିଛନ୍ତି। ଖଣ୍ଡପଡ଼ାରେ ବିଜେଡି ଏଥର ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇଛି। ଭାପୁର ବ୍ଲକ୍ ଉପାଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏଠାରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ବାକି ଥିବା ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଏମିତି ଭାବେ ପ୍ରାର୍ଥୀ ତାଲିକା କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲେ। ଏହାସହ ଦେବଗଡ଼ ଆସନରେ ପ୍ରାର୍ଥୀ ବଦଳାଇ ଚକ୍‌ମା ଦେଖାଇଛନ୍ତି ନବୀନ।

ବିଜେଡିର ମିଶିବାର ୨୪ ଘଣ୍ଟା ଭିତରେ ଦେବଗଡ଼ରୁ ଦଳର ପ୍ରାର୍ଥୀ ହୋଇଥିଲେ ଅରୁନ୍ଧତୀ ଦେବୀ। ଏହାକୁ ନେଇ ସ୍ଥାନୀୟ ବିଜେଡି ସଂଗଠନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ଦଳ ପ୍ରାର୍ଥୀ ବଦଳାଇଛି। ୨୦୧୯ରେ ବିଜେଡିର ପ୍ରାର୍ଥୀ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପୁଣି ଟିକେଟ ମିଳିଛି।
ଆଜିର ତାଲିକା ଘୋଷଣା ସହ ବିଜେଡିର ସବୁ ଆସନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ତେବେ ତିନିଟି ଆସନରେ ପ୍ରାର୍ଥୀ ଘୋଷଣା ପରେ ବି ବଦଳିଛନ୍ତି। ସମ୍ବଲପୁରରେ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରେ ରୋହିତ ପୂଜାରୀଙ୍କ ନାମ ଘୋଷଣା ହୋଇସାରିଥିଲା। ପରେ ଉଭୟଙ୍କ ମଧ୍ୟରେ ପୁଣି ଆସନ ଅଦଳବଦଳ କରାଗଲା। ସେହିପରି ଆଜି ଦେବଗଡ଼ରେ ପ୍ରାର୍ଥୀ ବଦଳାଯାଇଛି। ଯଦିଓ ଆଉ ଗୋଟିଏ ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇବା ନେଇ ଦାବି ଉଠୁଛି, ତେବେ ସେ ସମ୍ପର୍କରେ କିଛି ସୂଚନା ମିଳିନି।

ସମ୍ବନ୍ଧିତ ଖବର