ଫୁଲନଖରା : କଟକ ପାଲଟିଛି ନକଲି ସମାଗ୍ରୀର ପେଣ୍ଠସ୍ଥଳୀ। ସିମେଣ୍ଟ, ରଙ୍ଗଠାରୁ ଆରମ୍ଭ କରି ପନିର, ସସ୍, ସ୍କ୍ବାସ, ଘିଅ, ତେଲ, ସୋୟାବିନ, ହଳଦୀ, ଲଙ୍କାଗୁଣ୍ଡ, ଜରଦା, ଅଗରୁ ଅତର, ଗଙ୍ଗାଜଳ ଭଳି ନକଲି ସାମଗ୍ରୀ ତାଲିକାରେ ଏବେ ଯୋଡ଼ିହୋଇଛି ନକଲି ଅପମିଶ୍ରିତ ଚା। ପୁଲିସ୍ ଏହି ନକଲି କାରଖାନାକୁ ଠାବ କରାଯିବା ସହିତ ମାଲିକକୁ ଅଟକ ରଖିଛି। ୪୫ କ୍ବିଣ୍ଟାଲ ଅପମିଶ୍ରିତ ଚା ଗୁଣ୍ଡ ସହିତ ପ୍ୟାକିଂ ସରଞ୍ଜାମ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଏଥିସହିତ, କାରଖାନାକୁ ସିଲ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ନିକଟ ମୁକାମେଶ୍ବରରେ ଏକ ନକଲି ଚା କାରଖାନା ଚାଲିଥିବା ସଂପର୍କରେ ପୁଲିସ୍ ଖବର ପାଇଥିଲା। ଆଜି ପୂର୍ବାହ୍ନରେ ସଦର ଥାନା ପକ୍ଷରୁ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ସେଠାରୁ ୪୫ କ୍ବିଣ୍ଟାଲ ଓଜନର ଅପମିଶ୍ରିତ ଚା ଗୁଣ୍ତ, ଏଥିରେ ବ୍ୟବହୃତ ପ୍ୟାକିଂ ମେସିନ, ପେଟି ଓ ପ୍ୟାକେଟ ଆଦି ଜବତ କରିଥିବା ଜଣାପଡ଼ିଛି।
ପୁଲିସ୍ର ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଅଞ୍ଚଳର ମୂଳବାସିନ୍ଦା ସୁରେଶ ଚନ୍ଦ୍ର ବିଶ୍ବାଳ ଏଠାରେ ଘରଭଡ଼ା ନେଇ ଉକ୍ତ କାରଖାନା ଚଲାଉଥିଲେ। ଗତ ୫ବର୍ଷ ଧରି ସୁରେଶ ଏହି ବ୍ୟବସାୟ କରି ଆସୁଥିଲେ। ଏଠାରେ ଅପମିଶ୍ରିତ ଚା ପ୍ୟାକିଂ କରି ସେ କଟକ ଜିଲ୍ଲା ସମେତ ଅନ୍ୟ ପଡ଼ୋଶୀ ଜିଲ୍ଲାକୁ ବି ପଠାଉଥିଲେ।
ପୁଲିସ ଉକ୍ତ ଅପମିଶ୍ରିତ ଚା’କୁ ଜବତ କରିବା ସହ କାରଖାନା ଚାଲିଥିବା ଘରକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରିଦେଇଛି। ଏଥିସହିତ ଅଭିଯୁକ୍ତ କାରଖାନା ମାଲିକ ସୁରେଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜିର ଏହି ଚଢ଼ଉରେ ସଦର ଏସିପି ସତ୍ୟରଞ୍ଜନ ମଲିକ, ଆଇଆଇସି ସୁଧାଂଶୁ ଭୂଷଣ ଜେନା, କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁ, ଅତିରିକ୍ତ ଆଇଆଇସି ଅନିତା ସାହୁ, ଏସ୍ଆଇ ବବିତା ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ସାମିଲ୍ ହୋଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ନଭେମ୍ବର ୨୬ ତାରିଖରେ ସଦର ଥାନା ଅନ୍ତର୍ଗତ ଗବବସ୍ତ ଅଞ୍ଚଳରେ ଥିବା ଏକ ଅପମିଶ୍ରିତ ଘିଅ କାରଖାନା ଠାବ କରାଯାଇଥିବାବେଳେ ବମ୍ଫକୁଦରେ ଚାଲିଥିବା ଏକ ନକଲି ଖାଇବା ତେଲ କାରଖାନା ଓ ଏକ ଭେଜାଲ ସିମେଣ୍ଟ ପ୍ୟାକିଂ କାରଖାନାକୁ ମଧ୍ୟ ପୁଲିସ ଠାବ କରିଥିଲା।
କେମିତି ପ୍ରସ୍ତୁତ ହେଉଥିଲା ନକଲି ଚା’
ବନାରସରୁ ଏକ ଗୁଣ୍ଡ ଆସୁଥିଲା। ତାହା ଚା ଭଳି ଅବିକଳ ଦେଖିବାକୁ ହୋଇଥିଲେ ବି ତାହା ଚା ନଥିଲା। ଏଭଳି ଗୁଣ୍ଡ ବି ମାଲଗୋଦାମରୁ କିଛି ପରିମାଣରେ ମିଳି ଯାଉଥିଲା। ସେଥିରେ କରତ ଗୁଣ୍ଡ, ଅମୃତଭଣ୍ଡାର ପାଚିଲା ପତ୍ର ଗୁଣ୍ଡ ଓ ଚାକୁଣ୍ଡା ପତ୍ର ଗୁଣ୍ଡକୁ ଏକ ଅନୁପାତରେ ମିଶ୍ରଣ କରାଯାଉଥିଲା। ସେଥିରେ ଏକ ଏସେନ୍ସ ପ୍ରୟୋଗ କରି ଚାର ବାସ୍ନା ଅଣାଯାଉଥିବା ବେଳେ ଚା ରଙ୍ଗ ଆଣିବା ପାଇଁ ଏକ କେମିକାଲ୍ ବି ବ୍ୟବହାର କରାଯାଉଥିଲା। ଏସବୁ ଅପମିଶ୍ରିତ ସାମଗ୍ରୀ ନକଲି ଚାର ଓଜନ ବଢାଇବାରେ ସହାୟକ ହେଉଥିଲା। ଏସବୁ ସାମଗ୍ରୀକୁ ପ୍ରସ୍ତୁତ କରି ଟାଟା ଟି ପ୍ୟାକିଂରେ ଭର୍ତ୍ତି କରାଯିବା ସହିତ ଅସଲି ଚା ଦରରେ ବିକ୍ରି କରାଯାଉଥିଲା। ଗୋଟିଏ ଗୋଟିଏ ପ୍ୟାକେଟରେ ୭୦/୮୦ ପ୍ରତିଶତ ଲାଭ ରହୁଥିବା କୁହାଯାଉଛି। ଏହାକୁ କଟକ, ବ୍ରହ୍ମପୁର, ଗଂଜାମ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡାରେ ବିକ୍ରି କରାଯାଉଥିଲା। ଜଣେ ଗିରଫ ହୋଇଥିବା ବେଳେ ଜଣେ ଫେରାର ଅଛି। କିନ୍ତୁ ଏହି ଦୁଇ ଜଣ ନକଲି ଚାର ମାର୍କେଟିଂ ପାଇଁ ଅନେକ ଲୋକଙ୍କୁ ନିଯୁକ୍ତ କରିବା ସହିତ ବିଭିନ୍ନ ହୋଲସେଲରଙ୍କ ଜରିଆରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଉଥିବା ଜଣାପଡ଼ିଛି।