କଲମ୍ବିଆ ବିଶ୍ବବିଦ୍ୟାଳୟରେ ସଂଘର୍ଷ: ଉଗ୍ରହେଲା ଛାତ୍ର ଆନ୍ଦୋଳନ

ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୮୨ ବିକ୍ଷୋଭକାରୀ ଗିରଫ

କଲମ୍ବିଆ: କଲମ୍ବିଆ ବିଶ୍ବବିଦ୍ୟାଳୟରେ ମେ ୧ ତାରିଖରେ ପାଲେଷ୍ଟାଇନ୍‌ ସମର୍ଥନ ଓ ଇସ୍ରାଏଲ୍‌ ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ଆନ୍ଦୋଳନକୁ ବେଆଇନ ଘୋଷଣା କରିବା ସହ ୨୮୨ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା। ଗତ ୧୫ ଦିନ ଧରି କଲମ୍ବିଆ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍‌ ସମର୍ଥନରେ ଛାତ୍ର ଆନ୍ଦୋଳନ ଜାରି ରହିଛି। ଛାତ୍ରଛାତ୍ରୀଙ୍କୁ ନିଲମ୍ବନ କରିବା ପ୍ରକ୍ରିୟା ଆରମ୍ଭ ହେବା ପରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିଶ୍ବବିଦ୍ୟାଳୟ ପରିସରରେ ଧାରଣରେ ବସି ରହିଥିଲେ। ମେ ୧ ତାରିଖରେ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା।

ଏହି ଘଟଣାରେ ବିଶ୍ବବିଦ୍ୟାଳୟର ଇହୁଦୀ ଛାତ୍ରଛାତ୍ରୀମାନେ ନିଜର ସୁରକ୍ଷାନିମନ୍ତେ ଚିନ୍ତାବ୍ୟକ୍ତ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହାପରେ ପୁଲିସ ପଦକ୍ଷେପ ଗ୍ରହଣ କରିବା ସହ ବିକ୍ଷୋଭକୁ ବେଆଇନ ଘୋଷଣା କରିଥିଲେ ଓ ପରିସର ଛାଡ଼ି ଚାଲିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ପାଲେଷ୍ଟାଇନ୍‌କୁ ସମର୍ଥନ କରୁଥିବା ଛାତ୍ରଛାତ୍ରୀମାନେ ଧାରଣାସ୍ଥଳରେ ବସିରହିଥିଲେ। କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ଏହି ସମୟରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାରେ, ୨୮୨ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିବା ପୁଲିସ ପ୍ରକାଶ କରିଛି। ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କର୍ତ୍ତୃପକ୍ଷ କହିଛନ୍ତି ଯେ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଅନେକ ଛାତ୍ର ନୁହଁନ୍ତି। ସେମାନଙ୍କୁ ହଟାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର