୨ ଦିନିଆ ଗସ୍ତରେ ଯାଇ ମଧ୍ୟରାତ୍ରରେ ଆସାମରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ୍ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ୍ ଶାହା ୨ ଦିନିଆ ଆସାମ ଗସ୍ତରେ ଯାଇ ଗତକାଲି ଅଧାରାତିରେ ଗୌହ୍ବାଟୀରେ ପହଂଚିଛନ୍ତି । ଶାହା ଗୌହ୍ବାଟୀରେ ପହଂଚିବା ପରେ ଦଳର କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ । ଏହି ୨ ଦିନିଆ ଗସ୍ତ ବେଳେ ଶ୍ରୀ ଶାହା ଗୌହ୍ବାଟୀ ଓ ଇମ୍ଫାଲରେ ରହିବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତରେ ଶାହା ଆସାମର ଜନଜାତିଙ୍କ ସହ ମିଶିବେ ଓ ସେମାନଙ୍କର ଅଭିଯୋଗ ଶୁଣିବେ । ଏହା ସହ ଗସ୍ତର ଦ୍ୱିତୀୟ ଦିନରେ ଏକ ମେଡିକାଲ କଲେଜର ଶିଳାନ୍ୟାସ କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ୨୭ ତାରିଖ ଦିନ ଗୃହମନ୍ତ୍ରୀ ଇମ୍ଫାଲ ପୁଲିସ୍‌ ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ସବୁଠାରୁ ବଡ କଥା ହେଲା, ଅମିତ ଶାହା ଏହି କାର୍ଯ୍ୟକ୍ରମ ସମୟରେ ୮ ହଜାର ନାମଘର ବୈଷ୍ଣବ ସନ୍ଥଙ୍କ ସହ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ପରେ ଆସାମରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ଶାହାଙ୍କ ଆସାମ ଗସ୍ତ ରାଜ୍ୟପାର୍ଟି ପାଇଁ ଗୁରୁତ୍ୱ ବହନ କରୁଛି । ଗତ ୨୦୧୬ ନିର୍ବାଚନରେ ଆସାମରେ ବିଜେପି ଏକ ବଡ ଦଳ  ଭାବେ ଉଭା ହୋଇଥିଲେ ବି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା ଦଳ । ଆସାମ ବିଧାନସଭାର ୧୨୬ ଆସନ ମଧ୍ୟରୁ ବିଜେପିକୁ ୬୦, କଂଗ୍ରେସ ୨୬, ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ୧୩, ଆସାମ ଗଣପରିଷଦ ୧୪, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ୧୨ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ବିଜେପି ତା’ର ସଂଗଠନ ବୃଦ୍ଧି ପାଇଁ ଶାହାଙ୍କ ଚାଣକ୍ୟ ନୀତି ଆପଣାଇବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର