ପରୀ ହତ୍ୟା ମାମଲା : ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍ଆଇଟିର ଆବେଦନ

ମୋତେ ମାଡ଼ମାରି ଫସାଇଦିଆଯାଇଛି : ସରୋଜ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼  ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ହତ୍ୟା ଅଭିଯୁକ୍ତ ସରୋଜ ସେଠୀର ନାର୍କୋ  ଆନାଲିସିସ୍ ଟେଷ୍ଟ କରାଯିବ। ଏ ନେଇ ଆଜି ନୟାଗଡ଼ ପକ୍ସ‌ୋ କୋର୍ଟରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ଆବେଦନ କରିଛି। ତେବେ ଆଜି କୋର୍ଟରେ ସରୋଜ କହିଛି ଯେ ସେ ନିର୍ଦ୍ଦୋଷ । ତାକୁ ମାଡ଼ମାରି ଫସାଇଦିଆଯାଇଛି । ସେ ଘଟଣା ସମ୍ପର୍କରେ କିଛି ଜାଣିନାହିଁ ।

ଅନ୍ୟପକ୍ଷରେ, ସରୋଜ  ସାବାଳକ ନୁହେଁ ନାବାଳକ, ଏସ୍ଆଇଟି ତାଙ୍କୁ ମିଛରେ ସାବାଳକ ଦର୍ଶାଇ ଫସାଇଥିବା ସରୋଜଙ୍କ ଓକିଲ ପ୍ରଫୁଲ୍ଲ ଶତପଥୀ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛନ୍ତି ।  ସରୋଜଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟରୁ ତାଙ୍କ  ଜନ୍ମ ୦୬/୦୨/ ୨୦୦୩ ବୋଲି  ଜଣାପଡ଼ିଛି। ଅର୍ଥାତ୍ ସରୋଜ ଏବେ ବି ନାବାଳକ ସ୍ପଷ୍ଟ ହେଉଥିବା ବେଳେ, ତାଙ୍କୁ ବାଳ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍ଆଇଟି ଜେଲ୍ କିଭଳି ପଠାଇଲା ବୋଲି ସରୋଜଙ୍କ ପକ୍ଷର ଓକିଲଙ୍କ ଯୁକ୍ତ ରହିଛି । ଓସିଫିକେସନ୍ ଟେଷ୍ଟରେ ମିଥ୍ୟା ଭାବେ ସରୋଜଙ୍କୁ ୧୮ ବର୍ଷରୁ ଅଧିକ ଦର୍ଶାଯାଇଥିବା ତାଙ୍କ ଓକିଲଙ୍କ ସନ୍ଦେହ ରହିଛି। କୋର୍ଟ ଏହି ପ୍ରମାଣପତ୍ରକୁ ବିଚାର ପାଇଁ ଗ୍ରହଣ କରିଥିବା ବେଳେ, ଆସନ୍ତାକାଲି(ମଙ୍ଗଳବାର) ଏହାର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି । ସରୋଜଙ୍କ ମା’ଙ୍କୁ ଏଥିନିମନ୍ତେ ଆସନ୍ତାକାଲି କୋର୍ଟରେ ହାଜର କରାଯିବ। ଯଦି ଓସିଫିକେସନ୍ ଟେଷ୍ଟ ଆଧାରରେ ସରୋଜ ୧୮ ବର୍ଷରୁ ଅଧିକ ବୋଲି ମିଛରେ  ଦର୍ଶାଯାଇଥିବ, କୋର୍ଟ ସରୋଜର ଜନ୍ମ ପ୍ରମାଣପତ୍ରକୁ  ବିଚାର କରି ସେ ନାବାଳକ  ସାବ୍ୟସ୍ତ କରିବେ ।

ଏପରି ହେଲେ ଏସ୍ଆଇଟିକୁ ବଡ଼ ଝଟକା ଲାଗିପାରେ। ସରୋଜକୁ ବାଳ ସୁଧାର ଗୃହକୁ ମଧ୍ୟ ପଠାଇ ଦିଆଯାଇପାରେ । ଗୋଟିଏ  ପଟେ ଏସ୍ଆଇଟି ଆଜି ସରୋଜର ନାର୍କେ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା। ଅପରପକ୍ଷେ ସରୋଜ ବିଚାରଧୀନ କଏଦୀ ଭ‌ାବେ ଜେଲରେ ରହୁଥିବାରୁ, ୧୪ ଦିନ ବ୍ୟବଧାନରେ ନିୟମ ଅନୁଯାୟୀ ଆଜି ତାକୁ ପୁଣି ଅପରାହ୍ନ ପ୍ରାୟ ୪ଟା ବେଳେ କୋର୍ଟରେ ହାଜର କରାଯାଇଥିଲା।  ସନ୍ଧ୍ୟା ୬ଟାରେ କୋର୍ଟରୁ ପୁଣି ତାକୁ ନୟାଗଡ଼ ଖୁଣ୍ଟୁବନ୍ଧ  ସବ୍ ଜେଲକୁ ପଠାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ସରୋଜ ଗତ ଡିସେମ୍ବର ୨୦ରେ ଏସ୍ଆଇଟି ଦ୍ବାରା ଗିରଫ ହୋଇଥିଲା। ତାକୁ ୩ ତିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ଡେମୋ ପ୍ରଦର୍ଶନ କରିଥିଲା। ତା’ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମରେ ବୟାନ ରଖିଥିଲେ। ଏବଂ ସମସ୍ତ କଥା ଗଣମାଧ୍ୟମରେ କହିବାକୁ ନାରାଜ ହୋଇଥିବା ବେଳେ, କୋର୍ଟରେ ପ୍ରମାଣ ଦାଖଲ କରିବେ ବୋଲି କହିଥିଲେ। ଏବେ ନାର୍କୋ ଆନାଲିସିସ ଆବେଦନ ଠାରୁ ଆରମ୍ଭ କରି ବିଭିନ୍ନ ଘଟଣା କରାଯାଉଥିବାରୁ, ସରୋଜକୁ ହତ୍ୟାକାରୀ  ଭାବେ ପ୍ରମାଣିତ କରିବାକୁ ଏସ୍ଆଇଟି କେତେ ସକ୍ଷମ ହେବ, ଏହି ତଦନ୍ତକାରୀ ସଂସ୍ଥା ନିକଟରେ ଯଥେଷ୍ଟ ପ୍ରମାଣ ରହିଛି କି ନାହିଁ ତାକୁ ନେଇ ଓକିଲ ମହଲରେ ସନ୍ଦେହ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର