ଛତିଶଗଡ଼-ଝାରସୁଗୁଡ଼ାରେ ମୁଖ୍ୟ ରାସ୍ତାରେ ଜଗିଛି ପୁଲିସ, ଗଳା ବାଟ ମେଲା

ଝାରସୁଗୁଡ଼ା : ସଂପ୍ରତି ଝାରସୁଗୁଡ଼ା ଜିଲ୍ଲାରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଝାରସୁଗୁଡ଼ା ସୀମାକୁ ଲାଗି ରହିଛି ଛତିଶଗଡ଼ ରାଜ୍ୟ। ଏହି ରାଜ୍ୟରେ ଏବେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ସେଠାରେ ଲକ୍‌ଡାଉନ ପରିସ୍ଥିତି ଉପୁଜି ସାରିଛି। ଏପଟେ ଛତିଶଗଡ଼ ସୀମାକୁ ଲାଗି ରହିଥିବା ସୁନ୍ଦରଗଡ଼ ଜିଲ୍ଲା ହଟସ୍ପଟ୍ ହୋଇସାରିଛି। ଝାରସୁଗୁଡ଼ା ଜିଲ୍ଲାରେ ଏବେ ଯଦିଓ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇନାହିଁ। ମାତ୍ର ଆଶଙ୍କା ଉଦ୍‌ବେଗଜନକ ରହିଛି। ଦିନକୁ ଦିନ ବହୁଲୋକ ଏହି ରୋଗର ଶିକାର ହେଉଥିବା ବେଳେ ସରକାର ଛତିଶଗଡ଼ ସହିତ ସଂପର୍କରେ ବିରାମ ଦେବାକୁ ଉଦ୍ୟମ ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ଯାତାୟତ ବନ୍ଦ କରିଛନ୍ତି। ତେବେ ରାଜ୍ୟ ସରକାର ଛତିଶଗଡ଼-ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରୁଥିବା ବସ୍‌ସେବା ବନ୍ଦ କରିଛନ୍ତି। ସୀମାରେ ଥିବା କନକ‌ତୋରା ଓ ଲରା ଛକକୁ ସିଲ କରାଯାଇଛି। କେବଳ ମାଲବାହୀ ଗାଡ଼ି ଓ କୋଭିଡ୍‌ ନେଗେଟିଭ୍‌ ଓ ଦୁଇ ଡୋଜ ଟିକା ନେଇଥିବା ଲୋକଙ୍କୁ ଭିତରକୁ ଅନୁମତି ଦିଆଯାଉଛି। ତେବେ ଝାରସୁଗୁଡ଼ା ଜିଲ୍ଲା ସହିତ ଛତିଶଗଡ଼ ଅଞ୍ଚଳର ବହୁ ପ୍ରକାର ସଂପର୍କ ରହିଛି। ଉଭୟ ଅଞ୍ଚଳ ମଧ୍ୟରେ ପାରିବାରିକ, ସାମାଜିକ, ସାଂସ୍କୃତିକ ଓ ବ୍ୟାବସାୟିକ ସଂପର୍କ ଦୃଷ୍ଟିରୁ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଦୂରତା ରକ୍ଷା କରି ଚଳିବା ଏତେ ସମ୍ଭବ ନୁହେଁ। ରାଜ୍ୟ ସୀମାରେ ମୁଖ୍ୟ ରାସ୍ତାକୁ ପୁଲିସ ଜଗି ବସିଥିବା ବେଳେ ଛତିଶଗଡ଼ ଯାତାୟତ ପାଇଁ ଅନେକ ରାସ୍ତା ମୁକୁଳା ପଡ଼ିଛି।


ଝାରସୁଗୁଡ଼ାରୁ ଛତିଶଗଡ଼କୁ ପାଇଁ ଚାଟିପାଲି- ଏନ୍‌ଟିପିସି ଲରା ହୋଇ ଏକ ରାସ୍ତା ଥିବା ବେଳେ ସୁଖାସୋଡା ଦେଇ ମଧ୍ୟ ଛତିଶଗଡ଼ ଯାଇହେବ। ସେହିପରି ଧୁଲୁଣ୍ଡା-କନ୍ଦାଗାଡ଼ ଦେଇ ମଧ୍ୟ ରାସ୍ତା ଯାଇଛି। ସାପଖଣ୍ଡ- ବାଲାଜୀ ପେଟ୍ରୋଲପମ୍ପ କଡ଼ରୁ ମଧ୍ୟ ରାୟଗଡ଼କୁ ରାସ୍ତା ଯାଇଛି। ଅମାପାଲି ଦେଇ ବାଇକ ରାସ୍ତା ମଧ୍ୟ ଯାଇଛି। ଏହି ରାସ୍ତା ଦେଇ ଅନାୟାସରେ ଲୋକ ଏବେ ଯାତାୟତ କରୁଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ସୀମାରେ ଥିବା ଏପରି କିଛି ଗ୍ରାମ ଅଛି ଯେଉ ଗ୍ରାମର ଲୋକ ସକାଳ ପାଇଲେ ଛତିଶଗଡ଼ ଉପରେ ନିର୍ଭର କରନ୍ତି। ଆଉ ଛତିଶଗଡ଼ର ଏପରି ଅନେକ ଗାଁ ଅଛି ସେମାନେ ମଧ୍ୟ ଓଡ଼ିଶା ଉପରେ ନିର୍ଭର କରନ୍ତି। ସୀମାରେ ବସବାସ କରୁଥିବା ଏହି ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଭଢ଼ି ଉଠିଛି ସାମାଜିକ ଓ ପାରିବାରିକ ସଂପର୍କ ଯାହାକି ଉଭୟ ରାଜ୍ୟର ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବାଧା ସୃଷ୍ଟି କରୁଛି। ପ୍ରତିଦିନ ଉଭୟ ରାଜ୍ୟର ‌ଲୋକ ଯାତାୟତ କରୁଥିବାରୁ ସଂକ୍ରମଣ ଆରୁହି ବୃଦ୍ଧି ପାଇବା ଆଶଙ୍କା ରହିଛି। ଉଣେଇଶଖଣ୍ଡମୌଜାରେ ଥିବା ୬ ଗୋଟି ପଞ୍ଚାୟତ ବାଦିମାଲ, କନକତୋରା, ପିଥିଣ୍ଡା, ଚାରପାଲି, ରେମତା ଓ କଣ୍ଡେଇକେଲା ଛତିଶଗଡ଼ ସହିତ ସିଧାସଳଖ ସଂପର୍କରେ ରହିଛନ୍ତି। ଏହା ବ୍ୟତୀତ ଭିକମ୍‌ପାଲି, ଅତାବିରା ପଞ୍ଚାୟତର କିଛି ଗ୍ରାମ ମଧ୍ୟ ଛତିଶଗଡ଼ ଉପରେ ନିର୍ଭର କରନ୍ତି। ସେହିପରି ଛତିଶଗଡ଼ ରାଜ୍ୟରେ ଥିବା ବେଲେରିଆ, ନୂଆଁପଡ଼ା, ସକରବଗା, ଏକତାଲ, ରେଙ୍ଗାଲପାଲି, କନ୍ଦାଗାଡ଼, ଲରା, ହଲଦି, କଠାନି ଭଳି ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ଓଡ଼ିଶା ଉପରେ ନିର୍ଭର କରନ୍ତି।

ସୀମାରେ ରହୁଥିବା ଲୋକ ଜିଲ୍ଲା ସଦର ମହକୁମାକୁ ଆସିବାରେ ଅସୁବିଧା ହେଉଥିବା ବେଳେ ରାୟଗଡ଼, ପୁଷୋର ଓ ମହାପାଲି ଭଳି ସହରକୁ ଯାଇ ବ୍ୟବସାୟିକ ସଂପର୍କ ରଖିଥାନ୍ତି। ରାୟଗଡ଼ରେ ବଡ଼ ପରିବାମଣ୍ଡି ଥିବାରୁ ଏଠାରୁ ପ୍ରତିଦିନ ଶହ ଶହ ଲୋକ ସୀମା ଡେଇଁ ସେଠାକୁ ଯାଇ ପରିବା ନେବା ଆଣିବା କରନ୍ତି। ସେଠାକାର ଲୋକ ମାଛ ଓ ଅନ୍ୟାନ୍ୟ ଜିନିଷ ପାଇଁ ସୀମା ଡେଇଁ ଓଡ଼ିଶାରେ ପ୍ରବେଶ କରନ୍ତି। ଏହି ସବୁ ସଂପର୍କ କିଛି ଦିନ ବନ୍ଦ କରିବା ଆବଶ୍ୟକତା ରହିଥିଲେ ମଧ୍ୟ ଏହା ଏତେଟା ସମ୍ଭବ ନୁହେଁ। ଏ ମଧ୍ୟରେ ଏହି ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ବିବାହ ସ୍ଥରିକୃତ ହୋଇଥିବା ବେଳେ ତାକୁ ନେଇ ଅନେକ ଆଶଙ୍କା ଦେଖା ଦେଇଛି। ଛତିଶଗଡ଼ ବଜାର ବନ୍ଦ ରହୁଥିବାରୁ ସେପଟରୁ ବହୁଲୋକ ଏବେ ଝାରସୁଗୁଡ଼ା ଆସି ବଜାର କରିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ଝାରସୁଗୁଡ଼ା ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ପରି ସଂକ୍ରମିତ ହେବାକୁ ସମୟ ଲାଗିବ ନାହିଁ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

 

ସମ୍ବନ୍ଧିତ ଖବର