ଶ୍ରେୟ ନେବାକୁ ବିଜେଡି-ବିଜେପି ଟଣାଓଟରା, ସେତୁର ଚିହ୍ନବର୍ଣ୍ଣ ନାହିଁ 

ସୁନ୍ଦରଗଡ଼ : ୨୦୨୦ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ କରିଥିଲେ ଶିଳାନ୍ୟାସ। ତାର ୮ ମାସ ପରେ ନଭେମ୍ବରରେ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ କଲେ ଭୂମିପୂଜନ। ସୁନ୍ଦରଗଡ଼- ରାଜପୁର ଇବ୍ ସେତୁର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଏ ଟଣାଓଟରା ଚର୍ଚ୍ଚାର ବିଷୟ ହୋଇଥିଲା। ସବୁଠାରୁ ଅଧିକ ରୋଚକ କଥାଟି ହେଲା, ଯାହାକୁ ନେଇ ବିଜେଡି-ବିଜେପିର ଟଣାଟଣି ଏଯାଏ ସେ ସେତୁର କୌଣସି ଚିହ୍ନବର୍ଣ୍ଣ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସର ୧୪ ମାସ ଓ ସାଂସଦଙ୍କ ଭୂମିପୂଜନର ୫ ମାସ ପରେ ମଧ୍ୟ ସେତୁର ନିର୍ମାଣ ଆରମ୍ଭ ହୋଇ ନାହିଁ। ସୁନ୍ଦରଗଡ଼- ରାଜପୁର ସଂଯୋଗ ପାଇଁ ଇବ୍ ନଦୀରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୧୬.୪୧ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ସେତୁ ଟାଙ୍ଗରପାଲି ବ୍ଲକ୍ ଅଞ୍ଚଳବାସୀଙ୍କ ସହ ବାଲିଶଙ୍କରା, ସବଡେଗା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଗମନାଗମନା ପାଇଁ ସୁବିଧା ହେବ। କମ୍ ସମୟ ଓ ଅଳ୍ପ ଖର୍ଚ୍ଚରେ ଲୋକେ ସୁନ୍ଦରଗଡ଼ ପହଞ୍ଚି ନିଜ କାର୍ଯ୍ୟ କରିପାରିବେ। ଏବେ ଏସବୁ ଅଞ୍ଚଳର ଲୋକେ କରମଡିହି ବୁଲାଣି ରାସ୍ତା ଦେଇ ସୁନ୍ଦରଗଡ଼ ଆସୁଛନ୍ତି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼-ରାଜପୁର ସେତୁର ପରିକଳ୍ପନା କରାଯାଇଥିଲା। ବହୁବାର ଅଞ୍ଚଳବାସୀ ସମେତ ଜନପ୍ରତିନିଧି ଏହି ସେତୁ ପାଇଁ ଦାବି କରି ଆସୁଥିଲେ। ଗତ ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ଭବାନୀଭବନ ପଡ଼ିଆରେ ଅନୁଷ୍ଠିତ ସମାବେଶ ଓ ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ହଜାରେ କୋଟିର ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ ଶହ କୋଟିର ୪୧ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ତନ୍ମଧ୍ୟରେ ସୁନ୍ଦରଗଡ଼-ରାଜପୁର ସେତୁର ମଧ୍ୟ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ତାହା ଶିଳାନ୍ୟାସରେ ହିଁ ଅଟକି ରହିଥିବା ବେଳେ ଗତ ନଭେମ୍ବର ୧୭ ତାରିଖରେ ଅଚାନକ ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ତଳସରା ବିଧାୟକ ଭବାନୀ ଭୋଇଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଭୋଜପୁର ଠାରେ ସେତୁର ଭୂମିପୂଜନ କରିଥିଲେ। ତେବେ ଶିଳାନ୍ୟାସ ଫଳକରେ ସେତୁର ନାମ ସୁନ୍ଦରଗଡ଼-ରାଜପୁର ପରିବର୍ତ୍ତେ ଭୋଜପୁର- ରାଜପୁର ସେତୁ ଉଲ୍ଲେଖ ରହିଥିଲା। ଭୂମିପୂଜନ ବେଳେ ତଳସରା ବିଧାୟକଙ୍କ ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା ଓ ସୁନ୍ଦରଗଡ଼ବାସୀଙ୍କ ବହୁଦିନର ସ୍ବପ୍ନ ପୂରା ହେବାକୁ ଯାଉଛି ବୋଲି ସାଂସଦ କହିଥିଲେ। କିନ୍ତୁ ଏହି ଟଣାଓଟରା ମଧ୍ୟରେ ଏଯାଏ ନିର୍ମାଣର ନାମଗନ୍ଧ ନଥିବା ଏହି ସେତୁକୁ ନେଇ ଆଶାବାଦୀ ହୋଇପଡ଼ିଥିବା ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ବପ୍ନ କେବେ ସାକାର ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର